ବ୍ରହ୍ମପୁର: ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ମାୟାଜାଲରେ ଛନ୍ଦି ହୋଇ ବହୁ ପରିବାର ଉଜୁଡ଼ି ଯାଉଥିବା ବେଳେ ଅକାଳରେ ଲୋକଙ୍କ ଜୀବନ ଯାଉଛି। ସମୟକ୍ରମେ ଏଭଳି ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି ଯେ, ଜଣେ ଆଉ ଜଣକୁ ହତ୍ୟା କରିବାକୁ ପଛାଉ ନାହିଁ। ମଙ୍ଗଳବାର ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ୍ ଖାରିପଲ୍ଲୀରେ ଘଟିଥିବା ଲୋମହର୍ଷଣକାରୀ ଘଟଣା ହେଉଛି ଏହାର ସଦ୍ୟତମ ଉଦାହରଣ। ଲୋକଙ୍କ ମନରୁ ଏହି ଅନ୍ଧବିଶ୍ବାସ ଦୂର କରିବା ପାଇଁ ତତ୍କାଳୀନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଥିଲେ। ଯିଏ ଗୁଣିଗାରେଡ଼ିକୁ ପ୍ରମାଣିତ କରି ଦେଖାଇବ ତାଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ତଥାପି ଲୋକଙ୍କ ମନକୁ ଏହା ପରିବର୍ତ୍ତନ କରି ପାରୁନାହିଁ।
ସଚେତନତା, ପୁରସ୍କାର ମୂଲ୍ୟହୀନ
ଅକାଳରେ ଯାଉଛି ଅମୂଲ୍ୟ ଜୀବନ
ଗୁଣିଗାରେଡ଼ିକୁ ନେଇ ଗଞ୍ଜାମ ଜିଲ୍ଲାରେ ବିଗତ ବର୍ଷରେ ବହୁ ଜଘନ୍ୟ କାଣ୍ଡ ଘଟିଛି। ଲୋକଙ୍କ ଆକ୍ରୋଶର ଶିକାର ହୋଇ ନିରୀହ ଜୀବନ ଯାଇଥିବା ବେଳେ ଆଉ କେତେଜଣ ଗାଁରୁ ବାସନ୍ଦ ହୋଇଛନ୍ତି। ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ଦୂର କରିବା ପାଇଁ ପ୍ରଶାସନ ଓ ପୁଲିସ ତରଫରୁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କୁତ୍ସିତ ଧାରା ହଟାଇବା ପାଇଁ ‘ଓଡ଼ିଶା ପ୍ରିଭେନସନ୍ ଅଫ୍ ୱିଚ୍ ହଣ୍ଟିଂ ଆକ୍ଟ୍-୨୦୧୩’ ମଧ୍ୟ ପ୍ରଣୟନ କରାଯାଇଛି। କିନ୍ତୁ ଏ ସବୁ କାଗଜକଲମରେ ସୀମିତ ରହିଛି। ଫଳରେ ଜିଲ୍ଲାରେ ଗୁଣିଗାରେଡ଼ିଜନିତ ଅପରାଧ ବୃଦ୍ଧି ପାଉଛି ପଛେ କମିବାର ନାଁ ନେଉନି। ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ପଞ୍ଚାୟତ ପୀତାମ୍ବରପୁର ଗ୍ରାମରେ ୨୦୨୩ ଫେବ୍ରୁଆରି ୧୭ ତାରିଖ ଦିନ ଗୁଣି ସନ୍ଦେହରେ ବଙ୍ଗାଳୀ ସେଠୀ ନାମକ ଜଣେ ବୃଦ୍ଧ ବୈଦ୍ୟଙ୍କୁ ହତ୍ୟା କରାଯାଇଥିଲା। ବଙ୍ଗାଳୀ ୧୫ ବର୍ଷ ଧରି ଗାଁରେ ଠାକୁରାଣୀଙ୍କ ପୂଜା କରିବା ସହ ଝଡ଼ାଫୁଙ୍କା କରି ଆୟୁର୍ବେଦ ଔଷଧ ଦେଇ ଆସୁଥିଲେ। ସେହିପରି ୨୦୨୨ ଅକ୍ଟୋବରରେ କବିସୂର୍ଯ୍ୟନଗର ଥାନା ମଧୁରଝୋଳ ଗ୍ରାମରେ ଗୁଣିଗାରେଡ଼ିକୁ ନେଇ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ। ଗାଁରେ କିଛି ଦିନ ମଧ୍ୟରେ ୪/୫ଜଣ ପିଲାଙ୍କ ଅସ୍ବାଭାବିକ ମୃତ୍ୟୁ ପରେ ଗୁଣି ସନ୍ଦେହରେ ଗ୍ରାମବାସୀ ୩ଟି ପରିବାର ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଥିଲେ।
ସେହିପରି ୨୦୨୧ ଜୁନ୍ରେ ଚମାଖଣ୍ଡି ଥାନା ଅନ୍ତର୍ଗତ ରାମେୟାପଲ୍ଲୀ ଗ୍ରାମରେ ଏନ୍. ଭେଙ୍କଟରମଣାଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଏବେ ଖାରିପଲ୍ଲୀ ଗାଁରେ ଗୁଣିକୁ ନେଇ ହୋଇଛି ରକ୍ତପାତ। ଏହି ସଂଘର୍ଷରେ ବାପା-ପୁଅଙ୍କ ସମେତ ୩ଜଣଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି। ପୁଲିସ ଓ ପ୍ରଶାସନର ଶତଚେଷ୍ଟା ସତ୍ତ୍ବେ ଜିଲ୍ଲାରୁ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ହଟୁନାହିଁ। ଏ ସମ୍ପର୍କରେ ମାନବବାଦୀ ଓ ହେତୁବାଦୀ ସଂଗଠନର ସଦସ୍ୟ ତଥା ବରିଷ୍ଠ ସମ୍ଭକାର ଭାଲଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି, ସରକାର ଗୁଣିଗାରେଡ଼ିକୁ ନେଇ ଗମ୍ଭୀର ହେଉନାହାନ୍ତି। ଘଟଣା ପୂର୍ବରୁ ପ୍ରତିହତ କରିବା ଦିଗରେ ଆଦୌ ଧ୍ୟାନ ଦିଆଯାଉନାହିଁ। ଉତ୍ତରଓଡ଼ିଶାରେ ଡାହାଣୀଜନିତ ଅପରାଧ ବେଶି। କିନ୍ତୁ ଦକ୍ଷିଣଓଡ଼ିଶାରେ ଗୁଣି ସନ୍ଦେହରେ ନାନା କାଣ୍ଡ ଘଟୁଛି। ଗୁଣିଗାରେଡ଼ି ଘଟଣାରୁ ହିଂସା, ରକ୍ତପାତ, ହତ୍ୟା ଘଟିଗଲା ପରେ କାର୍ଯ୍ୟାନୁଷ୍ଠାନ ହେଉଛି। କିନ୍ତୁ ଏହା ପୂର୍ବରୁ ଗାଁରୁ ବାସନ୍ଦ କରିବା, ଦଣ୍ଡ ଦେବା, ଜରିମାନା ଧାର୍ଯ୍ୟ କରିବା ଓ ଖଟ ବୁଲାଇବା ଘଟଣା ଅପରାଧ ପରିସରଭୁକ୍ତ ହୋଇ ପାରୁନାହିଁ। ରାଜ୍ୟରେ ପ୍ରାୟ ୧୦ ପ୍ରତିଶତ ହତ୍ୟାର କାରଣ ପଛରେ ଏଭଳି ଅନ୍ଧବିଶ୍ବାସ ହିଁ ଦାୟୀ। ଏଣୁ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ଯଥେଷ୍ଟ ସଚେତନତା ସୃଷ୍ଟି କରିବା ଉଚିତ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/20/Z5hkU31bcA2K2HkDb6BL.jpg)