ଗଞ୍ଜାମରେ ସୁସ୍ଥହାର ରେକର୍ଡ, ତଥାପି ସ୍ଥିତି ଜଟିଳ

ବ୍ରହ୍ମପୁର/ଛତ୍ରପୁର/ପାତ୍ରପୁର : ଗଞ୍ଜାମ ଜିଲ୍ଳାରେ କରୋନା ସଂକ୍ରମଣ ଜଟିଳ ସ୍ଥିତିରେ। କେତେବେଳେ ଜିଲ୍ଲାରେ ରେକର୍ଡ଼ ସଂଖ୍ୟକ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି, କେତେବ‌େଳେ ସୁସ୍ଥହାର ବି ରେକର୍ଡ଼ କରୁଛି। କରୋନା ମୁକାବିଲା କ୍ଷେତ୍ରରେ ଗଞ୍ଜାମବାସୀଙ୍କ ଲାଗି ଆଜି ଆସିଛି ଏକ ଭଲ ଖବର। ଗତ ମେ’ ୨ତାରିଖରେ ଜିଲ୍ଲାରେ କରୋନା ଖାତା ଖୋଲିଥିଲା। ଏହି ଏକ ମାସ ୮ ଦିନ ମଧ୍ୟରେ ଆଜି ଦ୍ବିତୀୟ ଥର ଲାଗି ଜିଲ୍ଲାରେ ନୂତନ କରୋନା ପଜିଟିଭ ଶୂନ ରହିଥିଲା। ଅନ୍ୟପକ୍ଷରେ ଆଜି ରାଜ୍ୟରେ ୧୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସେଥିମଧ୍ୟରୁ ଗଞ୍ଜାମର ୫୭ଜଣ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଜରିଆରେ ସୂଚନା ଦିଆଯାଇଛି। ପୂର୍ବରୁ ଜିଲ୍ଲାରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇ ନ ଥିଲେ। ଗଞ୍ଜାମ ଜିଲ୍ଲାରେ ଅଦ୍ୟାବଧି ସମୁଦାୟ ସମୁଦାୟ ୬୪୯ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଆଜି ସୁଦ୍ଧା ୪୯୮ଜଣ ସୁସ୍ଥ ହୋଇଥିବା ବେଳେ ୪ଜଣ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୧୪୭ ଆକ୍ଟିଭ ମାମଲା ରହିଛି।

ଅନ୍ୟପକ୍ଷରେ ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ଼୍‌-୧୯ ହସ୍‌ପିଟାଲରେ ଚିକିତ୍ସାଧୀନ ଜଣେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ମୃତ୍ୟୁ ଘଟିଛି। ଛତ୍ରପୁର ବ୍ଲକ୍‌ ସୁନ୍ଦରପୁର ପଞ୍ଚାୟତ ଅର୍ଜୁନପଲ୍ଲୀ ଗ୍ରା‌ମର ସୁରେନ୍ଦ୍ର କୁମାର ସାହୁ (୫୫) ଗତ ୨ତାରିଖରେ ସ୍ତ୍ରୀ ଓ ଦୁଇ ଝିଅ ସହିତ ଏକ ଟ୍ୟାକ୍ସି ଯୋଗେ ପଶ୍ଚିମବଙ୍ଗରୁ ଫେରି ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ସୁରେନ୍ଦ୍ର ସେତେବେଳେ ଅସୁସ୍ଥ ଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଶୀତଳାପଲ୍ଲୀ କୋଭିଡ୍‌ କେୟାର ସେଣ୍ଟର ନିଆ ଯାଇଥିଲା। ତାଙ୍କ ପତ୍ନୀ ଓ ୨ ଝିଅ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଆଜି ଭୋର ୩ଟା ବେଳେ କୋଭିଡ଼୍‌-୧୯ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ସୁନ୍ଦରପୁର ସରପଞ୍ଚ ସସ୍ମିତା ମହାକୁଡ଼ ସୂଚନା ଦେଇଛନ୍ତି।

କୋଭିଡ଼୍‌-୧୯ ହସ୍‌ପିଟାଲରେ ପାତ୍ରପୁର ଅଞ୍ଚଳରେ ଜଣେ ମହିଳା ଗତକାଲି ରାତିରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ପାତ୍ରପୁର ବ୍ଲକ୍‌ ସାମନ୍ତିଆପଲ୍ଲୀ ପଞ୍ଚାୟତ ବଣସୋଳା ଗାଁର ଉକ୍ତ ଗର୍ଭବତୀଙ୍କ ସମେତ ପରିବାରର ୪ଜଣ ସଦସ୍ୟ ଗତ କିଛି ଦିନ ତଳେ ଚେନ୍ନାଇରୁ ଫେରିଥିଲେ। ପାତ୍ରପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ସମସ୍ତେ ସଙ୍ଗରୋଧରେ ଥିଲେ। ଗତକାଲି ମହିଳା ଜଣକ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଶୀତଳାପଲ୍ଲୀ କୋଭିଡ଼୍‌-୧୯ ହସ୍‌ପିଟାଲରେ ଭର୍ତ୍ତି କରା ଯାଇଥିଲା। ରାତିରେ ସେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ମାଆ ଓ ଶିଶୁ ଉଭୟେ ସୁସ୍ଥ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର