ସକ୍ରିୟ ରୋଗୀଙ୍କ ତାଲିକାରେ ୫କୁ ଖସିଲା ଗଞ୍ଜାମ

ଭୁବନେଶ୍ୱର : ଗତକାଲି ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ତାଲିକାରେ ଆଗରେ ରହିଥିଲା ଗଞ୍ଜାମ। ଗତ ୨୪ଘଣ୍ଟାରେ ଖୋର୍ଧା ସଂକ୍ରମଣରେ ଗଞ୍ଜାମକୁ ଟପି ଯାଇଛି। ଅପରପକ୍ଷରେ ସକ୍ରିୟ ରୋଗୀଙ୍କ ତାଲିକାରେ ଗଞ୍ଜାମ ପଞ୍ଚମ ସ୍ଥାନକୁ ଖସି ଆସିଛି। ଲଗାତାର ଭାବେ ଗଞ୍ଜାମରୁ କରୋନା ରୋଗୀ ସୁସ୍ଥ ହେବା ଫଳରେ ଜିଲ୍ଲାରେ ହଜାରେରୁ କମ୍ ସକ୍ରିୟ ରୋଗୀ ରହିଛନ୍ତି। ରାଜ୍ୟର ସର୍ବାଧିକ ସକ୍ରିୟ ରୋଗୀ ଖୋର୍ଧାରେ ରହିଛନ୍ତି। ଖୋର୍ଧାରେ ଆଜି ୫୧୧ଜଣ ସୁସ୍ଥ ହୋଇଥିଲେ ‌ହେଁ, ଏବେ ବି ୬୩୪୬ ରୋଗୀ ଚିକିତ୍ସିତ ହେଉଛନ୍ତି। ଖୋର୍ଧା ତଳକୁ ରହିଛି କଟକ ଜିଲ୍ଲା। ଏଠାରେ ୨୯୯୩ ରୋଗୀ, ମୟୂରଭଞ୍ଜରେ ୧୭୪୦, ବରଗଡ଼ ୧୧୬୨ ଓ ଗଞ୍ଜାମରେ ୯୭୮ଜଣ ରହିଛନ୍ତି। ଗଞ୍ଜାମ ତଳକୁ ପୁରୀରେ ୯୫୧ ଓ ବାଲେଶ୍ବରରେ ୯୦୨ଜଣ ଚିକିତ୍ସିତ ହେଉଛନ୍ତି।

ଅପରପକ୍ଷରେ ଗଞ୍ଜାମରେ କରୋନା ରୋଗୀଙ୍କ ସୁସ୍ଥ ହାର ୯୨.୪ ପ୍ରତିଶତ ରହିଛି। ଯାହାକି ରାଜ୍ୟର ସୁସ୍ଥ ହାର ତୁଳନାରେ ଯଥେଷ୍ଟ ଅଧିକ। ତେଣୁ ଜିଲ୍ଲାରେ ଗତ ଜୁଲାଇ ଓ ଅଗଷ୍ଟ ମାସରେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିଲେ ‌ହେଁ, ସେହି ଅନୁଯାୟୀ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ିଥିଲା। ଏହାବାଦ୍ କଟକରେ ୬୭ ପ୍ରତିଶତ, ମୟୂରଭଞ୍ଜରେ ୫୭.୭ ପ୍ରତିଶତ, ବରଗଡ଼ରେ ୫୫ ପ୍ରତିଶତ, ପୁରୀରେ ୭୫ ପ୍ରତିଶତ ଓ ବାଲେଶ୍ବରରେ ଏହା ୭୭ ପ୍ରତିଶତ ରହିଛି। ମାତ୍ର ଖୋର୍ଧା ଜିଲ୍ଲାରେ ଏହାର ସାଢ଼େ ୬୫ ପ୍ରତିଶତ ରହିଛି। ରାଜଧାନୀ ଭୁବନେଶ୍ବରରେ ଖୋର୍ଧା ଜିଲ୍ଲା ତୁଳନାରେ ସୁସ୍ଥ ହାର କମ୍ ରହିଥିବା ଜଣାପଡ଼ିଛି। ଏପରିକି ଭୁବନେଶ୍ବରରେ ଚଳିତ ମାସ ୧୫ତାରିଖ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୫ହଜାରକୁ ବୃଦ୍ଧି ପାଇବ ବୋଲି ବିଏମ୍‌ସି କମିସନର କହିଛନ୍ତି। ରାଜଧାନୀରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢ଼ିବା କାରଣରୁ ୯୮ ପ୍ରତିଶତ ପର୍ଯ୍ୟନ୍ତ ଆଇସିୟୁ ଶଯ୍ୟା ଭର୍ତି ହୋଇ ସାରିଥିବା ତଥ୍ୟ କିଛିଦିନ ତଳେ ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର