ବ୍ରହ୍ମପୁର: ଗଞ୍ଜାମ ଓକିଲ ସ˚ଘ ନିର୍ବାଚନ ପାଇଁ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଚଳିତ ବର୍ଷ ନିର୍ବାଚନର ବିଭିନ୍ନ ପଦ ପାଇଁ ନିର୍ବାଚନୀ ମଇଦାନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିବେ। ଆସନ୍ତା ଡିସେମ୍ବର ୧୨ ତାରିଖରେ ଭୋଟ୍ ଗ୍ରହଣ କରାଯିବ ବୋଲି ନିର୍ବାଚନ ଅଧିକାରୀ ତଥା ଆଇନଜୀବୀ ନୟନ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
ଗଞ୍ଜାମ ଓକିଲ ସ˚ଘ ନିର୍ବାଚନ ପାଇଁ ଗତ ୨୫ ଓ ୨୬ ତାରିଖ ଦୁଇଦିନ ଧରି ନାମାଙ୍କନ ଦାଖଲ ହୋଇଥିଲା। ଆଜି ପ୍ରାର୍ଥୀପତ୍ର ଯାଞ୍ଚ ପରେ ପ୍ରତ୍ୟାହାର ପାଇଁ ମଧ୍ୟ ସମୟ ରଖାଯାଇଥିଲା। ଯାଞ୍ଚ ପରେ ସମସ୍ତ ୧୦ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିତ୍ବ କାଏମ ରହିଥିଲା। ସେପଟେ କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନଥିଲେ। ଏଣୁ ସମସ୍ତ ୧୦ଜଣ ପ୍ରାର୍ଥୀ ନିର୍ବାଚନ ପ୍ରକ୍ରିୟାରେ ସାମିଲ ରହିବେ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସଭାପତି ପଦରେ ଆଇନଜୀବୀ କପିଳେଶ୍ବର ପଟ୍ଟନାୟକ ଓ ବ˚ଶୀଧର ପାଳ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ଉପସଭାପତି ପାଇଁ ବସନ୍ତ କୁମାର ରାଉତ, କୃଷ୍ଣ ଚନ୍ଦ୍ର ପଣ୍ଡା ଓ ଶରତ କୁମାର ପାଢ଼ୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେହିପରି ସମ୍ପାଦକ ପଦ ପାଇଁ ପ୍ରଦୀପ କୁମାର ବେହେରା ଓ ରାମକୃଷ୍ଣ ମହାରଣାଙ୍କ ମଧ୍ୟରେ ପ୍ରତିନ୍ଦ୍ବନ୍ଦିତା ଚାଲିଛି। ଯୁଗ୍ମସମ୍ପାଦକ ପଦ ପାଇଁ ହେମନ୍ତ କୁମାର ପଣ୍ଡା, ସୋମନାଥ ମହାରଣା ଓ ଶ୍ରୀଧର ସାହୁଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଆସନ୍ତା ୧୨ ତାରିଖରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।