ସ୍ୱାସ୍ଥ୍ୟ ବିଭାଗର ଚିଠି ପରେ ଗଂଜାମରେ କୋଭିଡ ନିୟମ କଡାକଡି, ବଜାର-ଧର୍ମାନୁଷ୍ଠାନ ଉପରେ ସ୍ୱତନ୍ତ୍ର ନଜର

ବ୍ରହ୍ମପୁର/ଛତ୍ରପୁର: କିଛି ମାସରେ ବ୍ୟବଧାନ ପରେ ଗଞ୍ଜାମକୁ ଫେରିଛି କଟକଣା। ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ଥିଲେ ହେଁ ମହରାଷ୍ଟ୍ର ସମେତ ଦେଶେର କେତେକ ସ୍ଥାନରେ କରୋନା କାୟା ପୁଣି ବଢ଼ିଥିବାରୁ ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ଏହି ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ବତନ୍ତ୍ର ନିୟମାବାଳୀ ଜାରି କରାଯାଇଛି। ସ୍ବଚ୍ଛତା, ସାମଜିକ ଦୂରତା, ମାସ୍କ ବ୍ୟବହାର ଓ ସଚେତନତା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି।

ଜାରି ଗାଇଡ଼୍‌ଲାଇନ୍‌ ଅନୁସାରେ, ଜନଗହଳିପୂର୍ଣ୍ଣ ସ୍ଥାନ ଯଥା ବଜାର, ଧାର୍ମିକ ଅନୁଷ୍ଠାନ ଆଦି ସ୍ଥାନରେ କୋଭିଡ଼୍‌ ନିୟମାବଳୀ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କୋଭିଡ଼୍‌ କଟକଣାକୁ କଡ଼ାକଡ଼ି କରିବା ଲାଗି କୁହାଯାଇଛି। ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତ୍ୟାମୂଳକ। ଅଫିସକୁ ପ୍ରବେଶ ବେଳେ କର୍ମଚାରୀ ପ୍ରବେଶ ପଥରେ ହାତ‌ ଧୋଇବେ କିମ୍ବା ହାତକୁ ସାନିଟାଇଜ କରିବେ। କାର୍ଯ୍ୟାଳୟରେ ସାମଜିକ ଦୂରତା ଅବଲମ୍ବନକୁ ସୁନିଶ୍ଚିତ କରାଇବେ। ବ୍ଲକ ଓ ସହରାଞ୍ଚଳରେ ମାସ୍କ ଚେକିଙ୍ଗ ପଏଣ୍ଟ କରାଯିବ। ସ୍ଥାନୀୟ ଥାନା ଅଧିକାରୀଙ୍କ ସହଯୋଗରେ ତହସିଲଦାର, ବିଡ଼ିଓ ଓ ପୌର ସଂସ୍ଥା ନିର୍ବାହୀ ଅଧିକାରୀମାନେ ସେମାନଙ୍କ ଅଞ୍ଚଳରେ ମାସ୍କ ଚେକ୍‌ ପଏଣ୍ଟ କରି ସେଠାରେ ଚଢଉକୁ ଜୋରଦାର କରିବେ। ନିର୍ଦ୍ଧାରିତ ନିୟମାବଳୀ ଅନୁଯାୟୀ ସ୍ବାବ୍‌ ସଂଗ୍ରହ କରି କୋଭିଡ଼୍‌ ପରୀକ୍ଷା କରାଯିବ। ବିଡ଼ିଓ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ପ୍ରତ୍ୟେହ ସ୍ବାବ୍‌ ସଂଗ୍ରହକୁ ତଦାରଖ କରିବାକୁ ଉପ ଜିଲ୍ଲାପାଳମାନଙ୍କୁ କୁହାଯାଉଛି।

କରୋନା ସଂକ୍ରମିତଙ୍କ ଗସ୍ତ ବିବରଣୀ ଓ ସେମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ବିବରଣୀ ସଂଗ୍ରହ କରିବା ଦିଗରେ ପଦକ୍ଷେପ ନେବା ସହ ସୁନିଶ୍ଚିତ କରାଇବାକୁ ସମ୍ପୃକ୍ତ ଅଞ୍ଚଳର ବିଡ଼ିଓ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ଦିଗ୍ଧ ମାନଙ୍କୁ ପରୀକ୍ଷା କରିବା ନିମନ୍ତେ ତୁରନ୍ତ ଚିହ୍ନଟ କରିବା ଲାଗି ଆଶା, ଅଙ୍ଗନବାଡ଼ି କର୍ମୀ ଓ ମହିଳା ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସମସ୍ତ ସହରାଞ୍ଚଳର ଦୋକାନୀ ଓ ବ୍ୟବସାୟୀ କୋଭିଡ଼୍‌ ନିୟମାବଳୀ ମାନିବା ବାଧ୍ୟତାମୂଳକ। ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବଜାର ଇଲାକାରେ ଥିବା ଦୋକାନ ଗୁଡ଼ିକ ପଞ୍ଚସୂତ୍ର ନିୟମା‌ବଳୀ ମାନିବା ବାଧ୍ୟତାମୂଳକ କରାଯାଇଛି। ବଜାର ଇଲକାରେ ଦୋକାନୀଙ୍କୁ ପ୍ରତି ସହରାଞ୍ଚଳ ସଂସ୍ଥା କୋଭିଡ଼୍‌ ମୁକ୍ତ ପ୍ରମାଣପତ୍ର ଦେବେ। ଘରୋଇ ଓ ସରକାରୀ ବସ୍‌ ଗୁଡ଼ିକରେ କୋଭିଡ଼୍‌ ନିୟମବାଳୀ ମାନିବା ବାଧ୍ୟତା ମୂଳକ। ବସ୍‌ର କର୍ମଚାରୀ ଓ ଯାତ୍ରୀ ସମସ୍ତେ ମାସ୍କ ପିନ୍ଧିବା ବା‌ଧ୍ୟତାମୂଳକ। ଅତ୍ୟଧିକ ଗହଳିକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ। ଚଢଉକୁ ଜୋରଦାର କରିବାକୁ ନି‌ର୍ଦ୍ଦେଶ ଦିଆଯାଇଛି।

ପ୍ରକାଶ ଥାଉ କି, ଗତ ତିନିଦିନ ହେଲା ଗଞ୍ଜାମ ଜିଲ୍ଲା ଗୋଟିଏ ବି କ‌ୋଭିଡ଼୍‌ ପଜିଟିଭ୍‌ ଚିହ୍ନଟ ହୋଇନାହିଁ। ମେ ୨ତାରିଖ ଠାରୁ ଅଦ୍ୟାବଧି ଜିଲ୍ଲାରେ ସମୁଦାୟ ୨୧ହଜାର ୮୯୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୧ହଜାର ୬୩୩ଜଣ ସୁସ୍ଥ ହୋଇଥିବା ବେଳେ ୨୪୮ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ଜିଲ୍ଲାରେ ମାତ୍ର ୨ଜଣ ସଂକ୍ରିୟ ସଂକ୍ରମିତ ରହିଛନ୍ତି। ଜିଲ୍ଲା ଆଜି ସୁଦ୍ଧା ୭ଲକ୍ଷ ୬୮ହଜାର ୬୭୪ଜଣଙ୍କ କୋଭିଡ଼୍‌ ପାରୀକ୍ଷା ହୋଇଛି।

ସମ୍ବନ୍ଧିତ ଖବର