ଗଞ୍ଜାମ ପୁଲିସ ହାଇକୋର୍ଟ ଗଲା

ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ କୃଷ୍ଣଚନ୍ଦ୍ର ଓ ଦୁର୍ଯ୍ୟୋଧନଙ୍କ ରିମାଣ୍ଡ ପାଇଁ ଆବେଦନ

କଟକ : ଛତ୍ରପୁର ଏନ୍‌ଏସି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ(ବଚନ) ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ବିଜେପି ଜିଲ୍ଲା ସଂପାଦକ କୃଷ୍ଣଚନ୍ଦ୍ର ନାୟକ ଓ ଲକ୍ଷ୍ମୀପୁର ସମିତି ସଭ୍ୟ ପିତୁ ଓରଫ୍‌ ଏନ୍‌.ଦୁର୍ଯ୍ୟୋଧନ ରେଡ୍ଡିଙ୍କୁ ରିମାଣ୍ଡରେ ନେବା ପାଇଁ ଗଞ୍ଜାମ ପୁଲିସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। କୃଷ୍ଣଚନ୍ଦ୍ର ଓ ଦୁର୍ଯ୍ୟୋଧନଙ୍କୁ ପୁଣି ରିମାଣ୍ଡରେ ନେବା ପାଇଁ ଛତ୍ରପୁର ପୁଲିସର ସାନି ଆବେଦନକୁ ନଭେମ୍ବର ୮ରେ ଛତ୍ରପୁର ଏସଡିଜେଏମ୍‌ ଅଦାଲତ ଖାରଜ କରିଥିଲେ। ଏସଡିଜେଏମ୍‌ ଅଦାଲତଙ୍କ ଏହି ନିର୍ଦ୍ଦେଶ ବିରୋଧରେ ଗଞ୍ଜାମ ପୁଲିସ ହାଇକୋର୍ଟରେ ଆବେଦନ କରିଥିବା ବେଳେ ମାମଲାର ଅଧିକ ତଦନ୍ତ ପାଇଁ ଦୁଇ ଅଭିଯୁକ୍ତଙ୍କୁ ଅଧିକ ଦିନ ରିମାଣ୍ଡରେ ନେବା ଆବଶ୍ୟକ ବୋଲି ଆବେଦନରେ ଦର୍ଶାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ କୃଷ୍ଣଚନ୍ଦ୍ର ଓ ଦୁର୍ଯ୍ୟୋଧନଙ୍କୁ ଗିରଫ କରାଯିବା ପରେ ପ୍ରଥମ ଦଫାରେ ଗଞ୍ଜାମ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ୭ ଦିନ ରିମାଣ୍ଡରେ ଆଣି ପଚରା ଉଚୁରା କରିଥିଲା। ରିମାଣ୍ଡ ସରିବା ପରେ ଗତ ୬ ତାରିଖରେ ପୁଲିସ ଉଭୟଙ୍କୁ ଅଦାଲତରେ ହାଜର କରିଥିଲା। ସେଦିନ ପୁଣିଥରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ପୁଲିସ ଆବେଦନ କରିଥିଲେ ମଧ୍ୟ ଉପଯୁକ୍ତ କାରଣ ଦର୍ଶାଯାଇ ନଥିବାରୁ ଏସଡିଜେଏମ୍‌ ଅଦାଲତ ରିମାଣ୍ଡ ଆବେଦନ ଖାରଜ କରିଥିଲେ। ଏହା ପରେ ନଭେମ୍ବର ୮ରେ ପୁଲିସ ପୁଣି ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ଏସଡିଜେଏମ୍‌ ଅଦାଲତରେ ଆବେଦନ କରିଥିଲା। ଏହାକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଥିଲେ।

ସମ୍ବନ୍ଧିତ ଖବର