ରାଜନୀତିରେ ଅବିଭକ୍ତ ଗଞ୍ଜାମର ରାଜପରିବାର

ବ୍ରହ୍ମପୁର, (ପ୍ରଦୀପ କିଶୋର ସାହୁ): ରାଜତନ୍ତ୍ରର ବିଲୋପ ଘଟି ଭାରତ ବର୍ଷରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଛି। ତଥାପି ଆଜି ବି ରହିଛି ରାଜପରିବାରର ଦବଦବା। ଯଦିଓ ରାଜ ରାଜୁଡା ଶାସନ ନାହିଁ, ପିଢ଼ି ପରେ ପିଢ଼ି ରାଜ ପରିବାର ସଦସ୍ୟ ନିର୍ବାଚନ ଲଢି ଜନ ପ୍ରତିନିଧି ଭାବେ ସେବା କରୁଛନ୍ତି। ଅବିଭକ୍ତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ରାଜ ପରିବାର ମଧ୍ୟ ଦୀର୍ଘ ବର୍ଷ ଧରି ସକ୍ରିୟ ରାଜନୀତିରେ ରହିଛନ୍ତି।

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୁରୋଧା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କୁ ଆଧୁନିକ ଓଡ଼ିଶାର ଅନ୍ୟତମ ବିନ୍ଧାଣୀ ଭାବେ ଅଭିହିତ କରାଯାଏ। ୧୯୩୭ ଏପ୍ରିଲ ୧ରୁ ୧୮ଜୁଲାଇ ୧୯୩୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିଲେ। ଏହାପରେ ୨୪ ନଭେମ୍ବର ୧୯୪୧ ଠାରୁ ୩୦ ଜୁନ ୧୯୪୪ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରହିଥିଲେ।

ସ୍ବାଧୀନତା ପରବର୍ତ୍ତୀ ସମୟରେ ତାଙ୍କ ଦାୟାଦ ପରାଳାଖେମୁଣ୍ତି ରାଜା ଗୋପୀନାଥ ଗଜପତି ନାରାୟଣ ଦେବ ରାଜନୀତିରେ ପ୍ରବେଶ କରିଥିଲେ।

ନବମ ଲୋକସଭା ନିର୍ବାଚନ(୧୯୮୯)ରେ ଗୋପୀନାଥ ଗଜପତି ବ୍ରହ୍ମପୁର ଲୋକସଭା ଆସନରୁ କ˚ଗ୍ରେସରୁ ପ୍ରାର୍ଥୀ ହୋଇ ୨ଲକ୍ଷ ୩୨ହଜାର ୦୮୨ ଖଣ୍ତ ଭୋଟ ପାଇ ବିଜୟୀ ହୋଇଥିଲେ। ଦଶମ ଲୋକସଭା ନିର୍ବାଚନ(୧୯୯୧)ରେ ଗୋପୀନାଥ ଗଜପତି ପୁଣି କ˚ଗ୍ରେସରୁ ପ୍ରାର୍ଥୀ ହୋଇ ୨ଲକ୍ଷ ୩୫ହଜାର ୨୬୦ଖଣ୍ତ ଭୋଟ ପାଇ ବିଜୟୀ ହୋଇଥିଲେ। ଦ୍ବାଦଶ ଲୋକସଭା ନିର୍ବାଚନ (୧୯୯୮)ରେ ବିଜେପି ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ରାଜନୀତିରୁ ଦୂରେଇ ରହିଥିବା ଗୋପୀନାଥ ଗଜପତିଙ୍କ କନ୍ୟା ତଥା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାତୁଣୀ ରାଜକୁମାରୀ କଲ୍ୟାଣ ଦେବୀ ଏବେ ରାଜନୀତିରେ ପାଦ ଥାପିଛନ୍ତି। ଗତ କିଛିଦିନ ତଳେ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

୧୯୫୧ ମସିହାରେ ଗଠିତ ହେଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନମଣ୍ତଳୀ। ଖଲ୍ଲିକୋଟର ୩୧ତମ ରାଜା ଥିଲେ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ। ୧୯୫୧-୫୨ ମସିହାରେ ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଖଲ୍ଲିକୋଟ ବିଧାନସଭା କ୍ଷେତ୍ରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢି ବିଜୟୀ ହୋଇଥିଲେ। ଏହାପରେ ପୁଣି ୧୯୬୧ରେ ଉକ୍ତ ନିର୍ବାଚନ ମଣ୍ତଳୀରୁ କ˚ଗ୍ରେସ ଟିକେଟରେ ଲଢି ସେ ବିଜୟୀ ହୋଇଥିଲେ। ତାଙ୍କ ପରେ ତାଙ୍କ ବୋହୂ ତଥା ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ରାଜନୀତିରେ ପାଦ ଦେଇଥିଲେ। ଖଲ୍ଲିକୋଟ ବିଧାନସଭା ଆସନରୁ ୧୯୬୨ରେ କ˚ଗ୍ରେସରୁ ବିଜୟୀ ହୋଇଥିଲେ। ୧୯୭୪ରେ ପୁଣି ସୁଜ୍ଞାନ ଉତ୍କଳ କ˚ଗ୍ରେସରୁ ଲଢି ବିଜୟୀ ହୋଇଥିଲେ। ସେ ୧୯୭୭ରେ ଜନତା ପାର୍ଟି, ୧୯୮୫, ୧୯୯୦ ଓ ୧୯୯୫ରେ ଜନତା ଦଳରୁ ବିଜୟୀ ହୋଇଥିଲେ। ଏହାପରେ ୨୦୦୦ ଏବ˚ ୨୦୦୪ରେ ବିଜୁ ଜନତା ଦଳରୁ ଖଲ୍ଲିକୋଟ ନିର୍ବାଚନମଣ୍ତଳୀରୁ ଲଢି ବିଜୟୀ ହୋଇଥିଲେ।

କିନ୍ତୁ ୨୦୦୯ ସୀମା ନିର୍ଦ୍ଧାରଣରେ ଖଲ୍ଲିକୋଟ ବିଧାନସଭା କ୍ଷେତ୍ର ଏସ୍‌ସି ବର୍ଗଙ୍କ ପାଇଁ ସ˚ରକ୍ଷିତ ହୋଇଥିଲା। ସୁଜ୍ଞାନ ଖଲ୍ଲିକୋଟ ଛାଡି କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ତଳୀରୁ ୨୦୦୯ ଏବ˚ ୨୦୧୪ରେ ଲଢ଼ି ବିଜୟୀ ହୋଇଛନ୍ତି। ୧୦ ଥର ବିଧାନସଭାରେ ପ୍ରତିନିଧିତ୍ବ କରି ସୁଦ୍ଧା ସୁଜ୍ଞାନ କେବେ ବି ମନ୍ତ୍ରୀପଦ ଅଳଙ୍କୃତ କରି ନାହାନ୍ତି। ବର୍ତ୍ତମାନ ବୟସାଧିକ କାରଣରୁ ଅସୁସ୍ଥ। କିନ୍ତୁ ରାଜନୀତିରୁ ଦୂରେଇ ଯାଇ ନାହାନ୍ତି। ୧୯୯୬ରେ ଭି .ସୁଜ୍ଞାନ ଦେଓ ବ୍ରହ୍ମପୁର ଲୋକସଭା ଆସନରୁ ଜନତା ଦଳ ପ୍ରାର୍ଥୀ ହୋଇ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ପି.ଭି.ନରସି˚ହ ରାଓଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିଲେ।

ଗଞ୍ଜାମ ରାଜନୀତିରେ ଧରାକୋଟ ରାଜ ପରିବାରର ମଧ୍ୟ ଦବଦବା ରହି ଆସିଛି। ଧରାକୋଟ ରାଜା ଅନନ୍ତ ନାରାୟଣ ସି˚ହଦେଓ ୧୯୬୭ ଏବ˚ ୧୯୭୧ ମସିହାରେ ସ୍ବତନ୍ତ୍ର ପାର୍ଟିରୁ ସୋରଡା ନିର୍ବାଚନ ମଣ୍ତଳୀରୁ ଲଢି ବିଜୟୀ ହୋଇଥିଲେ। ଏହି ନିର୍ବାଚନମଣ୍ତଳରୁ ସେ ୧୯୭୭ରେ ଜନତା ପାର୍ଟିରୁ ଏବ˚ ୧୯୯୫ରେ ବିଜେପିରୁ ବିଜୟୀ ହୋଇଥିଲେ। ଧରାକୋଟ ରାଣୀ ଶାନ୍ତି ଦେବୀ ୧୯୯୦ରେ ଜନତା ଦଳରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ତାଙ୍କ ପୁଅ କିଶୋର ଚନ୍ଦ୍ର ସି˚ହଦେଓ ୨୦୦୪ ମସିହାରେ ଏହି ନିର୍ବାଚନ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ।

ଏହାପରେ କିଶୋରଙ୍କ ପତ୍ନୀ ନନ୍ଦିନୀ ଦେବୀ ୨୦୧୪ରେ ସାନଖେମୁଣ୍ତି ନିର୍ବାଚନ ମଣ୍ତଳୀରୁ ବିଜେଡିରୁ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ୧୯୮୯ ଲୋକସଭା ନିର୍ବାଚନରେ ଅନନ୍ତ ନାରାୟଣ ସି˚ହଦେଓ ଆସିକା ଲୋକସଭା ଆସନରୁ ଲଢି ୩ଲକ୍ଷ ୧୫ହଜାର ୯୭୯ଖଣ୍ତ ଭୋଟ ପାଇ ବିଜୟୀ ହୋଇଥିଲେ।

ସେଭଳି ପୋଡାମାରୀ (ସାନଖେମୁଣ୍ତି) ରାଜ ପରିବାରର ମଧ୍ୟ ଗଞ୍ଜାମ ଜିଲ୍ଲାରେ ଦବାଦବା ରହିଥିଲା। ମୋହନା ନିର୍ବାଚନମଣ୍ତଳୀ ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ରହିଥିଲା। ପୋଡାମାରୀ ରାଜା ଉଦୟ ନାରାୟଣ ଦେବ ମୋହନା ନିର୍ବାଚନମଣ୍ତଳୀରୁ ୧୯୭୪, ୧୯୭୭ ଏବ˚ ୧୯୮୦ରେ ବିଜୟୀ ହୋଇ ଓଡିଶା ବିଧାନସଭାରେ ପ୍ରତିନିଧିତ୍ବ କରିଥିଲେ। ୨୦୧୪ ନିର୍ବାଚନରେ ପୋଡାମାରୀ ତଥା ସାନଖେମୁଣ୍ତି ରାଜକୁମାର ବୀର କିଶୋର ଦେବ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଗତ କିଛି ଦିନ ତଳେ ବିଜେପି ଛାଡି ସେ ବିଜେଡିରେ ଯୋଗ ଦେଇଥିବା ବେଳେ ସାନଖେମୁଣ୍ତିରୁ ଆଶାୟୀ ରହିଛନ୍ତି।

୧୯୫୭ରେ ଦିଗପହଣ୍ତି ନିର୍ବାଚନ ମଣ୍ତଳୀ ରହିଥିଲା। ଏଠାରୁ ବଡଖେମୁଣ୍ତି ରାଣୀ ଅନଙ୍ଗ ମଞ୍ଜରୀ ଦେବୀ କ˚ଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ୧୯୬୧ ପରେ ଏହି ନିର୍ବାଚନ ମଣ୍ତଳୀ ବିଲୁପ୍ତ ହୋଇ ଯାଇଥିଲା। ୨୦୦୯ ସୀମା ନିର୍ଦ୍ଦାରଣ ପରେ ଏହି ନିର୍ବାଚନମଣ୍ତଳୀ ପୁନଃ ସୃଷ୍ଟି ହୋଇଛି।

ଗଞ୍ଜାମ ରାଜନୀତିରେ ମହୁରୀ ରାଜ ପରିବାରର ମଧ୍ୟ ସକ୍ରିୟ ଯୋଗଦାନ ରହିଛି। ୧୯୭୭ ବିଧାନସଭା ନିର୍ବାଚନରେ ମହୁରୀ ରାଜ ପରିବାର ସଦସ୍ୟା ରତ୍ନମଞ୍ଜରୀ ଦେବୀ ବ୍ରହ୍ମପୁର ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିଥିଲେ। କ˚ଗ୍ରେସ ପ୍ରାର୍ଥୀ ବିନାୟକ ଆଚାର୍ଯ୍ୟଙ୍କୁ ୧୦, ୩୨୪ ଖଣ୍ତ ଭୋଟ ବ୍ୟବଧାନରେ ହରାଇ ବିଜୟୀ ହୋଇଥିଲେ।

ଚିକିଟି ରାଜ ପରିବାର ଗଞ୍ଜାମ ରାଜନୀତିରେ ବି ସକ୍ରୀୟ ରହିଛନ୍ତି। ଚିକିଟି ରାଜା ସଚ୍ଚିଦାନନ୍ଦ ଦେଓ ୧୯୭୧ରେ ଓଡିଶା ଜନ କ˚ଗ୍ରେସରୁ ଚିକିଟି ନିର୍ବାଚନ ମଣ୍ତଳୀରୁ ଲଢି ବିଜୟୀ ହୋଇଥିଲେ। ଏହାପରେ ୧୯୭୪ରେ କ˚ଗ୍ରେସରୁ ଏହି ଆସନରୁ ଲଢି ବିଜୟୀ ହୋଇଥିଲେ। ୧୯୮୫ରେ ତାଙ୍କ ପୁତ୍ରବଧୂ ଉଷାଦେବୀ ରାଜନୀତିରେ ପାଦ ଥାପିଥିଲେ। କିନ୍ତୁ ପ୍ରଥମେ ତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଥିଲା।

୧୯୮୫ରେ ଜନତା ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। କିନ୍ତୁ ୧୯୯୦ରେ ସେ ଜନତା ଦଳରୁ ଏହି ନିର୍ବାଚନ ମଣ୍ତଳୀରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଏହାପରେ ୨୦୦୦ ମସିହାରୁ ବିଜେଡିରୁ ପ୍ରାର୍ଥୀ ହୋଇ କ୍ରମାଗତ ଭାବେ ଏହି ନିର୍ବାଚନମଣ୍ତଳୀରୁ ଜିତି ଆସୁଛନ୍ତି।

ସମ୍ବନ୍ଧିତ ଖବର