ଭଞ୍ଜନଗର: ଆଉ ଦୀର୍ଘ ୨୩ ବର୍ଷ ପରେ ଗଞ୍ଜାମ ଜିଲ୍ଲାକୁ ଅର୍ଥମନ୍ତ୍ରୀ ପଦ ମିଳିଛି। ରାଜ୍ୟ କ୍ୟାବିନେଟ୍ରେ ମୁଖ୍ୟମନ୍ତ୍ରୀଙ୍କ ପରେ ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ପଦ ବୋଲି କୁହାଯାଉଥିବା ଅର୍ଥମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ବିକ୍ରମ କେଶରୀ ଆରୁଖ। ତାଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମପାଳି ସରକାର ସମୟରେ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକ ଏହି ପଦରେ ରହିଥିଲେ।
ଶ୍ରୀ ଆରୁଖ ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କୁ ଅର୍ଥମନ୍ତ୍ରୀ ପଦ ମିଳିବା ପରେ ତାଙ୍କ ନିର୍ବାଚନମଣ୍ଡଳୀ ଭଞ୍ଜନଗରରେ ଖୁସିର ଲହରି ଖେଳିଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥ ସହିତ ଗ୍ରାମ୍ୟ ଉନ୍ନୟନ ଓ କୃଷିମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ନବୀନ ପଟ୍ଟନାୟକଙ୍କ ପ୍ରଥମ ମୁଖ୍ୟମନ୍ତ୍ରିତ୍ବ ସମୟରେ ସେ ଅର୍ଥମନ୍ତ୍ରୀ ପଦଭାର ଗ୍ରହଣ କରିଥିଲେ। ତେବେ, ପରବର୍ତ୍ତୀ ସମୟରେ ତାଙ୍କୁ କୃଷିମନ୍ତ୍ରୀ କରାଯିବାରୁ ସେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିଲେ।