ବ୍ରହ୍ମପୁର ସିଟି ହସ୍ପିଟାଲରେ ଖୋଲିବ ୨୦ ଶଯ୍ୟା ବିଶିଷ୍ଟ ପ୍ରସୂତି ବିଭାଗ, ଟାଟା କୋଭିଡ ହସ୍ପିଟାଲରେ ଲାଗିବ ସିସିଟିଭି

ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଓ ସ୍ବାସ୍ଥ୍ୟସେବାର ସମୀକ୍ଷା କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଛତ୍ରପୁର/ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ସ୍ଥିତ ଟାଟା-କୋଭିଡ଼୍‌-୧୯ ହସ୍ପିଟାଲରେ ରୋଗୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳୁ ନ ଥିବା ବାରମ୍ବାର ଅଭିଯୋଗ ଆସିବା ପରେ ସେଥିରେ ସୁଧାର ଆଣିବା ଲାଗି ପଦକ୍ଷେପ ନିଆଯାଇଛି। ଏହି ହସ୍ପିଟାଲ୍‌ର ଶୌଚାଳୟ ବ୍ୟତୀତ ଅନ୍ୟ ସବୁ ଅଞ୍ଚଳରେ ସିସିଟିଭି ଲଗାଯିବାକୁ ସ୍ଥିର ହୋଇଛି। ହସ୍ପିଟାଲକୁ ବର୍ତ୍ତମାନ ହାଇଟେକ୍ ଗ୍ରୁପ୍ ସମ୍ପୂର୍ଣ୍ଣ ପରିଚାଳନା କରିବ। ଏହି ସଂସ୍ଥା ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ ଚଳାଉଥିବାରୁ ରାଜ୍ୟ ସରକାର ପ୍ରତି ୧୫ଦିନରେ ୧୫ଜଣ ଲେଖାଏଁ ଡାକ୍ତର ଯୋଗାଇବେ। ଉକ୍ତ ସଂସ୍ଥା ୧୦ଜଣ ଡାକ୍ତର ନିଯୁକ୍ତ କରିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ୟ୍ୟ କରୁଥିବା ଷ୍ଟାଫ୍ ନର୍ସ ମାନେ ବର୍ତ୍ତମାନ କାର୍ୟ୍ୟ କରିବେ। ପରିଚାଳନା ସଂସ୍ଥା ୩ଟି ସିଫ୍ଟ ଲାଗି ଷ୍ଟାଫ୍‌ ନର୍ସ ଆଣିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ୟ୍ୟରତ ଷ୍ଟାଫ୍‌ନର୍ସଙ୍କୁ କାର୍ଯ୍ୟରୁ  ଅବ୍ୟାହତି ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ କରୋନା ସ୍ଥିତି ଓ ସ୍ବାସ୍ଥ୍ୟସେବାର ସମୀକ୍ଷା କରିଛନ୍ତି। ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସିଟି ହସ୍ପିଟାଲର ସ୍ତ୍ରୀ ଓ ପ୍ରସ୍ତୂତି ବିଭାଗ ବନ୍ଦ ରହିଥିଲା। ଆସନ୍ତା ୨ଦିନ ମଧ୍ୟରେ ଏଠାରେ ୨୦ ଶଯ୍ୟା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ କାର୍ୟ୍ୟକ୍ଷମ ହେବ। ଯେଉଁ ଗର୍ଭବତୀଙ୍କ ସାଧାରଣ ଭାବେ ପ୍ରସବ ହୋଇପାରିବ, ସେମାନଙ୍କୁ ଏଠି ରଖି ଚିକିତ୍ସା କରାଯିବ। ଅଶ୍ବିନୀ କୋଭିଡ଼୍‌-୧୯ ହସ୍‌ପିଟାଲ୍‌ରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ନାହିଁ। ତେଣୁ ଅଶ୍ବିନୀ ହସ୍ପିଟାଲକୁ ଆସୁଥିବା ପ୍ରସୂତି ରୋଗୀଙ୍କୁ ଏମ୍‌କେସିଜି ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯିବ। ଅଶ୍ବିନୀ ହସ୍ପିଟାଲରେ ଆଜି ଠାରୁ ରୋଗୀ ଆଡ଼୍‌ମିସନ୍ ଆରମ୍ଭ ହୋଇଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ଅବଗତ କରାଯାଇଛି ‌ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆହୁରି କହିଥିଲେ ଯେ, ଗଞ୍ଜାମ ଜିଲ୍ଲା ସକାଶେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଦୃଷ୍ଟି ରହିଛି। ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କରି କରୋନା ସଂକ୍ରମଣକୁ ରୋକିବା ଲାଗି ପ୍ରୟାସ ଚାଲିଛି। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କୋଭିଡ୍ ପରିଚାଳନାଗତ ସମସ୍ୟା ଗୁଡ଼ିକ ସଂକ୍ରାନ୍ତରେ ସଚିବଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଜିଲ୍ଲାକୁ ଅଧିକ ସଂଖ୍ୟକ ପ୍ରବାସୀ ଆସିଥିବା ଯୋଗୁଁ ସଂକ୍ରମଣ ସଂଖ୍ୟା ଅଧିକ ରହିଛି। ଗତ ସପ୍ତାହ ଠାରୁ ସଂକ୍ରମିତ ବ୍ୟକ୍ତି ଅଧିକ ସଂଖ୍ୟାରେ ଆରୋଗ୍ୟ ଲାଭ କରୁଛନ୍ତି। ଆସିଏମ୍‌ଆର ଗାଇଡ୍‌ଲାଇନ୍ ଅନୁଯାୟୀ ସେମାନଙ୍କୁ ଡିସ୍‌ଚାର୍ଜ କରାଯାଉଛି।

ଅଶ୍ବିନୀ ଗ୍ରୁପ୍ ଅଫ୍‌ ହସ୍ପିଟାଲର ଚେୟାରମ୍ୟାନ୍‌ ସୁବ୍ରତ ଜେନା କହିଛନ୍ତି, ଏମ୍‌କେସିଜି କୋଭିଡ଼୍‌-୧୯ ହସ୍ପିଟାଲ, ଟାଟା କୋଭିଡ଼୍‌-୧୯ ହସ୍ପିଟାଲ ଓ ଅଶ୍ବିନୀ କୋଭିଡ଼୍‌-୧୯ ହସ୍ପିଟାଲ ମଧ୍ୟରେ ସମନ୍ବୟ ରଖି କାର୍ୟ୍ୟ କରି ରୋଗୀଙ୍କ ଉପଯୁକ୍ତ ସେବା ଯୋଗାଇବା ଉପରେ ବୈଠକରେ ଆଲୋଚନା ହୋଇଛି। ଆଜି ସନ୍ଧ୍ୟାରୁ ଅଶ୍ବିନୀ କୋଭିଡ଼୍‌ ହସ୍ପିଟାଲ କାର୍ୟ୍ୟକ୍ଷମ ହେବ।
ହାଇଟେକ୍‌ ଗ୍ରୁପ୍ ଅଫ୍ ମେଡ଼ିକାଲ ଚେୟାରମ୍ୟାନ୍ ଡ.ତିରୁପତି ପାଣିଗ୍ରାହୀ କହିଥିଲେ ଯେ, ଗତ ୨୪ତାରିଖ ଠାରୁ ଟାଟା କୋଭିଡ଼୍‌-୧୯ ହସ୍ପିଟାଲର ଦାୟିତ୍ବ ନେଇଛୁ। ଏହି ୧୦ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି ଏବଂ ଅଧିକ ପରିମାଣରେ ସୁସ୍ଥ ହୋଇ ଡିସ୍‌ଚାର୍ଜ ହେଉଛନ୍ତି। ଆଇସିୟୁ ଓ ଜେନେରାଲ୍ ୱାର୍ଡରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ। ଏଣିକି ରୋଗୀ ଗୁରୁତର ନ ହେବା ଆଗରୁ ପ୍ଲାଜ୍‌ମା ଥେରାପି ଦିଆଯିବ।

ସେହିପରି କୋଭିଡ୍ କାର୍ୟ୍ୟରେ ନିୟୋଜିତ ଡାକ୍ତର ଓ ନର୍ସ ମାନଙ୍କୁ ୭ ଦିନ ଅନ୍ତରରେ ନିୟୋଜିତ କରିବା, ଉତ୍ତମ ଖାଦ୍ୟ, ହସ୍ପିଟାଲରେ ସଫେଇ କାମକୁ ଠିକ୍ ଭାବେ ପରିଚାଳନା ଉପରେ ଆଲୋଚନା ହୋଇଥିଲା। ସେହିପରି କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଗୋଟିଏ ହ୍ବାଟ୍‌ସ୍‌ଆପ୍ ଗ୍ରୁପ୍ ଗଠନ କରାଯିବ। ଯଦ୍ବାରା ସଂକ୍ରମିତଙ୍କ ସ୍ଥାନାନ୍ତର ପ୍ରକ୍ରିୟାକୁ ସୁଦୃଢ଼ କରାଯାଇପାରିବ।
ଅନ୍ୟପକ୍ଷରେ ଏହି ଘଡ଼ିସନ୍ଧି ସମୟରେ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନରେ କୌଣସି ଡାକ୍ତର କିମ୍ବା ପାରାମେଡ଼ିକାଲ୍ ଷ୍ଟାଫ୍ ଅବହେଳା କଲେ ତୁରନ୍ତ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ୧୦୮ ଆମ୍ବୁଲାନ୍ସ କୋଭିଡ଼୍‌ ଓ ସନ୍ଦିଗ୍ଧ କୋଭିଡ଼୍‌ ରୋଗୀଙ୍କୁ ନେବା ଲାଗି ବାଧ୍ୟ। ଏହାକୁ ଉଲ୍ଲଂଘନ କଲେ କାଡ଼ କାର୍ୟ୍ୟାନୁଷ୍ଠାନ ହେବ। ସେହିପରି କୋଭିଡ୍ ହସ୍ପିଟାଲରେ ରୋଗୀ ପହଞ୍ଚିବା କ୍ଷଣି ଆନୁଷଙ୍ଗିକ ପ୍ରକ୍ରିୟାକୁ ଅଧିକ ଗୁରୁତ୍ବ ନଦେଇ ପ୍ରଥମେ ୫ ମିନିଟ୍ ମଧ୍ୟରେ ତାଙ୍କୁ ଶଯ୍ୟା ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଡିଏମ୍‌ଇଟି ଡାକ୍ତର ସି.ବି.କେ ମହାନ୍ତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୋଲ୍ ପଟଓ୍ବାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମାଶଙ୍କର ମିଶ୍ର, ଏମ‌୍‌କେସିଜି ମେଡ଼ିକାଲ୍ କଲେଜ ଡିନ୍ ଡା. ଦିପ୍ତୀମୟୀ ତ୍ରିପାଠୀ ଓ ଟାଟା ଏସ୍‌ଇଜେଡ୍‌ ବରିଷ୍ଠ ପରିଚାଳକ ସଞ୍ଜୀବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର