ଗଂଜାମ-ବାଲେଶ୍ୱର-ସୁନ୍ଦରଗଡ଼ରେ କରୋନା ଭାଙ୍ଗିଲା ପୁରୁଣା ରେକର୍ଡ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରୁ ଆଜି ଏକକାଳୀନ ୧୦୧ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଗଂଜାମ, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଭାଇରସ ପୁରୁଣା ରେକର୍ଡ ଭାଙ୍ଗିଛି ।
ଗଂଜାମ ଜିଲ୍ଲାରେ ଗତ ୧୦ ତାରିଖ ସକାଳୁ ଏକକାଳୀନ ୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେଦିନ ସନ୍ଧ୍ୟାରେ ପୁଣି ୭ ଜଣ କରୋନା ପଜିଟିଭ ଜଣାପଡ଼ିଥିଲେ । ମୋଟ ଗୋଟିଏ ଦିନରେ ୩୬ ଜଣ ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ସକାଳୁ କିନ୍ତୁ ଏକକାଳୀନ ୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ ପହଞ୍ଚିଛି । ଏଥିରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ବାଲେଶ୍ୱର ଜିଲ୍ଲାରେ କାଲିଯାଏଁ ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କାଲି ଦିନକରେ ଏକକାଳୀନ ସର୍ବାଧିକ ୧୫ ଜଣ ପଜିଟଭ ଚିହ୍ନଟ ହୋଇଥିବା ବେଳେ ଆଜି ଏକାଥରକେ ୩୩ ଜଣ ପଜିଟଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା ୯୦ । ଏଥିରୁ ୧୧ ଜଣ ସୁସ୍ଥ ହୋଇଥିବା ବେଳେ ୭୯ ଜଣ ଚିକିତ୍ସାଧୀନ ଅଛନ୍ତି ।

image source-long island press

ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୩ । ଆଜି ଏକାଥରକେ ସର୍ବାଧିକ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜିଲ୍ଲାରେ ଏକାଥରକେ ୫ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଏପର୍ଯ୍ୟନ୍ତ ୧୦ ଜଣ ସୁସ୍ଥ ହୋଇଥିବା ବେଳେ ଆହୁର ୧୩ ଜଣଙ୍କ ଚିକିତ୍ସା ଜାରି ରହିଛି । କେନ୍ଦୁଝର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪ ଜଣ । ପୂର୍ବରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଆଜି ପୁଣି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତେ ଚିକିତ୍ସାଧୀନ ଅଛନ୍ତି ।

ଯାଜପୁର ଜିଲ୍ଲାରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ୭ ଜଣ ପଜିଟିଭ ଚିହ୍ନଟ ହୋଇଥବା ବେଳେ ପୂର୍ବରୁ ଗୋଟିଏ ଥରରେ ସର୍ବାଧିକ ୧୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଜିଲ୍ଲାରୁ ଏଯାଏଁ ୩୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ୩୮ ଜଣଙ୍କର ଚିକିତ୍ସା ଜାରି ରହିଛି ।

ରାଜ୍ୟରେ ୬୮ ହଜାର ୫୭ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ୫୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧୬ ଜଣ ସୁସ୍ଥ ହୋଇଥିବା ବେଳେ ୪୧୯ ଜଣ ଚିକିତ୍ସାଧୀନ ଅଛନ୍ତି । ତିନି ଜଣ ବ୍ୟକ୍ତି ଜୀବନ ହରାଇଛନ୍ତି ।

ସମ୍ବନ୍ଧିତ ଖବର