ଭଞ୍ଜନଗର: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ରୋଜଗାରର ପନ୍ଥା ନ ପାଇ ଭିଟାମାଟି ଛାଡ଼ୁଥିବା ଏହି ଦାଦନଙ୍କ ମଧ୍ୟରୁ କାହାର ଶବ ଫେରୁଛି ତ, ଆଉ କିଏ ଅକଥନୀୟ ନିର୍ଯାତନାର ଶିକାର ହୋଇ ସର୍ବସ୍ବ ହରାଉଛି। ରୋଜଗାରିଆ ପୁଅ ଓ ବାପାଙ୍କୁ ହରାଇ ପରିବାରବର୍ଗ ବେସାହାରା ପାଲଟୁଛନ୍ତି। ଗତ ୬ ମାସ ଭିତରେ ଜିଲ୍ଲାର ୨୭ରୁ ଅଧିକ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ହେଲାଣି। ଏହି ଧାରାରେ ପୁଣି ଯୋଡ଼ିହୋଇଛି ଆଉ ଏକ ଦୁଃଖଦ ଘଟଣା। ରୋଜଗାର ପାଇଁ ତାମିଲନାଡ଼ୁ ଯାଇ ଭଞ୍ଜନଗର ବ୍ଲକ୍ ହରିଗଡ଼ ଗ୍ରାମର ଦାମୋଦର ସେଠୀଙ୍କ ପୁଅ ବସନ୍ତ ସେଠୀ (୨୫)ଙ୍କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି।

Advertisment

ବସନ୍ତ ତାମିଲନାଡ଼ୁର କୋଏମ୍ବାଟୁରରେ ରହି ଏକ ନର୍ସରିରେ କାମ କରୁଥିଲେ। ଗତମାସ ୧୮ ତାରିଖ ସକାଳେ ସେ ମେସ୍‌ରୁ ଖାଇବା ନେଇ ବାଇକ୍‌ରେ ଫେରିବା ସମୟରେ ସୁଲୁର୍ ଇଲାକାର ତ୍ରିଚି ରୋଡ୍ ଛକରେ ବସ୍ ଧକ୍କାରେ ଗୁରୁତର ହୋଇଥିଲେ। ସେଠାକାର ଏକ ଘରୋଇ ଡାକ୍ତରଖାନାରେ ବସନ୍ତଙ୍କୁ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଏକମାସ ହେଲା ସେ ଆଇସିୟୁରେ ଜୀବନଯୁଦ୍ଧରେ ଲଢ଼ୁଥିବା ବେଳେ ଗତ ୧୭ ତାରିଖରେ ‌ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
ଏହି ଖବର ପହଞ୍ଚିବା କ୍ଷଣି ବସନ୍ତଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ପରିବାର କହିଲେ, ବାପାମା ଓ ୩ ଭଉଣୀ। ବାପା ଦାମୋଦର ପୂର୍ବରୁ ତାମିଲନାଡୁରେ ରହି କାମ କରୁଥିଲେ। ପାଠପଢ଼ା ସରିବା ପରେ ବସନ୍ତ ବାପାଙ୍କ ସହ ମିଶି ପରିବାରର ପ୍ରତିପୋଷଣ ଦାୟିତ୍ବ ମୁଣ୍ଡାଇବାକୁ ତାମିଲନାଡ଼ୁ ପଳାଇଥିଲେ। ନର୍ସରିର ମାଲିକ ଏକ ଆମ୍ବୁଲାନ୍ସ ସହାୟତାରେ ବସନ୍ତଙ୍କ ମରଶରୀରକୁ ତାଙ୍କ ଭିଟାମାଟିକୁ ପଠାଇବା ବ୍ୟବସ୍ଥା କରିଛନ୍ତି। ଏନେଇ ହରିଗଡ଼ ପଞ୍ଚାୟତ ସମିତିସଭ୍ୟ ପ୍ରତିନିଧି ଚନ୍ଦ୍ରକାନ୍ତ ଗୌଡ଼ ସୂଚନା ଦେଇଛନ୍ତି।