ବ୍ରହ୍ମପୁର : ଗଂଜାମ ଜିଲ୍ଲା କ୍ରିକେଟ୍ ସଂଘ(ଜିଡିସିଏ)କୁ ବିବାଦ ପିଛା ଛାଡ଼ିବାର ନାଁ ଧରୁନି। ନୂଆ ସଦସ୍ୟ ଗ୍ରହଣକୁ ନେଇ ଗତକାଲି କିଛି ବରିଷ୍ଠ ଖେଳାଳି ପ୍ରତିବାଦ କରିବା ସାମ୍ନାକୁ ଆସିଥିଲା। ‌ପୁଣି ସନ୍ଧ୍ୟାରେ ଜିଡିସିଏର ନିର୍ବାଚନ ପ୍ରକ୍ରିୟା ଓ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଭିନ୍ନ ଭିନ୍ନ ତାଲିକା ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି। ଉଭୟରେ ଜଣେ ନିର୍ବାଚନ ଅଧିକାରୀଙ୍କ ଦସ୍ତଖତ ରହିଛି। କିନ୍ତୁ ଉଭୟ ଚିଠିରେ ସର୍ବସମ୍ମତିକ୍ରମେ ନିର୍ବାଚିତ କର୍ମକର୍ତ୍ତା ତାଲିକାରେ କେବଳ ସଭାପତି ପଦରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ନାମ ଥିବା ବେଳେ ଅନ୍ୟ କର୍ମକର୍ତ୍ତାଙ୍କ ନାମ ଭିନ୍ନ ଭିନ୍ନ ରହିଛି। ଯାହାକି ସଂଘର ନୂଆ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିରୁ ସଂଘରେ ବିବାଦ ତୁଟିନି, ଫାଟ ଜଳଜଳ ଦିଶୁଛି।

Advertisment

ଏବେ ନିର୍ବାଚନ ଓ ଭିନ୍ନ ଭିନ୍ନ କର୍ମକର୍ତ୍ତା ତାଲିକା ଭାଇରାଲ୍‌ ଚର୍ଚ୍ଚାରେ
ଉଭୟ ତାଲିକାରେ ସଭାପତି ବିଧାୟକ, ଆଉ ସମସ୍ତେ ଭିନ୍ନ; କିଏ ଠିକ୍, କିଏ ଭୁଲ?

ଜିଡିସିଏ ପକ୍ଷରୁ ବୈଠକ ଅବା ନିର୍ବାଚନ ହେବା ସମ୍ପର୍କରେ ପୂର୍ବରୁ କୌଣସି ସୂଚନା ନଥିଲା। ଆଜି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସଂଘ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ମିଳିନି। ଏଭଳି ସ୍ଥିତିରେ ଜିଡିସିଏର ଏକ ଲେଟର୍‌ପ୍ୟାଡ୍‌ରେ ଆଉ ଏକ ପତ୍ର ଆସି ପହଁଚିଛି। ସେଥିରେ ଜିଡିସିଏ ପକ୍ଷରୁ ଆସନ୍ତା ୧୪-୧୫ତାରିଖ ଦୁଇ ଦିନ ଧରି କନିଷ୍ଠ ବର୍ଗ ଖେଳାଳିଙ୍କ(୧୪ବର୍ଷରୁ କମ୍‌ ଓ ୧୯ବର୍ଷରୁ କମ୍‌) ଚୟନ ପ୍ରକ୍ରିୟା ଲାଗି ନାମ ପଂଜୀକରଣ ହେବ ବୋଲି ଉଲ୍ଲେଖ ହୋଇଛି। ସଂପାଦକ ତାରିଣୀ ଚରଣ ସାମନ୍ତରାୟଙ୍କ ଦସ୍ତଖତ ରହିଛି। ଏଭଳି ସ୍ଥିତିରେ ଜିଲ୍ଲା କ୍ରିକେଟ୍‌ର ଭବିଷ୍ୟତ ନେଇ ପୁଣି ଥରେ ଅନିଶ୍ଚିତତା ଦେଖାଦେଇଛି।
ତେବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍‌ ହୋଇଥିବା ସଂଘର ନିର୍ବାଚିତ କର୍ମକର୍ତ୍ତାର ଦୁଇଟି ତାଲିକାରେ ସଭାପତି ଭାବେ ବିଧାୟକ ବିକ୍ରମ ପଣ୍ଡାଙ୍କ ନାମ ଥିବାରୁ କେଉଁଠି ଠିକ୍, କେଉଁଠି ଭୁଲ୍, ସେ ନେଇ ବିଧାୟକଙ୍କ ପ୍ରତିକ୍ରିୟା ଲୋଡ଼ିଥିଲୁ। ବିଧାୟକ ଶ୍ରୀ ପଣ୍ଡାଙ୍କ କହିବା ଅନୁଯାୟୀ, ଗତକାଲିର ବୈଠକରେ ସଂଘର ସଭାପତି ପଦ ପାଇଁ ତାଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରିବା ପାଇଁ ମତପ୍ରକାଶ ପାଇଥିଲା। କିନ୍ତୁ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ କିମ୍ବା ଭାଇରାଲ୍‌ ହେଉଥିବା ତାଲିକା ସମ୍ପର୍କରେ ସେ କିଛି କହି ପାରିବେନି ବୋଲି କହିଛନ୍ତି।