ଗଞ୍ଜାମ ପୁଲିସ ଜିଲ୍ଲାର ୨୦୨୦ ଅପରାଧ ଗ୍ରାଫ୍‌ : ବର୍ଷକରେ ୬୧ ହତ୍ୟା, ୧୧୭ ଦୁର୍ଷ୍କମ ମାମଲା

ଛତ୍ରପୁର : ୨୦୨୦ ବର୍ଷଟି ଗଞ୍ଜାମ ଜିଲ୍ଲା ଲାଗି ଥିଲା ଘଟଣା ବହୁଳ। ବର୍ଷ ଆରମ୍ଭ ରୁ ହିଁ ଗୋଟିଏ ପରେ ଗୋଟିଏ ଘଟଣା ଘଟି ଚାଲିଥିଲା। ବର୍ଷର ଅଧା ସମୟକୁ କରୋନା କବଳିତ କରି ରଖିଥିଲା। ଜନସାଧାରଣ ଗୃହାବଦ୍ଧ ହୋଇଥିଲେ। ଏଭଳି ସ୍ଥିତିରେ ବି ଗଞ୍ଜାମ ପୁଲିସ ଜିଲ୍ଲା ଅପରାଧ ଘଟି ଚାଲିଥିଲା। କିନ୍ତୁ ପୂର୍ବବର୍ଷ ମାନଙ୍କ ତୁଳନାରେ ଟିକେ ଅପରାଧ କମିଥିବା ପରିସଂଖ୍ୟାନରୁ ଜଣାପଡ଼ିଛି। ୨୦୨୦ରେ ଗଞ୍ଜାମ ପୁଲିସ ଜିଲ୍ଲାରେ ୬୧ଟି ହତ୍ୟା ଏବଂ ୧୧୭ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ,ଗଞ୍ଜାମ ପୁଲିସ ଜିଲ୍ଲାରେ ୨୦୧୭ରେ ୭୨ଟି, ୨୦୧୮ରେ ୭୪ଟି ଏବଂ ୨୦୧୯ରେ ୭୨ଟି ହତ୍ୟାକାଣ୍ତ ଘଟିଛି। ୨୦୨୦ ମସିହାରେ ଗଞ୍ଜାମ ପୁଲିସ ଜିଲ୍ଲାରେ ସମୁଦାୟ ୭୮୫୮ଟି ମାମଲା ରୁଜୁ ହୋଇଛି। ଏଥିରେ ୪୧୬୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୧୨୨ଜଣ ମହିଳା ରହିଛନ୍ତି। ରୁଜୁ ମାମଲା ଗୁଡ଼ିକ ମଧ୍ୟରେ  ୬୧ଟି ହତ୍ୟାକାଣ୍ତ, ୧୧୭ଟି ଦୁଷ୍କର୍ମ,   ୩୬ଟି ଲୁଟ୍, ୧୫୩ଟି ସିନ୍ଧିଚୋରି, ୨୨୧ଟି ଚୋରି, ୧୩୯ଟି ଠକେଇ, ୮୮ଟି ଗୋଷ୍ଠୀ ସଂଘର୍ଷ ମାମଲା ଅନ୍ତର୍ଭୁକ୍ତ। ଗଞ୍ଜାମ ପୁଲିସ ଜିଲ୍ଲାରେ ୨୦୨୦ରେ ୪୧୬ ଦୁର୍ଘଟଣା ଜନିତ ମାମଲା ରୁଜୁ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଗତ ବର୍ଷ ସର୍ବାଧିକ ଅବକାରୀ ମାମଲା ରୁଜୁ ହୋଇଛି। ଗଞ୍ଜାମ ଜିଲ୍ଲାରେ ବର୍ଷକ ୨୯୫୮ ଅବକାରୀ ମାମଲା ରୁଜୁ ହୋଇ  ଏକଲକ୍ଷ ୫୪ ହଜାର ୩୧୭ ଲିଟର ବେଆଇନ ରନ୍ଧାମଦ, ୮୫ ହଜାର ୨୪ ଲିଟର ଭାଟିମଦ, ୨୩ ହଜାର ୪୨୫ ଲିଟର ବିଦେଶୀ ମଦ ଏବଂ ୩୨ ହଜାର ୭୨୦ ମହୁଲ ମଦ ଜବତ କରାଯାଇଛି। ୪୦୮ଟି ଜୁଆ ଆଡା ଉପରେ ଚଢଉ କରି ୪ କୋଟି ୭ ଲକ୍ଷ ୩ ହଜାରର ୬୬୫ ଟଙ୍କା ଜବତ କରାଯାଇଛି। ଅତ୍ୟଧିକ ଅବକାରୀ ମାମଲା ରୁଜୁ ହେବା ‌ଯୋଗୁଁ  ପୂର୍ବବର୍ଷ ଗୁଡିକୁ ତୁଳନାରେ ୨୦୨୦ରେ ମାମଲା ସଂଖ୍ୟା ବୃଦ୍ଧି ପାଇଛି। ୨୦୧୬ ମସିହାରେ ମୋଟ ୪୮୦୬ଟି ମାମଲାରେ ୭୪୬୩ ଜଣ ଗିରଫ ହୋଇଥିଲେ। ୨୦୧୭ ମସିହାରେ ୪୯୩୨ ଟି ମାମଲାରେ ୭୦୬୩ ଜଣ, ୨୦୧୮ ମସିହାରେ ୫୫୫୧ ଜଣଙ୍କ ମାମଲାରେ ୬୬୫୫ଜଣ ଏବଂ ୨୦୧୯ରେ ୬୧୯୪ଟି ମାମଲାରେ ୮୬୨୦ ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର