ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଭୂତଳ ଜଳସ୍ତର ଖସୁଛି। ୧୯୯୯ ମହାବାତ୍ୟା ପରଠାରୁ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଗଞ୍ଜାମ ଜିଲ୍ଲାରେ ଜଳବାୟୁ ପରିବର୍ତ୍ତନ ସହ ଅନିଶ୍ଚିତ ପାଣିପାଗ କାରଣରୁ ଏହି ଧାରା ଜାରି ରହିଛି। କୃଷିପ୍ରଧାନ ଗଞ୍ଜାମରେ ବର୍ଷା ଅଭାବ ଓ ବ୍ୟାପକ ଗଛକଟା ପ୍ରତିକୂଳ ପ୍ରଭାବ ପକାଇ ଚାଲିଛି। ଏକ ଉଦ୍‌ବେଗଜନକ ତଥ୍ୟ ଏବେ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ପ୍ରକୃତିପ୍ରେମୀ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଭୂତଳ ଜଳସ୍ତର ପ୍ରାୟ ଏକ ମିଟର ଖସିଛି। ଯଦି ଏହି ଧାରା ଜାରି ରହେ, ଆଗକୁ ସ୍ଥିତି ସଙ୍ଗିନ ହେବାସହ ମରୁଅଞ୍ଚଳ ଭଳି ସ୍ଥିତି ଉପୁଜିବ ବୋଲି ପରିବେଶବିତ୍‌ ମହଲରେ ଆଶଙ୍କା ପ୍ରକାଶ ପାଇଛି। ଭୂତଳ ଜଳସ୍ତର ଖସିବା ଦ୍ବାରା ବିଭିନ୍ନ ବ୍ଲକ୍‌ରେ ଗଭୀର ନଳକୂଳଗୁଡ଼ିକ ମଧ୍ୟ ଅଚଳ ହୋଇ ଯାଉଛି। ଜଳବାୟୁରେ ପରିବର୍ତ୍ତନ ଯୋଗୁ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବର୍ଷାର ପରିମାଣ କମୁଛି। ଗତ କିଛିବର୍ଷ ହେଲା ଜୁନ୍‌ ମାସରେ ନିଅଣ୍ଟିଆ ବର୍ଷା ଦେଖିବାକୁ ମିଳୁଥିବା ବେଳେ ଜୁଲାଇରେ ମଧ୍ୟ ବିଶେଷ ବର୍ଷା ହେଉ ନାହିଁ। ସେପଟେ ବିକାଶ ନାଁରେ ସୃଷ୍ଟି ହେଉଥିବା କଂକ୍ରିଟ ଜଙ୍ଗଲ ଆଉ ଏକ ସମସ୍ୟା ହୋଇଛି। ଏବେ ସାହି ଗଳିକନ୍ଦି ରାସ୍ତାରେ ପେଭର୍‌ ବ୍ଲକ୍‌ ପକା ଯାଉଛି। ଫଳରେ ବର୍ଷା ପାଣି ମାଟି ଭିତରକୁ ଯାଇପାରୁ ନାହିଁ। ବର୍ଷାପାଣି ଡ୍ରେନ୍‌ ଜରିଆରେ ବାହାର ନାଳରେ ପଡ଼ି ଶେଷରେ ସମୁଦ୍ରକୁ ବହି ଯାଉଛି।

Advertisment

ଭୂତଳ ଜଳ ଉନ୍ନୟନ କାର୍ଯ୍ୟାଳୟର ତଥ୍ୟ ଅନୁସାରେ ୨୦୨୦ରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ତଥ୍ୟକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଭୂପୃଷ୍ଠରୁ ହାରାହାରି ୪.୬୪୮ ମିଟର ତଳେ ପାଣି ମିଳୁଥିଲା। କିନ୍ତୁ ୨୦୨୧ରେ ଜଳସ୍ତର ହ୍ରାସ ପାଇ ୫.୨୧୩ ମିଟରକୁ ଚାଲି ଯାଇଥିଲା। ୨୦୨୨ରେ ଭୂତଳ ଜଳସ୍ତରରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା। ଭୂପୃଷ୍ଠରୁ ୫.୦୯୧ ମିଟର ତଳେ ପାଣି ରହିଥିଲା। କିନ୍ତୁ ୨୦୨୩ରେ ଏହା ପୁଣିଥରେ ହ୍ରାସ ପାଇ ୫.୫୧୬ ମିଟରକୁ ଖସି ଯାଇଥିଲା। ସେହିପରି ୨୦୨୪ରେ ଜଳସ୍ତର ଆହୁରି ତଳକୁ ଖସି ଆସି ୫.୭୬୨ ମିଟର ତଳେ ରହିଛି। ଗଞ୍ଜାମ ଜିଲ୍ଲାରେ ୫ବର୍ଷରେ ଭୂତଳ ଜଳସ୍ତର ପ୍ରାୟ ଏକମିଟର ଖସିଛି।

ଭୂତଳ ଜଳସ୍ତର ଖସୁଥିବାରୁ ବିଭିନ୍ନ ବ୍ଲକ୍‌ରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି। ଏପରିକି ୫୦ରୁ ୬୦ ଫୁଟ୍‌ ଖୋଳିଲେ ମଧ୍ୟ ପାଣି ମିଳୁ ନାହିଁ। ଏଥିପାଇଁ ରାଜ୍ୟ ସରକାର ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। ସେହିପରି ଛାତରୁ ଆସୁଥିବା ବର୍ଷା ପାଣିକୁ ମଧ୍ୟ କିପରି ମାଟି ତଳକୁ ଭେଦ କରାଯାଇ ପାରିବ ସେ ନେଇ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି।