ଏଡ୍‌ସ: ଏବେ ବି ଗଞ୍ଜାମ ନଂ.୧

ଚିହ୍ନଟ ହେଲେଣି ୧୭ ହଜାର ପଜିଟିଭ୍‌, ୪ ବ୍ଲକ୍‌ରେ ହଜାରେରୁ ଅଧିକ, ବ୍ରହ୍ମପୁର ସହରରେ ୯୪୧

ବ୍ରହ୍ମପୁର : ଏଡ୍‌ସ ଜାଲରେ ଛନ୍ଦି ହୋଇଛି ଗଞ୍ଜାମ ଜିଲ୍ଲା। ପ୍ରତିବର୍ଷ ସାରାରାଜ୍ୟରୁ ଚିହ୍ନଟ ହେଉଥିବା ରୋଗୀଙ୍କ ମଧ୍ୟରୁ ସର୍ବାଧିକ ୩୦ ପ୍ରତିଶତ ରୋଗୀ ଗଞ୍ଜାମ ଜିଲ୍ଲାର ବୋଲି ରେକର୍ଡ଼ କହୁଛି। ପୂର୍ବରୁ ଏହି ସଂଖ୍ୟା ୩୫ ପ୍ରତିଶତ ରହିଥିଲା। ରୋଗୀ ଚିହ୍ନଟ ସଂଖ୍ୟା ହ୍ରାସ ପାଇଥିଲେ ସୁଦ୍ଧା ଗଞ୍ଜାମ ଜିଲ୍ଲା ଏଚ୍ଆଇଭି ପଜିଟିଭ୍‌ କ୍ଷେତ୍ରରେ ଏବେ ବି ୧ନମ୍ବର ଜିଲ୍ଲା ହେବାର ଦୁର୍ନାମ ମୁଣ୍ଡାଇଛି।

ଆଜି ହେଉଛି ବିଶ୍ବ ଏଡ୍‌ସ ଦିବସ। ଏହି ଦିବସରେ ରାଲି, ସଭା ଆୟୋଜନ କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଗତ ୨୦୦୦ରୁ ଚଳିତ ୨୦୨୨ ଅକ୍ଟୋବର ମାସ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ ୧୭ଲକ୍ଷ ୩୨ହଜାର ୩୪୧ଜଣଙ୍କ କାଉନ୍‌ସେଲି˚ କରାଯାଇ ୧୫ଲକ୍ଷ ୭୨ହଜାର ୯୯୦ଜଣଙ୍କ ଏଚ୍‌ଆଇଭି ପରୀକ୍ଷା କରାଯାଇଛି। ତନ୍ମଧୢରୁ ମୋଟ ୧୭ହଜାର ୪୪୮ଜଣଙ୍କ ରକ୍ତ ନମୁନାରେ ଏଚ୍‌ଆଇଭି ପଜିଟିଭ୍‌ ଆସିଥିବା ଏଡ୍‌ସ ସେଲ୍‌ର ଅଧିକାରୀ ହେମନ୍ତ ଦାଶ ସୂଚନା ଦେଇଛନ୍ତି। ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧୢରୁ ପୋଲସରା ବ୍ଲକ୍‌ରୁ ସର୍ବାଧିକ ୧୨୮୨ଜଣ ରୋଗୀ ରହିଛନ୍ତି। ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଜିଲ୍ଲାରେ ୨୭ଜଣ ଗର୍ଭବତୀ ଏଡ୍‌ସ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୋଟ୍‌ ପଜିଟିଭ୍‌ ସ˚ଖ୍ୟା ୯୯୬ ରହିଛି। ଏଡ୍‌ସ ରୋଗୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ ପାଇଁ ଏମ୍‌କେସିଜି ବଡ଼ ଡାକ୍ତରଖାନା ଓ ଭଞ୍ଜନଗର ମେଡିକାଲରେ ଏଆର‌୍‌ଟି ସେଣ୍ଟର‌୍‌ ରହିଛି। ସେହିପରି ଆସିକା, ପୋଲସରା ଓ ଖଲ୍ଲିକୋଟ ଭଳି ବ୍ଲକ୍‌ରେ ଲିଙ୍କ୍‌ ଏଆର‌୍‌ଟି ସେଣ୍ଟର‌୍‌ ରହିଛି। ସେଠାରେ ରୋଗୀଙ୍କୁ କାଉନ୍‌ସେଲିଂ କରି ଔଷଧ ପ୍ରଦାନ ବ୍ୟବସ୍ଥା କରାଯାଇଛି।

ଗଞ୍ଜାମ ଜିଲ୍ଲାର ୧୭ଟି ବ୍ଲକରେ ଏଡ୍‌ସ ରୋଗୀଙ୍କ ସ˚ଖ୍ୟା ୫ଶହରୁ ଅଧିକ ରହିଛି। ପୋଲସରା ବ୍ଲକରେ ଚଳିତ ୨୦୨୨ ଅକ୍ଟୋବର ମାସ ସୁଦ୍ଧା ସର୍ବାଧିକ ୧୨୮୨ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆସିକାରେ ୧୧୮୧ଜଣ, ବେଗୁନିଆପଡ଼ାରେ ୧୧୬୬, ପୁରୁଷୋତ୍ତମପୁରରେ ୧୧୧୪ ଏଚ୍‌ଆଇଭି ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଖଲ୍ଲିକୋଟରେ ୯୨୦, ହି˚ଜିଳିକାଟୁରେ ୮୪୪, କବିସୂର୍ଯ୍ୟନଗରରେ ୭୯୬, ବେଲଗୁଣ୍ଠାରେ ୭୪୩, ଶେରଗଡ଼ରେ ୭୦୪, ଭ˚ଜନଗରରେ ୬୪୫, ର˚ଗେଇଲୁଣ୍ତାରେ ୬୨୮ ଓ ବ୍ରହ୍ମପୁର ମହାନଗରରେ ୯୪୧ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

ବିଶେଷଜ୍ଞଙ୍କ ମତରେ, ଏଡ୍‌ସ ପିଜିଟିଭ୍‌ ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି ଦାଦନ ସମସ୍ୟା। ବିଶେଷ କରି ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁଁ ଏହି ରୋଗ ଅଧିକ ମାତ୍ରାରେ ବ୍ୟାପୁଥିବା କହିଛନ୍ତି।

ସମ୍ବନ୍ଧିତ ଖବର