ବ୍ରହ୍ମପୁର: ପ୍ରଥମ ପର୍ଯ୍ୟାୟ ଭୋଟିଂ ପର୍ଯ୍ୟନ୍ତ ସାରା ଜିଲ୍ଲା ଯେଭଳି ଶାନ୍ତ ଥିଲା, ଆଶା ଥିଲା ଅପରାଧପ୍ରବଣ ଗଞ୍ଜାମ ସୁରୁଖୁରୁରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ବି ଶେଷ ହେବ। କିନ୍ତୁ ଭୋଟ ଦିନ ରାଜନୀତି ହିଂସାତ୍ମକ ମୋଡ଼ ନେଲା। ବିଶେ‌ଷ କରି ଚିକିଟି, ଦିଗପହଣ୍ଡି, ଗୋପାଳପୁର ଓ ବ୍ରହ୍ମପୁରରେ ମତଦାନ ଦିନ ଦେଖିବ‌ାକୁ ମିଳିଲା ବ୍ୟାପକ ହିଂସା, ହଣାକଟା। ରାଜନୈତିକ କ୍ଷମତା ଦଖଲ ପାଇଁ ଜିଲ୍ଲାରେ ନିର୍ବାଚନ ଲଢ଼େଇ ଏବେ ହିଂସା ଆଡ଼କୁ ଗତି କରି ସାରିଲାଣି। ପରଦା ପଛରେ ରହି ନେତାମାନେ ଗୋଟି ଚାଳନା କରୁଛନ୍ତି, ବଳି ପଡ଼ୁଛନ୍ତି ନିରୀହ କର୍ମୀ। ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହିଂସା ଘଟି ବୁଧବାର ଖଲ୍ଲିକୋଟ ଅଞ୍ଚଳର ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଲା। ଏଥିରେ ଏକାଧିକ ଆହତ ହୋଇଛନ୍ତି। ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ଶତ୍ରୁତା ଓ ଗୋଷ୍ଠୀ କନ୍ଦଳ ଯୋଗୁଁ ୭ଟି ମୁଣ୍ଡ ଗଡ଼ିଥିଲା। ସାଧାରଣ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବା ପାଇଁ ଉଭୟ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲା ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବହୁ ପେସାଦାର ଅପରାଧୀଙ୍କ ନାମରେ ୧୦୭ ଓ ୧୧୦ ଦଫା ଲଗାଯାଇ ଜେଲ୍‌ ଭିତରେ ଠୁଙ୍କିଛି ପୁଲିସ। ଏହାସତ୍ତ୍ବେ ଜିଲ୍ଲାରେ ହିଂସା ବନ୍ଦ ହେଉନାହିଁ। ଗତ ରାତିରେ ଖଲ୍ଲିକୋଟରେ ସଂଘର୍ଷ ଓ ହତ୍ୟା ଘଟଣାକୁ ନେଇ ଆଜି ଦିନ ତମାମ ଉତ୍ତେଜନା, ପୁଲିସ-ଜନତା ଛକାପଞ୍ଝା, ପୁଲିସକୁ ପଥରମାଡ଼, ବିକ୍ଷୋଭକାରୀଙ୍କୁ ପୁଲିସର ଲାଠିମାଡ଼ ଭଳି ସ୍ଥିତି ଜାରି ରହିଥିବା ବେଳେ ଏପଟେ ଆଜି ପୋଲସରାରେ ପୁଣି ଜଣେ ବିଜେଡି କର୍ମୀଙ୍କୁ ଗୁଳିମାଡ଼ ହୋଇଛି। ଏ ସବୁ ଘଟଣା ଗଞ୍ଜାମ ଜିଲ୍ଲାର ଆଇନଶୃଙ୍ଖଳାକୁ ପଦାରେ ପକାଇଛି।

Advertisment

ଜଣେ ମୃତ, ଏକାଧିକ ଆହତ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ନିନ୍ଦା
ହିଂସା ସୃଷ୍ଟିକାରୀଙ୍କୁ ଦୃଢ଼ ହସ୍ତରେ ଦମନ ପାଇଁ ଜିଲ୍ଲାପାଳ, ଏସ୍‌ପିଙ୍କୁ ସିଇଓଙ୍କ ନିର୍ଦ୍ଦେଶ

ସାଧାରଣ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ପୁଲିସ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପ୍ରତ୍ୟେକ ଥାନା ଇଲାକାରେ ଫ୍ଲାଗ୍‌ମାର୍ଚ୍ଚ କରାଯିବା ସହିତ ୩ଜଣ ହାର୍ଡ଼କୋର୍‌ ଅପରାଧୀଙ୍କୁ କିଛିମାସ ତଳେ ଜାତୀୟ ନିରାପତ୍ତା ଆଇନ(ଏନ୍‌ଏସ୍‌ଏ)ରେ ଗିରଫ କରାଯାଇଥିଲା। ଏହା ସହିତ ଅସାମାଜିକଙ୍କ ଉପରେ ବରାବର ନଜର ରଖିଥିଲା ପୁଲିସ। ଗତ ୧୩ ତାରିଖରେ ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଓ ଏହା ଅଧୀନରେ ଥିବା ୭ଟି ବିଧାନସଭା ନିମନ୍ତେ ଭୋଟ୍‌ ଗ୍ରହଣ ହୋଇଥିଲା। ଏହି ସମୟରେ ବ୍ରହ୍ମପୁର, ଚିକିଟି ଓ ଗୋପାଳପୁର ନିର୍ବାଚନମଣ୍ଡଳୀ ଅଧୀନ ଗୋଳନ୍ଥରା, ଦିଗପହଣ୍ଡିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା। ଚିକିଟି ଓ ଗୋଳନ୍ଥରାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ବ୍ରହ୍ମପୁରରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାଶ ଓରଫ୍‌ ପିଣ୍ଟୁ ବିଜେପି ସାଂସଦ ପ୍ରାର୍ଥୀ ଡ.ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ପୁଲିସ ଉପସ୍ଥିୁତିରେ ଆକ୍ରମଣ କରିଥିଲେ। ପ୍ରଦୀପ ଗୁରୁତର ଅବସ୍ଥାରେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଗୋସାଇଁ ନୂଆଗାଁ ଥାନା ପୁଲିସ ପ୍ରାର୍ଥୀ ପିଣ୍ଟୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଏବେ ଜେଲ୍‌ରେ। ପିଣ୍ଟୁଙ୍କ ଗିରଫଦାରି ପ୍ରତିବାଦରେ ଗତ ୧୩ତାରିଖ ରାତିରେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଗୋସାଇଁ ନୂଆଗାଁ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ ବିକ୍ଷୋଭକାରୀଙ୍କୁ ଲାଠି ମାଡ଼ କରି ସେଠାରୁ ହଟାଇବା ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଉଭୟ ପୁଲିସ ଓ ବିକ୍ଷୋଭକାରୀ ଆହତ ହୋଇଥିଲେ।

ଏହି ଘଟଣା ପରେ ଗତକାଲି ରାତିରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଏକ ବଡ଼ଧରଣର ହିଂସାକାଣ୍ଡ ଘଟିଛି। ଏହି ଘଟଣାରେ ବିଜେପି କର୍ମୀ ଦିଲ୍ଲୀପ ପାହାନ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ଦୁଇଜଣ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି। ବିଜେଡି ଗୋଷ୍ଠୀ ତରଫରୁ ଏଭଳି ଆକ୍ରମଣ କରାଯାଇଥିବା ଅଭିଯୋଗ ନେଇ ବହୁ ଜନତା ଓ ବିଜେପି କର୍ମୀ ଖଲ୍ଲିକୋଟ ଥାନା‌ ଘେରାଉ କରିଛନ୍ତି। ପୁଲିସ ଏହି ଘଟଣାରେ ୮ଜଣଙ୍କୁ ଗିରଫ କରିଛି। ଏହାକୁ ନେଇ ଏବେ ଖଲ୍ଲିକୋଟ ଅଶାନ୍ତ ହୋଇପଡ଼ିଛି। ଏହାପରେ ଆଜି ପୋଲସରାରେ ଗଣି ଖଟେଇ ନାମକ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଗୁଳି ତାଙ୍କର ମୁଣ୍ଡକୁ ଛୁଇଁ ଚାଲି ଯାଇଛି। ଗଣି ଜଣେ ବିଜେଡି କର୍ମୀ ବୋଲି ସୂଚନା ମିଳିଛି। ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନକୁ ଆଉ ମାତ୍ର ୩ଦିନ ବାକି ଅଛି। ୨୦ ତାରିଖରେ ମତଦାନ ହେବାକୁ ଥିବା ବେଳେ ଜିଲ୍ଲାରେ ଶାନ୍ତି ବଜାୟ ରଖିବା ପୁଲିସ ପାଇଁ ଚାଲେଞ୍ଜ ହୋଇଛି।

ସେପଟେ ଖଲ୍ଲିକୋଟ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ ଜରିଆରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। କହିଛନ୍ତି ଯେ ଆମ ଗଣତନ୍ତ୍ର ଓ ସଭ୍ୟ ସମାଜରେ ଏଭଳି ହିଂସାର କୌଣସି ସ୍ଥାନ ନାହିଁ। ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନିନ୍ଦା କରିବା ସହିତ ପୁଲିସ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା ପୋଷଣ କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇ ଶୋକ ପ୍ରକାଶ କରିବା ସହିତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ବିଜେପି କର୍ମୀଙ୍କ ଉପରେ ବିଜେଡି କର୍ମୀଙ୍କ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହିତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ନିକୁଞ୍ଜ ବିହାରୀ ଧଳ ଗଞ୍ଜାମ ଜିଲ୍ଲାରେ ଦେଖାଇଥିବା ନିର୍ବାଚନୀ ହିଂସାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟରେ କୌଣସି ସ୍ଥାନରେ ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଶାନ୍ତି ବଜାୟ ରଖିବା ଏବଂ ହିଂସା ସୃଷ୍ଟିକାରୀଙ୍କୁ ଦୃଢ଼ ହସ୍ତରେ ଦମନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।