ଗଞ୍ଜାମରେ କରୋନା ରାଜନୀତି : ବିଧାୟକ, ସାଂସଦଙ୍କ ଚିଠି ନେଇ ଚର୍ଚ୍ଚା

ବ୍ରହ୍ମପୁର : କରୋନା ମୁକାବିଲା ଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେଶାସକ ଦଳର ସାଂସଦ ଓ ବିଧାୟକଙ୍କ ଚିଠି ଓ ତେର୍‌ଛା ବାଣ ଜିଲ୍ଲା ପ୍ରଶାସନକୁ ଅଡ଼ୁଆରେ ପକାଇଛି। ଏହାକୁ ନେଇ ରାଜନୀତି ବି ସରଗରମ।

ମାର୍ଚ୍ଚ ମାସରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ କରୋନା ମୁକାବିଲାରେ ଲାଗି ପଡ଼ିଛି। ଏପ୍ରିଲ ୨୮ତାରିଖ ପରେ ଜିଲ୍ଲାକୁ ପ୍ରବାସୀ ଓଡ଼ିଆମାନେ ଆସିବା ପରେ ପ୍ରତିଦିନ ଜିଲ୍ଲାର ଚିତ୍ର ବଦଳି ଚାଲିଛି। ୯ତାରିଖରେ ୫-ଟି ସଚିବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାର କରୋନା ସ୍ଥିତିର ସମୀକ୍ଷା କରିଥିଲେ। ଜିଲ୍ଲାର ସରପଞ୍ଚମାନଙ୍କ ସହ ଆଲୋଚନା କରିଥିଲେ। ଆଶ୍ବାସନା ଦେଇ କହିଥିଲେ- ମୁଁ ସାଙ୍ଗରେ ଅଛି, ଧୈର୍ଯ୍ୟର ସହ ମୁକାବିଲା କରିବା। ଠିକ୍ ଏହା ପର ଦିନ ଜିଲ୍ଲାପାଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାର ସମସ୍ତ ସାଂସଦ, ବିଧାୟକ, ମନ୍ତ୍ରୀ ଓ ବାଚସ୍ପତିଙ୍କ ସହ ଆଲୋଚନା କରିବା ସହ ସହ‌ଯୋଗ ଲୋଡ଼ିଥିଲେ। ଆଗକୁ ଆହୁରି ୨ଲକ୍ଷ ପ୍ରବାସୀ ଓଡ଼ିଆ ଆସିବାକୁ ଥିବା ବେଳେ ସେମାନଙ୍କ ପାଇଁ ବ୍ୟବସ୍ଥା କରିବା ଜିଲ୍ଲା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା।

ଏଭଳି ସ୍ଥିତିରେ ଦୀର୍ଘ ୨ ମାସ ହେଲା ଚୁପ୍‌ ରହିଥିବା ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଓ ଆସିକା ସାଂସଦ ପ୍ରମିଳା ବି‌ଷୋୟୀ ହଠାତ୍‌ ଚିଠି ଲେଖିଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗତ ୧୨ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜିଲ୍ଲାର ଖାଲି ଥିବା ସମସ୍ତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ପଦ ପୂରଣ କରିବା ସହ କରୋନା ପରୀକ୍ଷା ଲାଗି ଜିଲ୍ଲାରେ ଅଧିକ ଟେଷ୍ଟିଂ ସେଣ୍ଟର୍‌ ଖୋଲିବାକୁ ଅନୁରୋଧ କରିଥିଲେ। ସଙ୍ଗରୋଧ କେନ୍ଦ୍ର ପରିଚାଳନାରେ ସ୍ଥାନୀୟ ବିଧାୟକଙ୍କୁ ସାମିଲ କରି ପ୍ରଶାସନ କାର୍ଯ୍ୟ କରୁ ବୋଲି ସେ ଅନୁରୋଧ କରିଥିଲେ। ଏଥି ସହ ସଂସଦୀୟ କ୍ଷେତ୍ର ଓ ଏହା ଅଧୀନ ବିଧାନସଭା କ୍ଷେତ୍ରକୁ ନେଇ ଗୋଟିଏ ଗୋଟିଏ କୋଭିଡ୍‌ ପରିଚାଳନା କମିଟି ଗଠନ କରାଯିବାକୁ ସେ ପ୍ରସ୍ତାବ ଦେଇଥିଲେ। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ତତ୍ତ୍ବାବଧାନ ଦାୟିତ୍ବ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଆସିକା ସଂସଦୀୟ କ୍ଷେତ୍ର ଲାଗି ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଦାୟିତ୍ବ ଦେବାକୁ ସେ ମତ ରଖିଥିଲେ ।

ଏହି ଚିଠିରୁ ପରୋକ୍ଷରେ ବୁଝାଯାଉଛି ଯେ, ଜିଲ୍ଲାର ବିଧାୟକ ଓ ସାଂସଦଙ୍କୁ କରୋନା ମୁକାବିଲାରେ ପ୍ରଶାସନ ଆଦୌ ଗୁରୁତ୍ବ ଦେଉନାହିଁ। ଜିଲ୍ଲାରେ ଲୋକ ପ୍ରତିନିଧିଙ୍କ ଯେମିତି କୌଣସି ଭୂମିକା ନାହିଁ। ଶାସକ ଦଳ ବିଧାୟକଙ୍କ ଏହି ଚିଠି ପରେ ବିରୋଧୀ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା। ବିଜେପି ନେତା ଭୃଗୁ ବକ୍ସିପାତ୍ର ଗଣମାଧ୍ୟମକୁ କହିଥି‌ଲେ ଯେ, କରୋନା ମୁକାବିଲାରେ ସମସ୍ତ ଲୋକ ପ୍ରତିନିଧିଙ୍କୁ ସାମିଲ କରିବା ଲାଗି ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ କରୋନା ମୁକାବିଲା ଦିଗରେ ରାଜ୍ୟ ସରକାର ଜମାରୁ ସମ୍ବେଦନଶୀଳ ନୁହନ୍ତି ।

ଅନ୍ୟପକ୍ଷରେ ଗୋପାଳପୁର ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାର ଦିନକ ପରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ଆସିକା ସାଂସଦ ପ୍ରମିଳା ବିଷୋୟୀ ମଧ୍ୟ ବ୍ୟବସ୍ଥା ଆଡ଼କୁ ଅଙ୍ଗୁଳି ନିର୍ଦେଶ କରିଛନ୍ତି। ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବାହାର ରାଜ୍ୟରେ ଲକ୍ଷାଧିକ ପ୍ରବାସୀ ଓଡ଼ିଆଙ୍କୁ ଟ୍ରେନ୍‌ ଯୋଗେ ଫେରାଇ ଆଣିବା, ଏବଂ କାମଧନ୍ଦା ହରାଇ ସେମାନେ ଦୁର୍ଦ୍ଦିନରେ ଅଛନ୍ତି ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେଭଳି ଆସିକା ସାଂସଦ ପ୍ରମିଳା ଗତକାଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଚିଠି ଲେଖି କରୋନା ମୁକାବିଲାକୁ ସଫଳ କରିବା ପାଇଁ ୭ଟି ପ୍ରସ୍ତାବ ଦେଇଛନ୍ତି। ଜିଲ୍ଲାରେ କରା ଯାଇଥିବା ସଙ୍ଗରୋଧ କେନ୍ଦ୍ର ସଂଖ୍ୟା ପର୍ଯ୍ୟାପ୍ତ ନୁହେଁ ବୋଲି ସେ ଉଦ୍‌ବେଗ ପ୍ରକାଶ କରିବା ସହ କ୍ୱାରାଣ୍ଟିନ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ପରିବହନ କ୍ଷମତା ଓ ଶୌଚାଳୟ ନଥିବା, ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ମୁତୟନ, ଅଧିକ ନମୁନା ପରୀକ୍ଷା, କ୍ୱାରାଣ୍ଟିନରେ ରହୁଥିବା ଲୋକଙ୍କୁ ମାନସିକ ଭାବେ ଫିଟ୍ ରଖିବା ପାଇଁ ଯୋଗ ଓ ମନୋରଞ୍ଜନ ବ୍ୟବସ୍ଥା, କ୍ୱାରାଣ୍ଟିନ କେନ୍ଦ୍ର ଓ ପ୍ରବାସୀ ଶ୍ରମିକଙ୍କ ଉପରେ ନଜର ରଖି ପ୍ରଶାସନକୁ ରିପୋର୍ଟ ଦେବାକୁ ଗାଁର ଯୁବକମାନଙ୍କୁ ପାରିଶ୍ରମିକ ଦେଇ ମୁତୟନ ଆଦି ନିମନ୍ତେ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି ପ୍ରମିଳା।

ସମ୍ବନ୍ଧିତ ଖବର