ଜିଲ୍ଲାପାଳଙ୍କ ନିର୍ଦ୍ଦେଶ: ଗଂଜାମରେ ଜିନିଷ ବିକିବା ପୂର୍ବରୁ ଗ୍ରାହକଙ୍କ ଠିକଣା ରଖିବେ ଦୋକାନୀ

ବ୍ରହ୍ମପୁର: ଦୋକାନରେ ଜିନିଷପତ୍ର ବିକିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ନିର୍ଦ୍ଦେଶନାମା ଜାରି କରି ଜିଲ୍ଲାପାଳ କହିଛନ୍ତି, ଦୋକାନ ସାମଗ୍ରୀ ବିକିବା ସମୟରେ ଦୋକାନୀମାନେ ଗ୍ରାହକଙ୍କ ଠିକଣା ଲେଖି ରଖନ୍ତୁ । ଏହି କାମ ନକଲେ ସଂପୃକ୍ତ ଦୋକାନୀଙ୍କର ଦୋକାନ ସିଲ କରାଯିବ । ନିୟମ ନମାନିଲେ ସଂପୃକ୍ତ ଦୋକାନ ମାଲିକଙ୍କୁ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

 

ନିର୍ଦ୍ଦେଶନାମାରେ ଜିଲ୍ଲାପାଳ କହିଛନ୍ତି, ଦେକାନ ମାଲିକ ଗ୍ରାହକଙ୍କ ପାଇଁ ସାନିଟାଇଜର ରଖିବେ । ସେହିଭଳି ଦୋକାନ ଆଗରେ ମାସ୍କ ନାହିଁ ତ ସଉଦା ନାହିଁ ଲେଖିବେ । ସାମାଜିକ ଦୂରତ୍ୱ ମାନି ମୁହଁରେ ମାସ୍କ ପିନ୍ଧିବେ ଓ ହାତରେ ଗ୍ଲୋଭସ ପିନ୍ଧିବେ । ସେହିପରି ଗ୍ରାହକମାନେ ଦୋକାନ ଆଗରେ ଦିଆଯାଇଥିବା ଗୋଲାକାର ଚିହ୍ନରେ ଧାଡ଼ିରେ ରହି ସଉଦା କିଣିବେ ।

ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲାରେ ୨୧୦ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଲୋକଙ୍କର ଯାତାୟତ ଉପରେ ଅଧିକ ନଜର ରଖିଛି । ଦୋକାନରୁ ଜିନିଷ କିଣିବା ସମୟରେ ଅଧିକ ସତର୍କତା ଅମଲମ୍ବନ କରିବା ପାଇଁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।

ସମ୍ବନ୍ଧିତ ଖବର