ଗଞ୍ଜାମ: ପୁଲିସ ଏନ୍‌କାଉଣ୍ଟର୍‌ରେ ଦୁର୍ବୃତ୍ତ ଆହତ

ପୋଲସରା: ମଙ୍ଗଳବାର ସକାଳ ପ୍ରାୟ ୬. ୧୦ ମିନିଟ୍‌ ସମୟରେ ସ୍ଥାନୀୟ କାକୁଡ଼ିଆ ଜଙ୍ଗଲ ମଧ୍ୟରେ ପୋଲସରା ପୁଲିସ ଏବଂ ଦୁର୍ଦ୍ଦାନ୍ତ ଦୁର୍ବୃତ୍ତ ବୁଚି ପାତ୍ର ଏବଂ ତା’ର ଦୁଇ ସହଯୋଗୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଆଣ୍ଠୁରେ ଗୁଳି ଚୋଟ ଲାଗି ବୁଟୁ ପାତ୍ରର ଦୁଇ ଗୋଡ଼ ଜଖମ ହୋଇଛି।

ପ୍ରାୟ ଦୁଇ ତିନି ଦିନ ତଳେ ମଥୁରା-ଡେଙ୍ଗାପଦର ରାସ୍ତା ପାର୍ଶ୍ୱରେ ଥିବା ଗୋଟାଏ ମଦ ଦୋକାନ ଉପରେ ବୋମା ପଡ଼ିଥିଲା। ଖବର ପାଇ ପୁଲିସ ସେଠାରେ ପହଞ୍ଚିଲା ବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯିବା ସହ ଦୋକାନୀ ମଧ୍ୟ ଭୟବଶତଃ ଦୋକାନ ବନ୍ଦ କରି ପଳାଇ ଯାଇଥିଲା। ସେଠାରେ କାହାକୁ ନ ପାଇ ପୁଲିସ ଫେରି ଆସିଥିଲା। ତହିଁ ଆର ଦିନ ଦୋକାନୀ ଥାନାରେ ଏଫ୍‌ଆଇଆର୍‌ ଦେବା ପରେ ପୁଲିସ ଦୁର୍ବୃତ୍ତମାନଙ୍କ ଅନୁସନ୍ଧାନରେ ଥିଲେ।

ଗତ ରାତି ତମାମ ପୁଲିସ ବିଭିନ୍ନ ସ୍ଥାନରେ ପାଟ୍ରୋଲିଙ୍ଗ୍‌ କରୁଥିବା ବେଳେ ସକାଳେ ଜଙ୍ଗଲ ମଧ୍ୟରେ ଦୁର୍ବୃତ୍ତମାନଙ୍କୁ ଭେଟି ଧରିବାକୁ ଉଦ୍ୟମ କରି ଗୁଳି ଚଳାଇବାକୁ ପଡ଼ିଥିଲା। ଶେଷରେ ବୁଟୁ ଓ ତା’ର ଦୁଇ ସହଯୋଗୀ ଲିପୁ ଓରଫ୍‌ ଅଜିତ ନାୟକ ଏବଂ ପଣ୍ଡା ନାୟକଙ୍କୁ ପୁଲିସ କାବୁ କରିଥିଲା।


ଘଟଣାସ୍ଥଳରୁ ପୁଲିସ ଗୋଟାଏ ମାଉଜର୍‌, ଦୁଇଟି ଅଫୁଟା ଗୁଳି ଏବଂ ଗୋଟାଏ ୟାମା ଫାଜର୍‌ ମୋଟର୍‌ସାଇକେଲ୍‌ ଜବତ କରିଛି।
ଚିକିତ୍ସା ପାଇଁ ବୁଟୁ ଓ ସାମାନ୍ୟ ଆହତ ହୋଇଥିବା ଅନ୍ୟ ଦୁହିଁଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ବୁଟୁକୁ ବ୍ରହ୍ମପୁରସ୍ଥିତ ଏମ୍‌କେଜିସିକୁ ସ୍ଥାନାନ୍ତର କରାଯାଇଛି।

ପଚରା ଉଚୁରା ପାଇଁ ବାକି ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣକୁ କବିସୂର୍ଯ୍ୟନଗର ଥାନାକୁ ନିଆଯାଇଛି ଏବଂ ଅନ୍ୟ ଜଣକୁ ପୋଲସରା ଥାନାରେ ପଚରା ଉଚୁରା କରାଯିବ।

ସମ୍ବନ୍ଧିତ ଖବର