ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନା ଅନ୍ତର୍ଗତ କୋଷ୍ଟାଲ୍ ହାଇୱେ ପ୍ରକଳ୍ପରୁ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାକୁ ବାଦ୍ ଦିଆଯାଇଛି। ଓଡ଼ିଶା ଉପକୂଳବର୍ତ୍ତୀ ପ୍ରତ୍ୟେକ ଜିଲ୍ଲାକୁ ସଡ଼କ ଯୋଗେ ସଂଯୋଗ କରିବା ପାଇଁ ଏହି ମେଗା ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପ୍ରକଳ୍ପ ଜରିଆରେ ଗଞ୍ଜାମ ଜିଲ୍ଲାର ଗୋପାଳପୁରରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ୍ ହାଇୱେ ନିର୍ମାଣ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ହେଲେ ପରବର୍ତ୍ତୀ ଡିଟେଲ୍ ପ୍ରୋଜେକ୍ଟ୍ ରିପୋର୍ଟ(ଡିପିଆର୍) ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ୍ ହାଇୱେ ନିର୍ମାଣ କରାଯିବାକୁ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାକୁ ଏଥିରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି। ବିଭିନ୍ନ କାରଣ ଯୋଗୁଁ ଗଞ୍ଜାମ ଜିଲ୍ଲାକୁ ଏଥିରୁ ବାଦ୍ ଦିଆଯାଇଥିବା ନେଇ ଦର୍ଶାଯାଇଛି। ଫଳରେ ଗଞ୍ଜାମ ଜିଲ୍ଲାର ପରିବହନ ଓ ପର୍ଯ୍ୟଟନ ଓ ବନ୍ଦରଭିତ୍ତିକ ଶିଳ୍ପ ବିକାଶକୁ ଏକ ଶକ୍ତ ଧକ୍କା ଲାଗିଛି। ହେଲେ ଏହା ବିରୋଧରେ ଯେଭଳି ସ୍ବର ଉଠିବା କଥା ତାହା ଦେଖାଯାଉ ନାହିଁ। ଏପରିକି ଗଞ୍ଜାମ ଜିଲ୍ଲାର ଜନପ୍ରତିନିଧିମାନେ ମଧ୍ୟ ଏ ଦିଗରେ ଚୁପ୍ ବସିଛନ୍ତି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପରେ ଗଞ୍ଜାମ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବା ପାଇଁ କିଏ ସ୍ବର ଉଠାଇବ ବୋଲି ସାଧାରଣରେ ଆଲୋଚନା ହେଉଛି।
କେନ୍ଦ୍ର ସରକାରଙ୍କ ପ୍ରାଥମିକ ପ୍ରସ୍ତାବରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ୮ହଜାର କୋଟି ଟଙ୍କାରେ ପ୍ରାୟ ୪୫୧କିମି ପର୍ଯ୍ୟନ୍ତ କୋଷ୍ଟାଲ୍ ହାଇୱେ ନିର୍ମାଣ କରିବାକୁ ପ୍ରସ୍ତାବ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଏକ୍ସପର୍ଟ ଆପ୍ରାଇସାଲ୍ କମିଟି(ଇଏସି)ର ପରାମର୍ଶ କ୍ରମେ ଏହାକୁ ୩୮୨କିମିକୁ ହ୍ରାସ କରି ଦିଆ ଯାଇଥିଲା। ଟାଙ୍ଗୀ ଠାରୁ ଆରମ୍ଭ ହୋଇ ବ୍ରହ୍ମଗିରି, ପୁରୀ, କୋଣାର୍କ, ଅସ୍ତରଙ୍ଗ, ପରାଦୀପ ବନ୍ଦର, ଧାମରା, ରତନପୁର ଦେଇ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ୍ ହାଇୱେ ପ୍ରକଳ୍ପ ନିର୍ମାଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ପରେ ଗଞ୍ଜାମ ଜିଲ୍ଲାରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କିନ୍ତୁ ଜନପ୍ରତିନିନିଧିଙ୍କ ଆଡ଼ୁ ପ୍ରତିବାଦର ସ୍ବର ଦେଖିବାକୁ ମିଳୁ ନାହିଁ। ଏହି ପ୍ରକଳ୍ପ ଦ୍ବାରା ବ୍ରହ୍ମପୁର ସମେତ ଗଞ୍ଜାମର ଅର୍ଥନୀତି, ଶ୍ରମ ନିଯୁକ୍ତି, ଇକୋ ଟୁରିଜିମ୍, ଗମନାଗମନ, ପରିବହନ ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରରେ ବିକାଶ ସମ୍ଭାବନା ରହିଛି। ଗୋପାଳପୁର ଓ ସୁନାପୁର ବେଳାଭୂମି, ତାମ୍ପରା ଓ ଚିଲିକା ପର୍ଯ୍ୟଟନସ୍ଥଳୀର ବିକାଶ ସହ ଗଞ୍ଜାମ ଜିଲ୍ଲାର ଅର୍ଥନୀତିରେ ଅଗ୍ରଗତି ସମ୍ଭାବନା ରହିଛି। ଗଞ୍ଜାମ ଜିଲ୍ଲାକୁ ଏହି ଯୋଜନାରୁ ବାଦ୍ ଦେବା ଅତ୍ୟନ୍ତ ଉଦ୍ବେଗର ବିଷୟ ବୋଲି ପିସିସି ସଦସ୍ୟ ତଥା ଆଇନଜୀବୀ ପୀତବାସ ପଣ୍ଡା କହିଛନ୍ତି। ଶାସକ ବିଜେଡି ସମ୍ପୂର୍ଣ୍ଣ ନିରବ ରହିବା କ୍ଷୋଭର ବିଷୟ। ଜିଲ୍ଲାର କୌଣସି ବିଧାୟକ ଏହି ପ୍ରସଙ୍ଗ ଉଠାଉ ନାହାନ୍ତି। ବିଜେଡି ଓ ବିଜେପି ସାଂସଦ ମଧ୍ୟ ସଂଦରେ ଏହି ପ୍ରସଙ୍ଗକୁ ଅଣଦେଖା କରିଛନ୍ତି। ସଂଶୋଧିତ ଡିପିଆର୍ ପ୍ରସ୍ତୁତ କରି ଗଞ୍ଜାମ ଜିଲ୍ଲାକୁ ଏଥିରେ ସାମିଲ କରିବାକୁ ପିସିସି ସଦସ୍ୟ ଶ୍ରୀ ପଣ୍ଡା ଦାବି କରିଛନ୍ତି। ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡି ମଧ୍ୟ କେନ୍ଦ୍ର ସରକାରଙ୍କ ଏଭଳି ନୀତିକୁ ନିନ୍ଦା କରିଛନ୍ତି। କେନ୍ଦ୍ର ସରକାର ଏହି ପ୍ରକଳ୍ପ ଉପରେ ପୁନଃବିଚାର କରି ଗଞ୍ଜାମ ଜିଲ୍ଲାକୁ ସାମିଲ କରିବା ପାଇଁ ସେ ଦାବି କରିଛନ୍ତି।
ଅନ୍ୟପଟେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ବି.ଶଙ୍କର ପାତ୍ରଙ୍କ ତଥ୍ୟରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପର ନକ୍ସା ଚୂଡ଼ାନ୍ତ ହୋଇ ନାହିଁ। କେବଳ ରତନପୁର ଠାରୁ ଦୀଘା ପର୍ଯ୍ୟନ୍ତ ରାସ୍ତା ପାଇଁ ଡିପିଆର୍ ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି। ଏଣୁ କେନ୍ଦ୍ର ସରକାର ଏ ଦିଗରେ ପୁନଃବିଚାର କରି ଗଞ୍ଜାମ ଜିଲ୍ଲାକୁ ଏଥିରେ ସାମିଲ କରିବାକୁ ଆଇନଜୀବୀ ଶ୍ରୀ ପାତ୍ର ଦାବି କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଲିଭ୍ ରିଡ୍ଲେଙ୍କ ଗଣଅଣ୍ଡାଦାନ ପ୍ରଭାବିତ ହେବା ଆଶଙ୍କା ରହିଥିବା ବେଳେ ଚିଲିକାର ଇକୋ ଟୁରିଜିମ୍ ସିଷ୍ଟମ୍ କ୍ଷତିଗ୍ରସ୍ତ ହେବ ବୋଲି କୁହାଯାଉଛି। ଏହି କାରଣ ଯୋଗୁଁ ଗଞ୍ଜାମ ଜିଲ୍ଲାକୁ ବାଦ୍ ଦିଆଯାଇ ପ୍ରାୟ ୭୦କିମି ରାସ୍ତା ହ୍ରାସ କରାଯାଇଛି। ଏ ସମ୍ପର୍କରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ କହିଛନ୍ତି, ଏହି ସମସ୍ୟା ସମ୍ପର୍କରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲା। ପ୍ରକଳ୍ପ ଉପରେ ପୁନଃବିଚାର କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ଦିଗରେ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଆସନ୍ତା ମାର୍ଚ୍ଚ ମାସରେ ପାର୍ଲାମେଣ୍ଟରେ ଏ ଦିଗରେ ପୁଣିଥରେ ଦାବି ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି।