ଗଞ୍ଜାମ: ବାର୍‌ହା ହାବୁଡ଼ରେ ପଡ଼ି ବୃଦ୍ଧ ଚାଷୀ ଆହତ

ଭଞ୍ଜନଗର: ରବିବାର ସକାଳେ ଗୋଟାଏ ବଣୁଆ ବାର୍‌ହା ହାବୁଡ଼ରେ ପଡ଼ି ଭଞ୍ଜନଗର ଗାଙ୍ଗପୁର ଥାନା ଅନ୍ତର୍ଗତ ଶିଙ୍ଗମର୍ଦ୍ଦନ ଗାଁ’ର ଜଣେ ବୃଦ୍ଧ କୃଷକଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହୋଇପଡ଼ିଛି।

ଆହତ ବୃଦ୍ଧଜଣକ ହେଉଛନ୍ତି ୭୦ ବର୍ଷିୟ ମୋଚିରାମ ବେହେରା। ସକାଳ ପ୍ରାୟ ୭ଟା ବେଳେ ମୋଚି ପାଚିଲା ଧାନ କାଟିବାକୁ କ୍ଷେତକୁ ଯାଇଥିଲେ। ଅଚାନକ ଧାନକ୍ଷେତରୁ ଗୋଟାଏ ବଣୁଆ ବାର୍‌ହା ବାହାରି ପଡ଼ି ତାଙ୍କୁ ଆକ୍ରମଣ କରିଥିଲା। ପରେ ଅବଶ୍ୟ ମୋଚିଙ୍କ ଚିତ୍କାର ଶୁଣି ବାର୍‌ହାଟି ହୁରିଡ଼ି ପଳାଇ ଯାଇଥିଲା।

ବାର୍‌ହା ଦାନ୍ତ ଆଘାତରେ ମୁହଁ ବିଦୀର୍ଣ୍ଣ ହୋଇ ଯାଇଥିବା ମୋଚିଙ୍କୁ ଅନ୍ୟ ଚାଷୀ ଓ ସ୍ଥାନୀୟ ଲୋକେ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳରେ ଭର୍ତ୍ତି କରିଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ହୋଇପଡ଼ିଥିବା ଡାକ୍ତରଖାନା ତରଫରୁ ପ୍ରକାଶ।

ସମ୍ବନ୍ଧିତ ଖବର