ଆସିକା: ଗଞ୍ଜାମ ଜିଲ୍ଲାର କ୍ରାଇମ୍ କ୍ୟାପିଟାଲ୍ କୁହାଯାଉଥିବା ଆସିକା ସହର ଏବେ ବେଆଇନ୍ ଅସ୍ତ୍ର କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ପୁଣି ପ୍ରମାଣିତ ହୋଇଛି। ଗତବର୍ଷ ନଭେମ୍ବର ୨୯ ତାରିଖରେ ପୁଲିସ ୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାବୁ କରିବା ସହ ସେମାନଙ୍କଠୁ ୧୦ଟି ମାଉଜର୍ ଓ ୫୩ଟି ଗୁଳି ଜବତ କରିଥିଲା। ଅପରାଧୀ ଗ୍ୟାଙ୍ଗ୍ଠୁ ଏତେ ସଂଖ୍ୟାରେ ମାରଣାସ୍ତ୍ର ଜବତ ହେବା ଓଡ଼ିଶା ପୁଲିସ ଇତିହାସରେ ପ୍ରଥମ ଥିଲା। ଏହାର ୪ ମାସ ପରେ ପୁଣି ମାଉଜର୍ ଚାଲାଣ କରୁଥିବା ଜଣେ ଯୁବକଙ୍କୁ ଆସିକା ପୁଲିସ କାବୁ କରି ଗିରଫ କରିଛି। ଗିରଫଜଣକ ହେଉଛନ୍ତି, ଗାଙ୍ଗପୁର ଥାନା ଅଧୀନ ଖଇରପୁଟି ଗ୍ରାମର ଅମୀର କୁମାର ଭୂୟାଁ। ଅମୀରଙ୍କ ପାଖରୁ ଦୁଇଟି ମାଉଜର୍ ଓ ୧୦ଟି ଗୁଳି ସମେତ ଗୋଟିଏ କାର୍ ଜବତ ହୋଇଛି। ଅମୀର ବର୍ତ୍ତମାନ ଗଞ୍ଜାମ ଜିଲ୍ଲା କଂଗ୍ରେସ ପଛୁଆ ବର୍ଗ କମିଟିର ସଭାପତି ଅଛନ୍ତି।
ଗତ ନଭେମ୍ବର ମାସରେ ପୁଲିସ ବହୁ ସଂଖ୍ୟାରେ ମାଉଜର୍ ଓ ଗୁଳି ଜବତ କରିବା ବେଳେ ଅମୀର ପୁଲିସ ସ୍କାନର୍ରେ ଥିଲେ। କିନ୍ତୁ ପୁଲିସ ତାଙ୍କୁ ଗିରଫ କରିପାରୁ ନଥିଲା। ଗତକାଲି ରାତିରେ ଅମୀର କାର୍ (ଓଆର-୦୨-ଏଏଫ୍-୦୯୯୯)ରେ ମାଉଜର୍ ଡିଲ୍ ପାଇଁ ଗାଙ୍ଗପୁରରୁ ଆସିକା ଅଭିମୁଖେ ଆସୁଥିଲେ।
ସୂଚନା ପାଇବା ପରେ ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ପାକେଲାପଲ୍ଲୀ ଛକରେ ଅମୀରଙ୍କ କାର୍କୁ ଅଟକାଇ ଛାନଭିନ୍ କରିଥିଲେ। ଏହି ସମୟରେ ତାଙ୍କ ଅଣ୍ଟିରୁ ଗୋଟିଏ ଓ କାର୍ ଡିକିରୁ ଗୋଟିଏ ମାଉଜର୍ ମିଳିଥିଲା। ଆଜି ତାଙ୍କୁ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ଅମୀର ଭୁବନେଶ୍ବର ନିକଟ ସୁନ୍ଦରପଦାରେ ରହି ପ୍ଲଟ୍ ବ୍ୟବସାୟ କରୁଥିଲେ। ଆଉ ରାଜ୍ୟ ବାହାରୁ ମାଉଜର୍ ଆଣି ଗଞ୍ଜାମ ଜିଲ୍ଲାରେ ବିକ୍ରି କରୁଥିବା ତଦନ୍ତରୁ ଜଣାପଡ଼ିଛି। ତେବେ ଏହି ରାକେଟରେ ଆଉ କିଏ ସଂପୃକ୍ତ ଅଛନ୍ତି , ଗଞ୍ଜାମ ଜିଲ୍ଲାରୁ ମାଉଜର୍ କେଉଁ କେଉଁ ରାଜ୍ୟକୁ ଚାଲାଣ ହେଉଛି ଏବଂ ଅନ୍ୟ କୌଣସି ରାଜନେତାଙ୍କ ଲିଙ୍କ୍ ଏଥିରେ ରହିଛି କି ନାହିଁ, ଏସମସ୍ତ ଦିଗକୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଗଞ୍ଜାମ ଏସ୍.ପି ଠାକୁର ପ୍ରସାଦ ପାତ୍ର, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ।