୭୯୯ ରାଜଧାନୀ ଫେରନ୍ତାଙ୍କୁ ନେଇ ପ୍ରଶାସନର ଚିନ୍ତା : ଗଞ୍ଜାମ ଜିଲ୍ଲାର ସବୁ ସୀମା ସିଲ୍‌

ଗ୍ରାମାଞ୍ଚଳକୁ ୬୩୫, ସହରାଞ୍ଚଳକୁ ୧୬୪ ଆସିଛନ୍ତି
ମାଟିଆସାହି ଓ ଲାଲ୍‌ମେଣ୍ଟାରେ ସ୍ବାସ୍ଥ୍ୟ ଟିମ୍‌
ଚଟି ମାଟିଆ ସାହିରେ ବି ପ୍ରଶାସନର ଡେରା

ଛତ୍ରପୁର/ ଚିକିଟି/ରଙ୍ଗେଇଲୁଣ୍ଡା : ରାଜଧାନୀର ତିନିଟି ଇଲାକା କୋଭିଡ଼୍‌-୧୯ ହଟ୍‌ସ୍ପଟ ହେବା ପରେ ସେହି ସ୍ଥାନରୁ ଗଞ୍ଜାମକୁ ଫେରିଥିବା ଲୋକଙ୍କୁ ନେଇ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଯାଇଛି। ଜିଲ୍ଲାର ସମସ୍ତ ସୀମା ସିଲ୍‌ କରା ଯାଇଥିଲେ ସୁଦ୍ଧା ଭୁବନେଶ୍ବର ଏହି ସବୁ ସ୍ଥାନରେ ରହି କାମ କରୁଥିବା ଲୋକମାନେ ଗତ କିଛି ଦିନ ହେଲା ଜିଲ୍ଲାକୁ ଆସିଛନ୍ତି। ଅଦ୍ୟାବଧି ଭୁବନେଶ୍ବରରୁ ଜିଲ୍ଲାକୁ ସମୁଦାୟ ୭୯୯ଜଣ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୬୩୫ଜଣ ଗ୍ରାମାଞ୍ଚଳକୁ ଆସିଥିବା‌ ବେଳେ ସହରାଞ୍ଚଳକୁ ୧୬୪ଜଣ ଆସିଥିବା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅମିୟ କୁମାର ସାହୁ କହିଛନ୍ତି। କୁକୁଡ଼ାଖଣ୍ଡି ବ୍ଲକ୍‌ ବାଘଲଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଟିଆ ସାହିର ୧୩୦ଜଣ ଲୋକ ଗତ ୨୭ତାରିଖରେ ଭୁବନେଶ୍ବରରୁ ନିଜ ଗାଁକୁ ଫେରିଥିଲେ। ଏହା ଜଣାପଡ଼ିବା ପରେ ଉକ୍ତ ଗ୍ରାମକୁ କୋଭିଡ୍‌-୧୯ ହଟ୍‌ସ୍ପଟ୍‌ ଘୋଷଣା କରାଯାଇଛି। ଏଥିସହ ଗାଁକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇଛି। ଉକ୍ତ ଗ୍ରାମର ପ୍ରତି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। କିନ୍ତୁ କୌଣସି ଲୋକଙ୍କ ନିକଟ ଥଣ୍ଡା କାଶ, ଜ୍ବର ଆଦି ଲକ୍ଷଣ ନାହିଁ। ସ୍ବାସ୍ଥ୍ୟଟିମ୍‌ ସେଠାରେ ୨୪ ଘଣ୍ଟା ମୁତୟନ ଅଛନ୍ତି। ଆସନ୍ତାକାଲି ସେମାନଙ୍କ ମଧ୍ୟରୁ ବଛା ବଛା କିଛି ଲୋକଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯିବ ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ କହିଛନ୍ତି। ଦିଗପହଣ୍ଡିର ଫାସିଗୁଡ଼ା, ଚିକିଟିର ନୂଆପଡ଼ା ଓ ପାତ୍ରପୁର ଅଞ୍ଚଳକୁ କିଛି ଲୋକ ଭୁବନେଶ୍ବରରୁ ଆସିଥିବା ମଧ୍ୟ ସୂଚନା ଥିବା ଉପଜିଲ୍ଲାପାଳ କହିଛନ୍ତି।

ଚିକିଟି ବ୍ଲକ୍‌ ଲାଲ୍‌ମେଣ୍ଟା ଗ୍ରାମର ମାଟିଆସାହିକୁ ୬୦ଜଣ ଦାଦନ ଶ୍ରମିକ ଭୁବନେଶ୍ବରରୁ ଫେରିଥିବା ଜିଲ୍ଲା ପ୍ରଶାସନକୁ ସୂଚନା ମିଳିବା ପରେ ତନଘନା ଆରମ୍ଭ ହୋଇଛି। ଚିକିଟି ବିଡିଓ ଫାଲ୍‌ଗୁନୀ ମାଝୀ, ଚିକିଟି ନିର୍ବାହୀ ମାଜିଷ୍ଟ୍ରେଟ୍‌ ଶକ୍ତି ପ୍ରସାଦ ଶ୍ରୀଚନ୍ଦନ, ସିଡିପିଓ ମାଧୁରୀ ପାଢ଼ୀ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପି. ତ୍ରିବେଣୀ, ନୂଆପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସୁନନ୍ଦା ରାଣୀ ମିଶ୍ର, ନୂଆପଡ଼ା ଫାଣ୍ଡି ଅଧିକାରୀ କ୍ଷୀରୋଦ ବେହେରା ପ୍ରମୁଖ ୨୦ ଜଣିଆ ଟିମ୍‌ ମାଟିଆ ସାହିରେ ପହଞ୍ଚି ପ୍ରତି ଘର ବୁଲି ତଥ୍ୟ ସଂଗ୍ରହ କରିଛନ୍ତି। ଲାଲ୍‌ମେଣ୍ଟl ମାଟିଆସାହିକୁ ଫେରିଥିବା ୬୦ ଜଣ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମୁଦାୟ ୩୧୨ଜଣଙ୍କୁ ଚିହ୍ନଟ କରା ଯାଇଥିବା ସୂଚନା ମିଳିଛି। ଏଥିସହ ନାମ ପଞ୍ଜୀକରଣ କରିଥିବା ଲୋକଙ୍କ ନିକଟରେ ଥଣ୍ଡା, କାଶ, ଜ୍ବର ଆଦିର ଲକ୍ଷଣ ଅଛି ନା ନାହିଁ ସେ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିଛନ୍ତି। ବାହାରେ ବୁଲାବୁଲି ନ କରି ଘରେ ହିଁ ରହିବାକୁ ପରାମର୍ଶ ଦେଇଛନ୍ତି। ଗତ କିଛିଦିନ ତଳେ ଭୁବନେଶ୍ବର ବମିଖାଲ ଅଞ୍ଚଳରୁ ମାଟିଆ ସାହିକୁ ଦୁଇ ଜଣ ଫେରିଥିଲେ। ସେମାନଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲେ ସୁଦ୍ଧା ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଇବା ଲାଗି ପ୍ରଶାସନ ଚିନ୍ତା କରୁଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନର ଏହି ଯାଞ୍ଚ ବେଳେ ଗ୍ରାମ ସେବକ ରମେଶ ଚନ୍ଦ୍ର ବିଷୋୟୀ, ସ୍ବେଚ୍ଛାସେବୀ ଜୟନ୍ତ ପ୍ରଧାନ, ସ୍ୱାସ୍ଥ୍ୟ ପରିଦର୍ଶକ ଦୁର୍ଗାପ୍ରସାଦ ପାଣିଗ୍ରାହୀଙ୍କ ସମେତ ଏଏନ୍‌ଏମ୍‌, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସରପଞ୍ଚ କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବ୍ରହ୍ମପୁର ଉପଜିଲ୍ଲାପାଳ ମଧ୍ୟ ଉକ୍ତ ଗ୍ରାମକୁ ଯାଇ ସ୍ଥିତି ପରଖିଛନ୍ତି।

ରଂଗେଇଲୁଣ୍ଡା ବ୍ଲକ ଗୋଳନ୍ଥରା ପଞ୍ଚାୟତ ଅର୍ନ୍ତଗତ ଚଟି ମାଟିଆ ସାହିକୁ ମଧ୍ୟ କେତେଜଣ ଭୁବନେଶ୍ବରରୁ ଫେରିଥିବା ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀ, କନିଷି ତହସିଲଦାର ଓ ଅଙ୍ଗନବାଡ଼ି କର୍ମୀ ଉକ୍ତ ଗ୍ରାମରେ ପହଞ୍ଚି ତଥ୍ୟ ସଂଗ୍ରହ କରିଥିଲେ। ଆସନ୍ତା କାଲି ଏଠାରେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସମସ୍ତଙ୍କୁ ଘରୋଇ ସଂଗରୋଧରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ତେବେ ଏମାନେ ମାର୍ଚ୍ଚ ମାସ ୧୯ ଓ ୨୯ ତାରିଖ ମଧ୍ୟରେ ଭୁବନେଶ୍ବରରୁ ଗାଁକୁ ଫେରିଥିବା ତଦନ୍ତ ବେଳେ ଜଣାପଡ଼ିଛି।

ଅନ୍ୟପକ୍ଷରେ ଭୁବନେଶ୍ବର ଫେରନ୍ତା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ମର୍ମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ଏପରି ବ୍ୟକ୍ତିଙ୍କୁ ଚିହ୍ନଟ କରି ତୁରନ୍ତ ସଙ୍ଗରୋଧରେ ରଖିବା ପାଇଁ କହିଛନ୍ତି। ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ତନଖି ଜୋର୍‌ଦାର୍‌ ଚାଲିଥିବା ସ୍ଥଳେ ଅନ୍ୟାନ୍ୟ କଚ୍ଚା ସଡ଼କ ଉପରେ ନଜର ରଖିବା ପାଇଁ କୁହାଯାଇଛି। ଯେଉଁ ମାନଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବା ପାଇଁ  ଅସୁବିଧା ହେଉଛି ସେମାନଙ୍କୁ ଆନୁଷ୍ଠାନିକ ସଙ୍ଗରୋଧରେ ରଖିବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ଅତ୍ୟାବଶ୍ୟକ ସାମଗ୍ରୀ କାରବାର ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ। ମଧ୍ୟାହ୍ନ ୧୨ଟାଠାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କଟକଣା ବଳବତ୍ତର ରହିବ। ଏ ସମୟ ମଧ୍ୟରେ ବାହାରେ ଦେଖିଲେ ପୁଲିସ୍ ତାଙ୍କୁ ଉଠାଇ ନେଇ ଆନୁଷ୍ଠାନିକ ସଙ୍ଗରୋଧରେ ରଖିବାକୁ ଜିଲ୍ଲାପାଳ କହିଛନ୍ତି। ସାଧାରଣ ବଣ୍ଟନ କାର୍ଯ୍ୟକ୍ରମ ଓ ବିଭିନ୍ନ ଭତ୍ତା ବଣ୍ଟନରେ ସାମାଜିକ ଦୂରତ୍ବ ସୁନିଶ୍ଚିତ କରାଯିବ। କୌଣସି ସ୍ଥାନରେ ବ୍ୟତିକ୍ରମ ହେଲେ ସଂପୃକ୍ତ ବିଡିଓ ଅଥବା ପୌର ନିର୍ବାହୀ ଅଧିକାରୀଙ୍କୁ ଦାୟୀ ରହିବେ। ଜିଲ୍ଲାରେ ପ୍ରତ୍ୟେକ ବ୍ଲକ୍‌ରେ ସ୍ବାସ୍ଥ୍ୟ ବିଭାଗର ରାପିଡ୍ ରେସପନସ୍‌ ଟିମ୍ ଆନୁଷଙ୍ଗିକ ଗାଡ଼ି ଓ ଡାକ୍ତରୀଦଳ ସହିତ ମୁତୟନ ହେବେ। ଗ୍ରାମାଞ୍ଚଳରେ ଏମାନେ ତୁରନ୍ତ ଆବଶ୍ୟକ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବେ ‌ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାପାଳ କହିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ ଓ ଅମିୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚିବ ସମ୍ବିତ ରାଉତ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର