ବ୍ରହ୍ମପୁର : କରୋନା ସଂକ୍ରମଣ ଚେନ୍ ରୋକିବାକୁ ବାହାର ରାଜ୍ୟ ଫେରନ୍ତାଙ୍କ ଶତ ପ୍ରତିଶତ ସ୍କ୍ରିନିଂ ଅସମ୍ଭବ ହୋଇପଡ଼ିଛି। ଉପକୂଳ ଦେଇ ଅନୁପ୍ରବେଶ ରୋକିବା ଲାଗି ଗଞ୍ଜାମ ଜିଲ୍ଲାରେ ଦୁଇଟି ସାମୁଦ୍ରିକ ଥାନା ରହିଛି। ଆବଶ୍ୟକ କର୍ମଚାରୀ ଓ ଭିତ୍ତିଭୂମି ନ ଥିବାରୁ ଉକ୍ତ ଥାନା ଦ୍ବୟ ଥାଇ ମଧ୍ୟ ନ ଥିବା ସଦୃଶ। ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାର ବୋଟ୍ ଅଚଳ। ସମୁଦ୍ରରେ ପାଟ୍ରୋଲି˚ ହୋଇପାରୁନି। ସମ୍ବେଦନଶୀଳ ପାତି ସୋନପୁର ସାମୁଦ୍ରିକ ଥାନାରେ ବୋଟ ନାହିଁ। ଜିଲ୍ଲାର ଉପକୂଳ ଏକରକମର ମୁକୁଳା ପଡ଼ିଛି। ଲକ୍ଡାଉନ୍ ବେଳେ ଦେଢ଼ ଲକ୍ଷରେ ଡଙ୍ଗା କିଣି ଜଳପଥରେ ଚେନ୍ନାଇରୁ ୨୭ଜଣ ମତ୍ସ୍ୟଜୀବୀ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଉପକୂଳ ଯାଏ ଆସିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ସମସ୍ତ ସାମୁଦ୍ରିକ ଥାନାକୁ ଆଲର୍ଟ କରିଛନ୍ତି ରାଜ୍ୟ ସରକାର। ତେବେ ସ୍ଥଳପଥରେ ପ୍ରଶାସନ ଓ ପୁଲିସ ପକ୍ଷରୁ ପ୍ରାୟତଃ ସବୁ ସୀମା ସିଲ୍ ସୁନିଶ୍ଚିତ କରା ଯାଇଥିଲେ ହେଁ ରାଜ୍ୟ ଓ ରାଜ୍ୟ ବାହାରୁ ମାଳମାଳ ଗଳାବାଟ ଦେଇ ସାଇକେଲ ଓ ଚାଲିଚାଲି ଲୋକେ ବରାବର ଜିଲ୍ଲାକୁ ପଶୁଛନ୍ତି।
ଗଞ୍ଜାମ ଜିଲ୍ଲାର ଉପକୂଳ ପ୍ରୟାଗୀରୁ ପାତି ସୋନପୁର ପର୍ଯ୍ୟନ୍ତ ୫୪ କିଲୋମିଟର ଲମ୍ବିଛି। ୨୦୦୯ରେ ପ୍ରତିଷ୍ଠିତ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା କୋଠା ସମୁଦ୍ର କୂଳରେ ନିର୍ମାଣ ହୋଇଛି। ଥାନାକୁ ଇତିମଧ୍ୟରେ ୧୦ବର୍ଷ ବିତିଛି। ୮୧ ଜଣ କର୍ମଚାରୀ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୨୬। ଜଣେ ଇନ୍ସପେକ୍ଟର ଜଣେ, ଜଣେ ଏଏସ୍ଆଇ ଓ କନଷ୍ଟେବଳ ୧୨ ଜଣ ଓ ହୋମ୍ଗାର୍ଡ ୧୦ ଓ ଜଣେ ହାବିଲଦାର ରହିଛନ୍ତି। ଥାନା ଖୋଲିବା ପରେ ସମୁଦ୍ରରେ ପାଟ୍ରୋଲି˚ ପାଇଁ ସରକାର ବୋଟ୍ ଯୋଗାଇଥିବା ବେଳେ ୨୦୧୩ ଫାଇଲିନ ବାତ୍ୟାରେ ଏହା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗତ ଅଗଷ୍ଟ ୧୨ତାରିଖରେ ପୁଣି ଆସିଥିବା ବୋଟ୍ଟି ମଧ୍ୟ ଅଚଳ ହୋଇ ପଡ଼ିଛି। ଥାନାର ନିଜସ୍ବ ଜେଟି ନାହିଁ। ଗୋପାଳପୁରଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ୩୭ କିମି ଉପକୂଳ ଏହି ଥାନା ଇଲାକାରେ ରହିଛି। ୨୦୧୩ ମସିହାରେ ପାତି ସୋନପୁର ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଥିଲା। ଏହି ଥାନା ଦୀର୍ଘ ୫ବର୍ଷ ଭଡ଼ା ଘରେ ଚାଲିବା ପରେ ୨୦୧୮ରେ ନିଜସ୍ବ କୋଠା ନିର୍ମାଣ ହେଲା। ଏଠାରେ ଇନ୍ସପେକ୍ଟର ଜଣେ, ଏଏସ୍ଆଇ ଜଣେ, ୭ଜଣ କନଷ୍ଟେବଳ ଓ ୧୫ ଜଣ ହୋମଗାର୍ଡ ଅଛନ୍ତି। ୬ବର୍ଷ ବିତିଥିଲେ ହେଁ ପାଟ୍ରୋଲି˚ ବୋଟ ନାହିଁ କି ଆବଶ୍ୟକ କର୍ମଚାରୀ ନାହାନ୍ତି।
ବେଳାଭୂମିଠାରୁ ସମୁଦ୍ର ଭିତରକୁ ୫ ନଟିକାଲ୍ ମାଇଲ ପର୍ଯ୍ୟନ୍ତ ସୁରକ୍ଷା ଦାୟିତ୍ବ ସାମୁଦ୍ରିକ ପୁଲିସର। ଏହା ପରେ ଜଳସୀମା ଭାରତୀୟ ତଟରକ୍ଷୀ ବାହିନୀ ଦାୟିତ୍ବ ପରିସରରେ ଆସୁଛି। ସମୁଦ୍ର ମଧ୍ୟରେ ସନ୍ଦେହଜନକ ଟ୍ରଲର ଓ ବୋଟ, ସନ୍ଦିଗ୍ଧ ମତ୍ସ୍ୟଜୀବୀଙ୍କ ଅନୁପ୍ରବେଶ ବା ଉପସ୍ଥିତି ଯାଞ୍ଚ ଦାୟିତ୍ବ ହେଉଛି ସାମୁଦ୍ରିକ ଥାନାର। ପାତି ସୋନପୁରଠାରୁ ପ୍ରୟାଗୀ ମଧ୍ୟରେ ସମୁଦ୍ର କୂଳଠାରୁ ୩ କିମି ଦୂରତ୍ବ ମଧ୍ୟରେ ୫୦ରୁ ଅଧିକ ମତ୍ସ୍ୟଜୀବୀ ଗ୍ରାମ ରହିଛି। ମତ୍ସଜୀବୀଙ୍କୁ ସଚେତନ ସହ ସେମାନଙ୍କଠୁ ବିଭିନ୍ନ ତଥ୍ୟ ସଂଗ୍ରହ ଦାୟିତ୍ବ ସାମୁଦ୍ରିକ ଥାନା ଉପରେ ନ୍ୟସ୍ତ। କିନ୍ତୁ ବୋଟ୍ ନଥିବାରୁ ପାଟ୍ରୋଲିଂ ହୋଇ ପାରୁନି। ଏପରିକି ସମୁଦ୍ରରେ ଯାଉଥିବା ଟ୍ରଲର ଆଦି ନିରୀକ୍ଷଣ ଲାଗି ସାମୁଦ୍ରିକ ଥାନା ଗୁଡିକରେ ଉନ୍ନତମାନର ବାଇନାକୁଲର ଓ ସର୍ଚ୍ଚ ଲାଇଟ୍ ବି ନାହିଁ। ସାମୁଦ୍ରିକ ଥାନା ପୁଲିସ ସ୍ଥଳଭାଗ ପଇତଁରା ମାରିବା ସହିତ ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ମତ୍ସଜୀବୀଙ୍କ ସହ ସୁସମ୍ପର୍କରେ ରଖି ସେମାନଙ୍କଠାରୁ ତଥ୍ୟ ସଂଗ୍ରହରେ ନିଜ ଦାୟିତ୍ବ ସୀମତି ରଖିଛି। ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ସ୍ଥଳପଥରେ ସମସ୍ତ ସୀମା ପ୍ରଶାସନ ସିଲ୍ କରିଥିବା କହୁଛି। ଗଞ୍ଜାମ ଜିଲ୍ଲାକୁ ଆନ୍ଧ୍ରପ୍ରଦେଶ ସୀମା ଲାଗିଛି। ଆନ୍ଧ୍ରପ୍ରଦେଶରୁ ଯେଭଳି କେହି ନ ଆସିବେ ସେଥିଲାଗି ପାତ୍ରପୁର ବ୍ଲକର ବଳରାମପୁର ଓ ଜାତୀୟ ରାଜପଥ ୧୬ର ଗିରିଶୋଲା ଠାରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। କିନ୍ତୁ ଆନ୍ଧ୍ରରୁ ସୁମାଣ୍ଡି ଓ ସୋରଳ ଦେଇ ଗଞ୍ଜାମକୁ ଚଳପ୍ରଚଳ ହେଉଥିବା ଜଣାପଡ଼ିଛି। ସେହିପରି ଆନ୍ଧ୍ର ପ୍ରଦେଶର ପୁସ୍ତପୁରମ୍ ଗେଟ୍ ଠାରୁ ପିତାତଳି ଦେଇ ଗଞ୍ଜାମରେ ପଶୁଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ବରରେ ଏକାଧିକ କରୋନା ପଜିଟିଭ ବାହାରିବା ପରେ ଏହାର କେତେକ ଅଞ୍ଚଳ ହଟ୍ସ୍ପଟ୍ ଘୋଷଣା ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଟ୍ସ୍ପଟ୍ ଅଞ୍ଚଳରୁ ଜିଲ୍ଲାକୁ କେହି ଯେଭଳି ନ ଆସିବେ ସେଥିପ୍ରତି ପ୍ରଶାସନ ପକ୍ଷରୁ ଯାଞ୍ଚ୍କୁ କଡ଼ାକଡ଼ି କରାଯାଇଛି। ଏସବୁ ସତ୍ତ୍ବେ ବିଭିନ୍ନ ଗଳାବାଟ ଦେଇ ଚାଲିଚାଲି ଓ ସାଇକେଲରେ ଭୁବନେଶ୍ବରରୁ ଜିଲ୍ଲାକୁ ପ୍ରତ୍ୟହ ଲୋକ ପଳାଇ ଆସୁଥିବା ଜଣାପଡ଼ିଛି। ଗତକାଲି ଚେନ୍ନାଇରୁ ସାଇକେଲ ଯୋଗେ ୧୫ଜଣ ଚିକିଟି ଅଞ୍ଚଳକୁ ଫେରିଥିବା ବେଳେ ଯାଞ୍ଚ ବେଳେ ୭ଜଣ ଧରା ପଡ଼ିଥିଲେ। ଏ ଯାଏ ଆସିଥିବା ଆହୁରି ୮ଜଣଙ୍କ ପତ୍ତା ମିଳିୁନାହିଁ। ସେହିପରି ଗତକାଲି ଆନ୍ଧ୍ର ପ୍ରଦେଶ ନେଲୋରରୁ ପ୍ରାୟ ୧୦ଜଣ ଶ୍ରମିକ ଚାଲିଚାଲି ରଙ୍ଗେଇଲୁଣ୍ଡାରେ ପହଞ୍ଚିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/ganjam.jpeg)
