ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କରୋନା ସଂକ୍ରମଣ ଓ ମୃତ୍ୟୁ ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ମେ ୨ତାରଖରୁ ଜୁନ୍‌ ୩୦ ସୁଦ୍ଧା ୨ ମାସରେ କରୋନାରେ ସଂକ୍ରମିତ ହୋଇ ଜିଲ୍ଲାରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ଏହି ସମୟ ଭିତରେ ‌ମୋଟ ‌‌୧୩୭୦ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଏବେ ଗତ ୧୦ଦିନ ମଧ୍ୟରେ ଜିଲ୍ଲାର ଆଉ ୨୧ଜଣଙ୍କ ମୃତ୍ୟୁ ଘଟିଲାଣି ଏବଂ ୨୦୪୬ ଜଣ ସଂକ୍ରମିତ ହେଲେଣି। ୧୦ଦିନରେ ମୃତ୍ୟୁ ଓ ସଂକ୍ରମଣ ହାର ୨ଗୁଣ ହୋଇଛି। ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ଅଧିକ ସ୍ଥାନୀୟ ଲୋକ ସଂକ୍ରମିତ ଚିହ୍ନଟ ହେଉଥିବାରୁ ସ୍ଥିତି ଜଟିଳ ହେବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ଦିନକରେ ୪ଜଣ ମୃତ୍ୟୁ ଘଟିଥିବା ବେଳେ ରେକର୍ଡ଼ ୩୨୦ ଜଣଙ୍କ ପଜିଟିଭ୍‌ ରିପୋର୍ଟ ଆସିଛି।

Advertisment

ଅନ୍ୟପକ୍ଷରେ ଜିଲ୍ଲାରୁ ଆଜି ରେକର୍ଡ ସଂଖ୍ୟକ ୧୮୫ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାର ସମୁଦାୟ ସୁସ୍ଥ ସଂଖ୍ୟା ୧୮୯୨ରେ ପହଞ୍ଚିଛି। ଜିଲ୍ଲାରୁ ଆଜି ସୁଦ୍ଧା ସମୁଦାୟ ୩୪୧୬ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ୧୪୮୯ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

publive-image

ଆଜି ଜିଲ୍ଲାରେ ଯେଉଁ ୪ଜଣଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ଉଚ୍ଚ ରାକ୍ତଚାପରେ ପୀଡ଼ିତ ୪୧ବର୍ଷୀୟ ଯୁବକ, ୫୮ବର୍ଷୀୟ ପୁରୁଷ, ମଧୁମେହ ରୋଗରେ ପୀଡ଼ିତ ୪୮ବର୍ଷୀୟ ଓ ୩୨ ବର୍ଷୀୟ ପୁରୁଷ ରହିଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ ୩୫ଜଣଙ୍କ ମୃତ୍ୟୁ ଘଟିଛି। ଏଥିରୁ ୩୪ଜଣ କରୋନାରେ ଏବଂ ଜଣଙ୍କର ଅଣ କୋଭିଡ଼୍‌ ମୃତ୍ୟୁ ଘଟିଛି।

ଏହି ମହାମାରୀ ଯୋଗୁଁ ବ୍ରହ୍ମପୁର ସହର ଅବସ୍ଥା ମଧ୍ୟ ଏବେ ସଂଗିନ ସ୍ଥିତିରେ। ସହରର ଅଧିକଂଶ ସାହିକୁ ସଂକ୍ରମଣ ମାଡ଼ିଗଲାଣି। ବ୍ରହ୍ମପୁର ସହରରୁ ଜୁନ ୧୭ଠାରୁ ଆଜି ସୁଦ୍ଧା ୪୯୯ଜଣ ଚିହ୍ନଟ ହେଇଛନ୍ତି। ଜିଲ୍ଲାର ସହରାଞ୍ଚଳ ମଧ୍ୟରେ କବିସୂର୍ଯ୍ୟନଗରର ସ୍ଥିତି ମଧ୍ୟ ଚିନ୍ତାଜନକ ରହିଛି। ୨୨ଟି ବ୍ଲକ୍‌ ଇଲାକା ମଧ୍ୟରେ ସାନଖେମୁଣ୍ଡି ଏବଂ ଆସିକା ସ୍ଥିତି ଅଣାୟତ୍ତ ଅଛି। ଏହି ଦୁଇ ବ୍ଲକ୍‌ ଇଲକାରେ ୨ଶହରୁ ଅଧିକ‌ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହେଲେଣି।

ଆଜି ଗଞ୍ଜାମରୁ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ କୋଭିଡ଼୍‌ ଯୋଦ୍ଧା ୬୫ଜଣ, ରାଜ୍ୟ ବାହାର ଫେରନ୍ତା ୯ଜଣ ଓ ସ୍ଥାନୀୟ ସଂକ୍ରମିତ ୨୪୬ଜଣ ରହିଛନ୍ତି।