ବ୍ରହ୍ମପୁର : ବିବାହ ପରେ ସମସ୍ତଙ୍କ ଭାଗ୍ୟରେ ମାତୃତ୍ବ ଅର୍ଜନ କରିବାର ସୌଭାଗ୍ୟ ଜୁଟି ନଥାଏ। ସନ୍ତାନଟିଏ ପାଇଁ ଏବେ ବି ବହୁ ଅଭିଭାବକ ଚାହିଁ ରହିଛନ୍ତି। ଚିକିତ୍ସାବିଜ୍ଞାନର ସହାୟତା ନେବା ସହ ପୂଜାପାଠ ମଧ୍ୟ କରୁଛନ୍ତି। ତଥାପି ସେମାନଙ୍କ କୋଳ ଖାଲି ରହିଛି। ଭଗବାନ ସେମାନଙ୍କ ଜୀବନରେ ମାତାପିତା ହେବାର ସୌଭାଗ୍ୟ ଯେମିତି ଲେଖିନାହାନ୍ତି। ଅନ୍ୟପଟେ ଏମିତି କିଛି ଅଭିଭାବକ ଅଛନ୍ତି ଯେ, କୋମଳମତି ଶିଶୁକୁ ଏକୁଟିଆ ଛାଡ଼ି ଚାଲିଯିବାକୁ ମଧ୍ୟ ପଛାଉନାହାନ୍ତି। ଏଭଳି ଶିଶୁଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଶିଶୁ ସୁରକ୍ଷା ବିଭାଗ କାର୍ଯ୍ୟକ୍ଷମ ରହିଛି।

Advertisment

ସେହିପରି ଚାଇଲ୍‌ଡଲାଇନ୍‌ ମଧ୍ୟ ଶିଶୁଙ୍କ ସୁରକ୍ଷା ଓ ଅଧିକାର ପାଇଁ କାମ କରୁଛି। ମାତାପିତା ଛାଡ଼ି ଚାଲିଯାଇଥିବା ବେସାହାରା ଶିଶୁଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅଧୀନରେ ସେମାନଙ୍କୁ ଥଇଥାନ କରାଯାଉଛି। ସେହିପରି ଶିଶୁମାନଙ୍କୁ ବିଭିନ୍ନ ସମୟରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଉଛି। ରାଜ୍ୟ ସରକାରଙ୍କ ଦ୍ବାରା ଧାର୍ଯ୍ୟ ନିୟମାବଳୀ ପାଳନ କରି ଯେକୌଣସି ଦମ୍ପତି ଏଭଳି ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିପାରିବେ। ଗଞ୍ଜାମ ଜିଲ୍ଲାରେ ଗତ ୪ବର୍ଷ ମଧ୍ୟରେ ଏଭଳି ୩୪ଜଣ ଶିଶୁଙ୍କୁ ବିଭିନ୍ନ ଅଞ୍ଚଳର ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ ୫ଜଣ ଶିଶୁ ବିଦେଶରେ ବଢ଼ୁଛନ୍ତି। ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଏହି ଅନାଥ ଶିଶୁ ମାତାପିତାର ପରିଚୟ ପାଇ ପାରିଛନ୍ତି।

ଗଞ୍ଜାମ ଜିଲ୍ଲାରେ ବିଗତ ଦିନରେ ବିଭିନ୍ନ ସ୍ଥାନରୁ ଅସହାୟ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କର ମାତାପିତାଙ୍କ ଖୋଜ ଖବର ନାହିଁ କି କୌଣସି ଦାବିଦାର ମଧ୍ୟ ନାହାନ୍ତି। ସେହିଭଳି ଶିଶୁଙ୍କୁ ଗୋସାଇଁନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମ ପରିସରରେ ଥିବା ସ୍ପେସିଆଲାଇଜ୍‌ଡ ଆଡ଼ପ୍ସନ୍ ଏଜେନ୍ସି(ସା) ଅଧୀନରେ ରଖାଯାଇଥାଏ। ସନ୍ତାନ ଥିବା ଅଭିଭାବକମାନେ ଏଭଳି ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ପ୍ରଶାସନ ନିକଟରେ ଆବେଦନ କରିଥାନ୍ତି। ଧାର୍ଯ୍ୟ ନିୟମ ଅନୁସାରେ ଶିଶୁଙ୍କୁ ସେହି ଅଭିଭାବକଙ୍କୁ ହସ୍ତାନ୍ତର କରି ତାଙ୍କୁ ମାତାପିତାର ପରିଚୟ ଦେଇ ଉଜ୍ଜ୍ବଳ ଭବିଷ୍ୟତ ଗଠନ ଦିଗରେ ଉଦ୍ୟମ କରାଯାଇଥାଏ।

ଗତ ୨୦୧୮-୧୯ରୁ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩୪ଜଣ ଅନାଥ ଶିଶୁଙ୍କୁ ବିଭିନ୍ନ ରାଜ୍ୟର ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ତନ୍ମଧ୍ୟରେ ୨୯ଜଣ ଶିଶୁ ଦେଶ ଭିତରେ ବିଭିନ୍ନ ରାଜ୍ୟରେ ଥିବା ବେଳେ ୫ଜଣ ଶିଶୁ ବିଦେଶରେ ବଢ଼ୁଛନ୍ତି। ସେହି ୩୪ଜଣଙ୍କ ମଧ୍ୟରେ ୧୫ଜଣ ପୁଅ ରହିଥିବା ବେଳେ ୧୯ଜଣ ଝିଅ ରହିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ୮ଜଣ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ବେଳେ ୨୦୧୯-୨୦ରେ ୧୩ଜଣ, ୨୦୨୦-୨୧ରେ ୮ଜଣ, ୨୦୨୧-୨୨ରେ ୪ଜଣ ଓ ୨୦୨୨-୨୩ରେ ଜଣେ ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରାଯାଇ ସାରିଛି।

ବ୍ରହ୍ମପୁରରେ ଥିବା ସ୍ପେସିଆଲାଇଜ୍‌ଡ ଆଡପ୍ସନ୍ ଏଜେନ୍ସିରୁ ଓଡ଼ିଶାର ବିଭିନ୍ନ ରାଜ୍ୟ ତଥା ବିଦେଶୀ ନାଗରିକମାନେ ମଧ୍ୟ ପୋଷ୍ୟ ସନ୍ତାନ ଗ୍ରହଣ କରୁଛନ୍ତି। ଗତ କିଛିବର୍ଷ ତଳେ ଇଟାଲିର ଦମ୍ପତି ଏକ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଏହି ଏଜେନ୍ସିରୁ ଓଡ଼ିଶା ସମେତ ଛତିଶଗଡ଼, କେରଳ, ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ କର୍ଣ୍ଣାଟକ ଭଳି ରାଜ୍ୟର ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ମ୍ୟାନେଜର ଶିବାୟନ ପ୍ରଧାନ ସୂଚନା ଦେଇଛନ୍ତି।