ଗଞ୍ଜାମରେ ଅଘୋଷିତ ଧାନ ମଣ୍ଡି ବନ୍ଦ !

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ସ୍ଥିତି ଦୟନୀୟ। ଧାନ ଅମଳ କରି ଶୀତ କାକରରେ ଖଳାରେ ଧାନକୁ ଜଗି ବସିଥିବା ବେଳେ ଟୋକନ୍‌ ଆସୁ ନ ଥିବାରୁ ବିକ୍ରି କରି ପାରୁନାହାନ୍ତି। ଜିଲ୍ଲାରେ ଅଦ୍ୟାବଧି ଅର୍ଦ୍ଧାଧିକ ଚାଷୀ ଧାନ ବିକ୍ରି କରି ନ ପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଜିଲ୍ଲାର ୪୫୧ ମଣ୍ଡିରୁ ୯୫ ପ୍ରତିଶତରୁ ଅଧିକ ମଣ୍ଡିରେ ସପ୍ତାହରୁ ଅଧିକ ଦିନ ହେଲା ଟୋକନ୍‌ ନଥିବାରୁ ଧାନ କିଣା ବନ୍ଦ ହୋଇଯାଇଛି। ସରକାର ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ଅଘ‌ୋଷିତ ଭାବେ ଧାନ କିଣା ବନ୍ଦ କରି ‌ଦେଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ୪ଥର ଲଗାଣ ବର୍ଷା ସତ୍ତ୍ବେ ଧାନ ଫସଲ ଭଲ ହୋଇଥିଲା। ସରକାରଙ୍କୁ ଧାନ ବିକ୍ରି କରି ଭଲ ଦି ପଇସା ପାଇବ ବୋଲି ଜିଲ୍ଲାର ଚାଷୀମାନେ ଆଶା କରିଥିଲେ। ଚଳିତ ବର୍ଷ ୩୯୮ଟି ପ୍ୟାକ୍ସ, ୫୨ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଗୋଟିଏ ପାଣି ପଞ୍ଚାୟତ ଜରିଆରେ ଧାନ କିଣାଯିବାକୁ ସ୍ଥିର ହୋଇଥିଲା।ଜିଲ୍ଲାରେ ୪୦ଲକ୍ଷ କ୍ବିଣ୍ଟାଲ ଧାନ କିଣାବା ଲାଗି ଟାର୍ଗେଟ ମିଳିଛି।  ନଭେମ୍ବର ୧୫ ତାରିଖରୁ ଜିଲ୍ଲାର ସମସ୍ତ ମଣ୍ଡି ଖୋଲି ଧାନ କିଣା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଡିସେମ୍ବର ଦ୍ବିତୀୟ ସପ୍ତାହରୁ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିଲା। ଧାନ ବିକ୍ରି ଲାଗି ଜିଲ୍ଲାର ୧ଲକ୍ଷ ୩୪ହଜାର ଚାଷୀ ପଞ୍ଜୀକରଣ କରିଥିଲେ। ଆଜି ସୁଦ୍ଧା ଜିଲ୍ଲାର ୩୪ ଲକ୍ଷ ଚାଷୀଙ୍କ ଠାରୁ ୭୪ହଜାର ୫ଶହ କ୍ବିଣ୍ଟାଲ ଧାନ କିଣା ଯାଇଥିବା ଜଣାପଡ଼ିଛି। ମିଳିଥିବା
ସୂଚନା ଅନୁଯାୟୀ ଆସିକା ଏଆରସିଏସ୍‌ଙ୍କ ଅଧୀନରେ ୧୨୪ଟି ପ୍ୟାକ୍ସ ରହିଛି। ସେଥିରେ ୩୯ହଜାର ୯୯୬ ଜଣ ଚାଷୀଙ୍କ ମଧ୍ୟରୁ ୨୨ହଜାର ୭୫୮ଜଣ ଚାଷୀ ୧୧,୧୭,୯୭୦ କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି। ଟୋକନ୍‌ ଆସୁ ନ ଥିବାରୁ ୧୭୨୩୮ଜଣ ଚାଷୀ ଧାନ ବିକ୍ରି କରିପାରୁ ନ ଥିବା ଜଣାପଡିଛି। ଏହି ଇଲକାରେ ବାଲିପଦର ସୋସାଇଟିର ୫୧ଜଣ ଚାଷୀଙ୍କ ଟୋକନ ଆସୁ ନ ଥିବାରୁ ଧାନ ବିକ୍ରି କରିପାରୁନାହାନ୍ତି। ସେହିପରି ବ୍ରହ୍ମପର ଏଆ‌ରସିଏସ୍‌ଙ୍କ ଅଧୀନରେ ୧୨୫ଟି ସୋସାଇଟିର ୩୨ହଜାର ୨୨୨ଚାଷୀଙ୍କ ମଧ୍ୟରୁ ୧୯୩୭୭ ଜଣ ଚାଷୀ ୯,୯୦,୭୦୫ କ୍ବିଣ୍ଟାଲ ଧାନ ବିକ୍ର କରିଛନ୍ତି। ବାକି ୧୨,୮୪୫ଚାଷୀ ଟୋକେନ ନ ଥିବାରୁ ଧାନ ବିକ୍ରି କରିପାରୁନାହାନ୍ତି। ସେହିପରି ଛତ୍ରପୁର ଏଆରସିଏସ୍‌ ଅଧୀନରେ ରହିଥିବା ସୋସାଇଟି ଗୁଡ଼ିକରେ ଅନୁରୂପ ସ୍ଥିତି ଉପୁଜିଛି। ଟୋକନ୍‌ ଆସୁ ନ ଥିବାରୁ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ। ଚାଷୀଙ୍କ ମଧ୍ୟରେ ଅସ‌ନ୍ତୋଷ ଦାନା ବାନ୍ଧୁଛି। କୃଷକ ସଂଗଠନ ଗୁଡ଼ିକ ବଡ଼ଧରଣ ଆନ୍ଦୋଳନ ଲାଗି ପ୍ରସ୍ତୁତି ଚଳାଇଛନ୍ତି।
ପ୍ରତିବର୍ଷ ଡିସେମ୍ବରରୁ ଏପ୍ରିଲ ଶେଷ ଯାଏ ଧାନ କିଣା ଯାଇଥାଏ। ଗତ ବର୍ଷ ପୂର୍ବ ସୂଚନା ନ ଦେଇ ସରକାର ମାର୍ଚ୍ଚରୁ ଧାନ କିଣା ବନ୍ଦ କରିବାକୁ ନିଷ୍ପତ୍ତି ନେଲେ। ଫଳରେ ଗତବର୍ଷ ଜିଲ୍ଲାର ଅର୍ଦ୍ଧାଧିକ ଚାଷୀ ଧାନ ବିକ୍ରି କରିପାରିଲେ ନାହିଁ। ଚଳିତ ବର୍ଷ ମାର୍ଚ୍ଚ ୩୧ ଯାଏ ଧାନ କିଣିବା ଲାଗି ସରକାର ଯୋଜନା କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଟୋକନ୍‌ ବ୍ୟବସ୍ଥା‌ ଆରମ୍ଭ କରିଛନ୍ତି। କିନ୍ତୁ ଗତ ୭ଦିନ ହେଲା ସରକାର ଟୋକନ୍‌ ନ ‌ଦେଇ ଗଞ୍ଜାମ ଜିଲ୍ଲାରେ ଧାନ କିଣା ବନ୍ଦ କରି ଦେଇଥିବା କୁହାଯାଉଛି। ଏ ସମ୍ପର୍କରେ ଏସିଏସ୍‌ଓ(ପ୍ରକ୍ୟୁର୍‌ମେଣ୍ଟ) ଉମେଶ ସ୍ବାଇଁଙ୍କୁ ପଚାରିବାରୁ ଆଜି ସନ୍ଧ୍ୟା ସୁଦ୍ଧା କିଛି ସୋସାଇଟିକୁ ଟୋକନ୍‌ ଆସିଥିବା କହିଛନ୍ତି। କିନ୍ତୁ ବାସ୍ତବରେ ଏ ଯାଏ ଟୋକନ ସଂକ୍ରାନ୍ତରେ ଚାଷୀଙ୍କୁ ସୂଚନା ଆସିନାହିଁ କି ସୋସାଇଟି ଟୋକନ୍‌ ପାଇ ନ ଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି
ସମ୍ବନ୍ଧିତ ଖବର