‘ଟି ମସ୍‌କ୍ୟୁଟୋ ଖାଇଗଲା ବଉଳ : ଗଞ୍ଜାମରେ ଆମ୍ବ ଉତ୍ପାଦନ ‘ଶୂନ’, ଏ ବର୍ଷ ବାହାର ଆମ୍ବରେ ଚଳାଇଲେ ଜିଲ୍ଲାବାସୀ

ବ୍ରହ୍ମପୁର : ଚଳିତ ବର୍ଷ ଆମ୍ବ ଗଛରେ ବଉଳ ଆସିଥିଲା। ଚାଷୀ ଭାବିଥିଲା ଭଲ ଅମଳ କରିବ। କିନ୍ତୁ କେଉଁଆଡ଼ୁ ମାଡ଼ି ଆସିଲେ ‘ଟି ମସ୍‌କ୍ୟୁଟୋ’ ନାମକ ଏକ କୀଟ। ବଉଳ ଖାଇଗଲେ। କିନ୍ତୁ ଚାଷୀ ‌ଏହା ଜାଣିପାରିଲା ନାହିଁ। ଏବେ ବି ଚାଷୀ ଭାବିଛି ବଉଳ ପୋଡ଼ି ଆମ୍ବ ଉଜୁଡ଼ିଗଲା। ଏହି କୀଟ ସଂକ୍ରାନ୍ତରେ ଏବେ ବି ଚାଷୀ ସଚେତନ ନୁହନ୍ତି। କୃଷି କିମ୍ବା ଉଦ୍ୟାନ ବିଭାଗ ଠିକ୍‌ ସମୟରେ ଜାଣି ପାରିଲେନି ନା ପ୍ରତିକାର ବାଟ ପାଇଲେ‌ନି ବୋଲି ଚାଷୀଙ୍କୁ ସଚେତନ କଲେନି ତାହା ମଧ୍ୟ ଦନ୍ଦେହରେ। ଜିଲ୍ଲାର ଉଦ୍ୟାନ ବିଭାଗ ଥାଇ ନ ଥିବା ସଦୃଶ୍ୟ ହୋଇଛି। ବିଭାଗ ଚାଷୀଙ୍କୁ ଏ ସଂକ୍ରାନ୍ତ‌ରେ ସଚେତନ କରୁନି କି ପ୍ରତିକାର ବ୍ୟବସ୍ଥା କରୁନି। ଫଳରେ ଜିଲ୍ଲାରେ ଚଳିତ ବର୍ଷ ଆମ୍ବ ଚାଷ ଉଜୁଡ଼ିଯାଇଛି। ଜିଲ୍ଲାବାସୀ ବାହାର ଆମ୍ବ ଉପରେ ନିର୍ଭର କରିବା ସହିତ ଚଢ଼ା ଦରରେ ଆମ୍ବ କିଣିବାକୁ ବାଧ୍ୟ ହେଉଛନ୍ତି।

ଯେଉଁ କିଛି ଗଛ ଆମ୍ବ ଦେଲା, ତାହା ନିଅଣ୍ଟ ସଦୃଶ୍ୟ। ଜିଲ୍ଲାବାସୀଙ୍କ ଚାହିଦା ମେଣ୍ଟାଇବା ପାଇଁ ବେପାରୀ ଜିଲ୍ଲା ତଥା ରାଜ୍ୟ ବାହାରୁ ଆମ୍ବ ଆମଦାନୀ କଲେ। ବଜାରରେ ଚଢ଼ା ଦରରେ ଆମ୍ବ ବିକ୍ରି ହେଉଛି। ବର୍ଷା ଦିନ ଆରମ୍ଭ ହୋଇ ସାରିଥିବା ବେଳେ ଚଳିତ ବର୍ଷ ଜିଲ୍ଲାରେ ଏଯାଏ ଆମ୍ବ ଚାଷ ଆରମ୍ଭ ହୋଇପାରି ନାହିଁ। ଆମ୍ବ ଚାଷ ପାଇଁ ଆକ୍ସନ୍ ପ୍ଲାନ ହୋଇଛି ସତ, କିନ୍ତୁ ତାହା କାର୍ଯ୍ୟକାରୀ ହୋଇନାହିଁ। ଦିନକୁ ଦିନ ସ୍ବାଦିଷ୍ଟ ଆମ୍ବ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି। ସ୍ବାଦିଷ୍ଟ ଆମ୍ବକୁ ଗ୍ରାହକ ଚାହିଁ ବସିଥିବା ବେଳେ ଚଳିତ ବର୍ଷ ଜିଲ୍ଲାରେ ଆମ୍ବ ଉତ୍ପାଦନ ନାହିଁ।

ଉଦ୍ୟାନ କୃଷି ଚାଷୀଙ୍କୁ ରୋଜଗାରକ୍ଷମ କରିବାରେ ସହାୟକ ହୋଇଥାଏ। ଉଦ୍ୟାନ କୃଷି ପ୍ରତି ଚାଷୀଙ୍କୁ ଉତ୍ସାହିତ କରାଯାଉଛି। ଜାତୀୟ ଉଦ୍ୟାନ ମିସନ ଜରିଆରେ ଆମ୍ବ ଚାଷକୁ ବି ଗୁରୁତ୍ବ ଦିଆଯାଉଛି। କିନ୍ତୁ ବିଭାଗର ଆନ୍ତରିକତା ଅଭାବରୁ ଜିଲ୍ଲାର ଚାଷୀ ସୁଫଳ ପାଇପାରୁ ନାହାନ୍ତି। ଜିଲ୍ଲାରେ ପ୍ରାୟ ୮ ହଜାର ହେକ୍ଟର ଜମିରେ ଆମ୍ବ ତୋଟା ରହିଛି। ଉଦ୍ୟାନ ବିଭାଗ ପକ୍ଷରୁ ମନରେଗା ଏବଂ ଜାତୀୟ ଉଦ୍ୟାନ ମିସନ ଜରିଆରେ ଆମ୍ବା ଚାଷ ଲାଗି ଚାଷୀଙ୍କୁ ଉତ୍ସାହିତ କରାଯାଇଛି। ଏଥିସହ ପ୍ରତିବର୍ଷ ଚାଷୀଙ୍କୁ ରିହାତି ଦରରେ ଆମ୍ବ ଚାରା ମଧ୍ୟ ଯୋଗାଇ ଦିଆଯାଉଛି। ଜିଲ୍ଲା ଉଦ୍ୟାନ ବିଭାଗ ସୂଚନା ଅନୁଯାୟୀ, ଗତ ୩ ବର୍ଷ ମଧ୍ୟରେ ଜିଲ୍ଲାରେ ୭ ଶହ ହେକ୍ଟର ଜମିରେ ଆମ୍ବ ଚାଷ ହୋଇଛି। ସେଥିମଧ୍ୟରୁ ମନରେଗାରେ ୫ଶହ ହେକ୍ଟର ହୋଇଥିବା ଜାତୀୟ ଉଦ୍ୟାନ ମିସନ୍‌ରେ ୨ଶହ ଏକର ଜମିରେ ଆମ୍ବ ଚାଷ ହୋଇଛି। ମନରେଗାରେ ଚାଷୀଙ୍କ ମାଗଣା ଚାରା ସହ ସମସ୍ତ ଖର୍ଚ୍ଚ ବିଭାଗ ବହନ କରୁଛି। ତିନି ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ବ ସରକାରଙ୍କର। ଆମ୍ବ ଅମଳ ଆରମ୍ଭ ହେବା ସମୟରେ ଚାଷୀ ଦାୟିତ୍ବ ନେଉଛି। ସେହିପରି ଜାତୀୟ ଉଦ୍ୟନ ମିସନ୍‌ରେ ଚାଷୀ ଏକ ହେକ୍ଟର ଆମ୍ବ ଚାଷ କଲେ ୩ ବର୍ଷରେ ୧୨ହଜାର ଟଙ୍କା ପ୍ରୋତ୍ସାହନ ଦିଆଯିବା ବ୍ୟବସ୍ଥା ରହିଛି। କିନ୍ତୁ ଚାଷୀ ଏହି ଯୋଜନାରେ ନିଜେ ଆମ୍ବ ଚାରା କିଣିବା ଠାରୁ ଆରମ୍ଭ କରି ସବୁ ଖର୍ଚ୍ଚ କରିବାକୁ ପଡ଼ୁଛି। ବିଭାଗ ଚାଷୀଙ୍କୁ କଲମୀ ଚାରା ୩୪ଟଙ୍କା ୫୦ ପଇସା ଦରରେ ଯୋଗାଉଛି।

ଜିଲ୍ଲାରେ ଗତ ବର୍ଷ ନୂତନ ଜ୍ଞାନକୌଶଳରେ ଦିଗପହଣ୍ଡି ବ୍ଲକ ବାଇଗଣବାଡ଼ି ଠାରେ ମନରେଗାରେ ଚାଷୀଙ୍କୁ ନେଇ ୨୦ହେକ୍ଟର ଜମିରେ ୮ହଜାର ଆମ୍ବ ଗଛ ଲଗା ଯାଇଥିଲା। ପାରମ୍ପରିକ ଚାଷ ଠାରୁ ଟିକେ ଆଗକୁ ଯାଇ ୧୫ ଫୁଟ ବ୍ୟବଧାନରେ ଗୋଟିଏ ଲେଖାଏଁ ଚାରା ରୋପଣ କରାଯାଇଛି। ୪ବର୍ଷ ମଧ୍ୟରେ ଏହି ଗଛ ଗୁଡ଼ିକରୁ ଆମ୍ବ ଅମଳ ହେବ ବୋଲି ଉଦ୍ୟାନ କୃଷି ବିଭାଗ କହିଛି। ଜିଲ୍ଲାରେ ଦିଗପହଣ୍ଡି, ଜଗନ୍ନାଥପ୍ରସାଦ, ବୁଗୁଡ଼ା, ସାନଖେମୁଣ୍ଡି ଓ ସୋରଡ଼ା ବ୍ଲକ ଅଞ୍ଚଳରେ ଚାଷୀମାନେ ଆମ୍ବ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ପରିଲକ୍ଷିତ ହୋଇଛି। ତିତ୍‌ଲି ଯୋଗୁଁ ଚାଷୀଙ୍କୁ ମାଗଣାରେ ୬୦ ହଜାର ଆମ୍ବ ଚାରା ମାଗଣାରେ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଜୁନ୍ ମାସ ଶେଷ ହେବାକୁ ବସିଥିବା ବେଳ‌େ ଆମ୍ବ ଚାରା ବଣ୍ଟନ ହୋଇନାହିଁ। କରୋନା କଟକଣା ଲାଗି ଚଳିତ ବର୍ଷ ମାଗଣା ଚାରା ବଣ୍ଟନ ବାତିଲ କରା ଯାଇଥିବା ବିଭାଗ କହିଛି।

ଏ ସମ୍ପର୍କରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଦିଗାମ୍ବର ପଣ୍ଡା କହିଛନ୍ତି, ‘ଟି ମୁସକ୍ୟୁଟୋ’ ଯୋଗୁଁ ଜିଲ୍ଲାରେ ଚଳିତ ବର୍ଷ ଆମ୍ବ ଚାଷ ପ୍ରଭାବିତ ହୋଇଛି। ଜିଲ୍ଲାରେ ଏଥର ଆମ୍ବ ଅମଳ କିଛି ନାହିଁ। କେତେକ ଚାଷୀ ଏହି କୀଟ ସଂକ୍ରାନ୍ତରେ ଜାଣିପାରୁ ନାହାନ୍ତି। ବଉଳ ପୋଡ଼ିଗଲା ଭାବୁଛନ୍ତି। ଆଗାମୀ ଦିନରେ ଏ ସଂକ୍ରାନ୍ତରେ ଚାଷୀଙ୍କୁ ସେଚେତନ କରାଯିବ। ହଠାତ୍‌ ଏହି କୀଟ ମାଡ଼ି ଆସିବାରୁ ଜାଣି ହେଲା ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର