ଗଂଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରାୟସ, ଲିଙ୍ଗ ନିରୂପଣ ସୂଚନା ଦେଲେ ମିଳିବ ୧୦ ହଜାର ଟଙ୍କା ପୁରସ୍କାର

ଲିଙ୍ଗ ଅନୁପାତ ସନ୍ତୁଳନ ରଖିବା ଲାଗି ଗଂଜାମ ଜିଲ୍ଲାର ଉଦ୍ୟମ

ଛତ୍ରପୁର/ବ୍ରହ୍ମପୁର: ଗର୍ଭଧାରଣ ପୂର୍ବ ଓ ପ୍ରସ୍ତୁତି ନିଦାନ କୌଶଳ ଅଧିନିୟମ ଜିଲ୍ଲା ପରାମର୍ଶ ଦାତା କମିଟିର ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା କ୍ଲିନିକ୍‌ ଗୁଡିକର ପଂଜିକୃତ ନବୀକରଣ ଓ ନୂତନ ଭାବେ କ୍ଲିନିକ୍‌ ଖୋଲିବା ସକାଶେ ଆବେଦନ କରିଥିବା କ୍ଲିନିକ୍‌ ଗୁଡିକର ତଥ୍ୟ ଯାଞ୍ଚ କରି ସେମାନଙ୍କ ଆବେଦନର ଶୁଣାଣି ଦିଗରେ ପଦେକ୍ଷପ ଗ୍ରହଣ କରିବାକୁ ମତ ଉପସ୍ଥାପନ ହୋଇଥିଲା। କ୍ଲିନିକ୍‌ ଗୁଡିକରେ ଗର୍ଭଧାରଣ ପୂର୍ବ ଓ ପ୍ରସ୍ତୁତି ନିଦାନ କୌଶଳ ଅଧିନୀୟମ-୧୯୯୪ର ଅନୁପାଳନ ହେଉଛି ନା ନାହିଁ ତାହା କମିଟି ଦ୍ୱାରା ଯାଞ୍ଚ କାର୍ଯ୍ୟ ଅନ୍ତର ବ୍ୟବଧାନରେ ତଦାରଖ କରିବାକୁ ସମସ୍ତ ସଭ୍ୟ, ସଭ୍ୟାଙ୍କୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେ। ମୋ ଗେହ୍ଲା ଝିଅର କାର୍ଯ୍ୟକ୍ରମର ସଚେତନତା ସୃଷ୍ଟି ସକାଶେ କୁହାଯାଇଛି। ଜିଲ୍ଲାରେ ଶିଶୁ ଲିଙ୍ଗ ଅନୁପାତ ସନ୍ତୁଳନ ରକ୍ଷା କରିବା ନେଇ ପଦେକ୍ଷପମାନ ଗ୍ରହଣ କରିବାକୁ ବୈଠକରେ ବିଭିନ୍ନ ବିଷୟ ନେଇ ଆଲୋଚନା ହୋଇଯାଇଛି।

ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ଚଳିତ ମାସ ୧୪ତାରିଖ ଦିନ କୋଭିଡ ନିୟମ ଅନୁସାରେ ଶିଶୁ ଦିବସ ପାଳନ କରାଯିବ। ଏହି ଦିନ ଗ୍ରାମର କିଶୋରୀ ବାଳିକା ମାନଙ୍କ ଘରକୁ ଯାଇ ସେମାନଙ୍କୁ ପୁଷ୍ପ ପ୍ରଦାନ କରାଯାଇ ଅଭିଭାବକମାନଙ୍କ ମଧ୍ୟରେ ଶିଶୁ କନ୍ୟା ନିମନ୍ତେ ପ୍ରୋତ୍ସାହନ ଦିଆଯିବ। କନ୍ୟାଭୃୃଣ ହତ୍ୟା ରୋକିବା ଦିଗରେ ନିଆଯାଉଥିବା ପଦକ୍ଷେପ ଗୁଡିକର ଅନୁପାଳନ ନିମନ୍ତେ ଦୃଷ୍ଟି ଦେବା ସକାଶେ କମିଟିକୁ ଜଣାଇଥିଲେ। ଲିଙ୍ଗ ନିରୂପଣ ରୋକିବା ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। କନ୍ୟାଭୃୃଣ ହତ୍ୟା ରୋକିବା ସକାଶେ ପ୍ରାଥମିକ ସୂଚନା ପ୍ରଦାନ କରାଗଲେ ସଂପୃକ୍ତ ବ୍ୟକ୍ତିଙ୍କ ନାମ ଗୋପନ ରଖାଯାଇ ଦଶହଜାର ଟଙ୍କାର ପୁରସ୍କାର ରାଶି ଶିଶୁ ବିକାଶ ଯୋଜନା ପକ୍ଷରୁ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ।

ଗର୍ଭବତୀ ମହିଳାମାନଙ୍କ ତଥ୍ୟ ସଂଗ୍ରହ କରାଯିବ, ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ରାଶି ଓ ସେବା ସେମାନଙ୍କ ଠାରେ ଉପଲବ୍ଧ ହୋଇପାରୁଛି ନା ନାହିଁ ତାହା ଟିମ୍‌ ଦ୍ୱାରା ଯାଞ୍ଚ କରାଯିବ। ଅଙ୍ଗନବାଡି କର୍ମୀ, ଆଶା ଦିଦି ଏବଂ ଏଏନଏମ ଗଣ ଯଦି ସେମାନଙ୍କ କାର୍ଯ୍ୟ ଠିକ୍‌ ରୁପେ ସଂପାଦନ କରିବେ ଓ କନ୍ୟା ଶିଶୁର ମହତ୍ତ୍ୱ ସଂପର୍କରେ ସଚେତନତା କରାଇବା ସହିତ ଜାଗ୍ରତ ରହିବେ ତେବେ କନ୍ୟା ଭୃଣ ହତ୍ୟାକୁ ରୋକାଯାଇପାରିବ ବୋଲି ଜିଲ୍ଲପାଳ ଅବଗତ କରାଇଥିଲେ । ଏଦିଗରେ ସେମାନଙ୍କୁ ସଚେତନତା କରାଇବା ଆବଶ୍ୟକତା ରହିଛି ଜିଲ୍ଲାପାଳ ଜୋର ଦେଇଥିଲେ।

ଜିଲ୍ଲା ମାତୃ ଓ ଶିଶୁ ସଂଯୋଜକ ଶକ୍ତି କୁମାର ଦିଗାଲ୍‌ ବୈଠକର ଆଲୋଚ୍ୟ ସମସ୍ତ ବିଷୟବସ୍ତୁ ଉପସ୍ଥାପନା କରିଥିଲେ ଯ ଅତିରିକ୍ତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ (ମହିଳା ଓ ଶିଶୁ ବିକାଶ) ତଥା ପିସି ଏଣ୍ଡ ପିଏନଡିଟିର ନୋଡାଲ ଅଧିକାରୀ ଡା. ଭି. ସରୋଜିନୀ ଦେବୀ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡା. ଆର. ଜଗଦୀଶ ପଟ୍ଟନାୟକ, ଡା. ଭବାନୀ ଶଙ୍କର ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବାସ କୁମାର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା, ସମାଜସେବୀ ଗୀତାରାଣୀ ସ୍ୱାଇଁ, ଛତ୍ରପୁର ବ୍ଲକ ଶିକ୍ଷାଅଧିକାରୀ ଅଭିନାଶ ଶତପଥୀ, ଡେପୁଟିକଲେକ୍ଟର ସୋଭାଗ୍ୟ କୁମାର ଗୌଡ, ଛତ୍ରପୁର ଡ୍ରଗ ଇନିସପେକ୍ଟର ଲଳିତ କୁମାର ସାହୁ, ଗଂଜାମ ରେଞ୍ଜ ଡ୍ରଗ୍‌ ଇନିସପେକ୍ଟର ପ୍ରସନ୍ନ କୁମାର ମଲ୍ଲିକ, ବ୍ରହ୍ମପୁର ଡ୍ରଗ୍‌ ଇନିସପେକ୍ଟର ଦେବାଶିଷ ଖିଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର