କରୋନା ମୃତ୍ୟୁ ସହ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ୬ଦିନ ପାଇଁ ଗଞ୍ଜାମର ଜାହାଡା ପଞ୍ଚାୟତକୁ କଣ୍ଟେନମେଣ୍ଟ ଘୋଷଣା କଲେ ସରପଞ୍ଚ

ବ୍ରହ୍ମପୁର :  କରୋନା ସଂକ୍ରମଣ ବ୍ୟାପୁ ଥିବାରୁ  ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଜାହାଡା ପଞ୍ଚାୟତକୁ ୬ଦିନ ଲାଗି କଂଟେନମେଂଟ ଜୋନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ସୁଲତା ବେହେରା । ସେ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ଇସ୍ତାହାର ଜାରି କରି ସୂଚନା ଦେଇଛନ୍ତି କି ଗତ ଦୁଇ ଦିନ ମଧ୍ୟରେ ଜାହାଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ କରୋନାରେ ୩ ଜଣଙ୍କର ଜୀବନହାନୀ ଘଟି ଥିବାରୁ ସେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି |

ଉଲ୍ଲେଖଯୋଗ୍ୟ, ଗତକାଲି  କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଧରାକୋଟ ବ୍ଲକ ଉପାଧ୍ୟକ୍ଷ ଭଗବାନ ସ୍ୱାଇଁଙ୍କର ବ୍ରହ୍ମପୁର ବଡ ଡାକ୍ତରଖାନାର ଆଇସୋଲେସନ ୱାର୍ଡରେ ମୃତ୍ୟୁ ଘଟିଥିଲା | ତେବେ ଉପାଧ୍ୟକ୍ଷଙ୍କ ସମେତ କରୋନା ମହାମାରୀରେ ୩ ଜଣଙ୍କ ଜୀବନ ଯାଇଥିବା ନେଇ ସୂଚନା ସରପଞ୍ଚ ସୁଲତା ବେହେରା ଜାରି କରିବା ପରେ ଗଞ୍ଜାମ ଜିଲ୍ଲାପାଳ ଏହାକୁ ଟୁଇଟ୍ କରି ଖଣ୍ଡନ କରିଛନ୍ତି।  କେବଳ ବ୍ଲକ ଉପାଧ୍ୟକ୍ଷଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ। ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ସୂଚନାକୁ ସେ ଗୁଜବ ବୋଲି କହିଛନ୍ତି।

ସୂଚନା ମୁତବକ, ଗଂଜାମ ଜିଲ୍ଲାରେ କରୋନାର ସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । କରୋନାରେ ଗଞ୍ଜାମରେ ଗଡ଼ି ଚାଲିଛି ମୁଣ୍ଡ । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଅନୁରୂପ ଭାବେ ବୃଦ୍ଧିପାରିବାରେ ଲାଗିଛି ।  ବଡ କଥା ହେଉଛି ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫ରେ ପହଞ୍ଚିଥିବା ବେଳେ ୯ ଜଣଙ୍କ ଜୀବନ ଗଲାଣି । ଦିନକୁ ଦିନ ସ୍ଥିତି ବିଗୁଡ଼ୁଥିବାରୁ ବ୍ରହ୍ମପୁର ସହରକୁ ଆଜିଠୁ ୪ ଦିନ ପାଇଁ ସଟଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ।

ସମ୍ବନ୍ଧିତ ଖବର