ବ୍ରହ୍ମପୁର : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ରେ ବିକ୍ରି ହେଉଛି ଆନ୍ଧ୍ର ସରକାରଙ୍କ ମାଗଣା କ୍ଷୀର। ଯାହାକୁ ଆନ୍ଧ୍ର ସରକାର ମାଗଣାରେ ନିଜ ରାଜ୍ୟରେ ବିତରଣ କରୁଥିବା ବେଳେ ସୀମା ଡେଇଁ ପଡ଼ୋଶୀ ରାଜ୍ୟକୁ ବିକ୍ରି ପାଇଁ ଆସୁଛି। ‘ସମ୍ବାଦ’ରେ ଏହି ଖବର ପ୍ରକାଶ ପରେ ଏହାକୁ ନେଇ ତମ୍ବିତୋଫାନ ହୋଇଛି। ତେବେ, ଓଡ଼ିଶାର କେତେକ ଅଞ୍ଚଳ କ୍ଷୀର ପାଇଁ ଯେ ଆନ୍ଧ୍ର ଉପରେ ନିର୍ଭରଶୀଳ, ଗଞ୍ଜାମ ଜିଲ୍ଲା ତାହାର ଏକ ଜ୍ବଳନ୍ତ ଉଦାହରଣ। ଏହି ଜିଲ୍ଲା ଆନ୍ଧ୍ରପ୍ରଦେଶର କ୍ଷୀର ଉପରେ ଅତ୍ୟନ୍ତ ନିର୍ଭରଶୀଳ। ଜିଲ୍ଲା ପାଇଁ ଦୈନିକ ୮ଲକ୍ଷ ୮୦ହଜାର ଲିଟର୍ କ୍ଷୀର ଆବଶ୍ୟକତା ରହିଥିବାବେଳେ ମାତ୍ର ୩ଲକ୍ଷ ୩୦ହଜାର ଲିଟର୍ ଉତ୍ପାଦନ ହେଉଛି। ଉତ୍ପାଦିତ କ୍ଷୀର ଜିଲ୍ଲାବାସୀଙ୍କ ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ। ଏଣୁ ଆନ୍ଧ୍ରରୁ ପ୍ରତିଦିନ ହଜାର ହଜାର ଲିଟର୍ କ୍ଷୀର ଗଞ୍ଜାମକୁ ଆସୁଛି ଏବଂ ଜିଲ୍ଲାବାସୀଙ୍କ ଆବଶ୍ୟକତାକୁ ପୂରଣ କରୁଛି।
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ; ଗଞ୍ଜାମ ଜିଲ୍ଲାରେ ପ୍ରାୟ ୮୩ହଜାର ଲୋକଙ୍କ ପାଖରେ ଗାଈ, ମଇଁଷି ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଦୁଗ୍ଧ ଚାଷୀ ନୁହଁନ୍ତି। ଗଞ୍ଜାମ ଜିଲ୍ଲାରେ ଥିବା ଦୁଗ୍ଧ ଚାଷୀଙ୍କ ଠାରୁ ଗଞ୍ଜାମ-ଗଜପତି ଦୁଗ୍ଧ ସମବାୟ ସମିତି ଜରିଆରେ କ୍ଷୀର ସଂଗ୍ରହ ହୋଇ ଓମ୍ଫେଡ୍କୁ ଦିଆଯାଇଥାଏ। ଆଙ୍କୁଶପୁରରେ ଥିବା ଓମ୍ଫେଡ୍ ପ୍ଲାଣ୍ଟ୍କୁ ଜିଲ୍ଲାର ପ୍ରାୟ ସାଢ଼େ ୬ହଜାର ଦୁଗ୍ଧ ଚାଷୀ ଓ ବ୍ୟବସାୟୀ କ୍ଷୀର ଯୋଗାଣ କରିଥାନ୍ତି। ଏବେ ଦୈନିକ ମାତ୍ର ୬ରୁ ୭ହଜାର ଲିଟର୍ କ୍ଷୀର ସଂଗ୍ରହ ହେଉଛି। ଫେବ୍ରୁଆରି ପରେ ଏହାର ପରିମାଣ ବଢ଼ିଥାଏ। ବର୍ତ୍ତମାନ ଧାନ ଅମଳ ଚାଲିଥିବାରୁ ଚାଷୀ ଗାଈ-ଗୋରୁଙ୍କୁ ଗୁହାଳରେ ବାନ୍ଧି ରଖିଥା’ନ୍ତି। ଏଣୁ ସେମାନଙ୍କୁ ଖାଦ୍ୟ କମ୍ ମିଳିଥାଏ ଏବଂ ସେମାନଙ୍କ କ୍ଷୀର ଦେବା କ୍ଷମତା କମିଥାଏ ବୋଲି ଜଣେ ଚାଷୀ କହିଛନ୍ତି। ଅନ୍ୟପଟେ ଆଙ୍କୁଶପୁରରେ ଥିବା ଓମ୍ଫେଡ୍ ପ୍ଲାଣ୍ଟ୍ରୁ ଦୈନିକ ୩୦/୩୨ହଜାର ଲିଟର୍ କ୍ଷୀର ପ୍ୟାକେଟ୍ ବଜାରକୁ ଛଡ଼ାଯାଇଥାଏ। ପ୍ଲାଣ୍ଟ୍କୁ ମାତ୍ର ୬/୭ହଜାର ଲିଟର୍ ଆସୁଥିବା ବେଳେ ବଳକା କ୍ଷୀର କଟକ ପ୍ଲାଣ୍ଟ୍ରୁ ଅଣାଯାଇଥାଏ ବୋଲି ସୂଚନା ମିଳିଛି।
/sambad/media/post_attachments/wp-content/uploads/2021/06/milk.jpeg)
ଗଞ୍ଜାମ ଜିଲ୍ଲାକୁ ଦୈନିକ ୮ଲକ୍ଷ ୮୦ହଜାର ଲିଟର୍ କ୍ଷୀର ଆବଶ୍ୟକତା ପଡ଼ୁଥିବା ବେଳେ ଉତ୍ପାଦନ ପରିମାଣ ୫୦ ପ୍ରତିଶତରୁ କମ୍ ରହିଛି। ଏଣୁ ବଳକା କ୍ଷୀରର ଚାହିଦା ଆନ୍ଧ୍ରରୁ ଭରଣା ହୋଇଥାଏ। ଆନ୍ଧ୍ରରୁ ପ୍ରତିଦିନ ହେରିଟେଜ୍ ଓ ବିଶାଖା କ୍ଷୀର ପ୍ୟାକେଟ୍ ବ୍ରହ୍ମପୁର ଅଣାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ। ସେହିପରି ଭୁବନେଶ୍ବରରୁ କିଛି ପରିମାଣ ପ୍ରଗତି, ମିଲ୍କିମୋ କ୍ଷୀର ପ୍ୟାକେଟ୍ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ଆସୁଥିବା ସୂଚନା ମିଳିଛି। ଆବଶ୍ୟକ ପ୍ରୋତ୍ସାହନ ଓ ଚାଷ ପାଇଁ ସୁବିଧା ସୁଯୋଗ ମିଳୁ ନଥିବାରୁ ଦୁଗ୍ଧ ଚାଷୀ ଏହି କାରବାରରୁ ମୁହଁ ଫେରାଇ ନେଉଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ଏଣୁ ଦୁଗ୍ଧ ଚାଷୀଙ୍କ ଉନ୍ନତି ସହିତ କ୍ଷୀର ଉତ୍ପାଦନ ବୃଦ୍ଧି କରିବାପାଇଁ ସରକାର ଏଭଳି ଚାଷୀଙ୍କୁ କିଛି ସ୍ବତନ୍ତ୍ର ସୁବିଧା ପ୍ରଦାନ କରିବାକୁ ଦାବି ହୋଇଛି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ବିକାଶ ପାଇଁ ନାନା ଯୋଜନା କରୁଛନ୍ତି। କିନ୍ତୁ ପ୍ରାଣୀ ସମ୍ପଦ ବିଭାଗକୁ ଯେତିକି ଗୁରୁତ୍ବ ଦେବା କଥା ତାହା ଦିଆଯାଉ ନାହିଁ। ଯାହାଫଳରେ, ଆବଶ୍ୟକତା ଅନୁସାରେ ଉତ୍ପାଦନ ହେଉନଥିବାରୁ ଆମକୁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି।