ବ୍ରହ୍ମପୁର : କୃଷିପ୍ରଧାନ, ବିଶେ‌ଷ କରି ଧାନ ଓ ପରିବା ଫସଲ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ମାଟିର ଉର୍ବରତା ହ୍ରାସ ପାଉଛି। ଫଳରେ ଫସଲ ଅମଳରେ ଏହାର ପ୍ରଭାବ ପଡ଼ି ଚାଲିଥିବା ଦେଖିବାକୁ ମିଳୁଛି। ମାଟିରେ ଲବଣ ଓ ଖାରି ଅଂଶ ବୃଦ୍ଧି ପାଇବା ଯୋଗୁଁ ଏଭଳି ସମସ୍ୟା ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ଉର୍ବରତା ହ୍ରାସ ଯୋଗୁଁ ଭଲ ଫସଲ ନହେବାରୁ ଚାଷୀ ବାଧ୍ୟ ହୋଇ ସେମାନଙ୍କ ଜମି ବିକ୍ରି କରି ଦେଉଛନ୍ତି। ମାତ୍ରାଧିକ ୟୁରିଆ ସାର ପ୍ରୟୋଗ ଓ କିଟନାଶକ ସିଞ୍ଚନ ଦ୍ବାରା ଏଭଳି ସମସ୍ୟା ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ବିଶେଷତଃ ଜିଲ୍ଲାରେ ସମୁଦ୍ର କୂଳିଆ ବ୍ଲକ୍‌ ଗୁଡ଼ିକରେ ଏହି ସ୍ଥିତି ସାଂଘାତିକ। ମାଟି ଅଧିକ ଲବଣକ୍ତ ହେଉଥିବା ଯୋଗୁଁ ଫସଲ ଅମଳ କମୁଛି, ଚାଷଜମି ପରିମାଣ ମଧ୍ୟ କମି କମି ଚାଲିଛି।

Advertisment

ସମୁଦ୍ର ଉପକୂଳରେ ରହିଛି ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ, ଛତ୍ରପୁର, ଗଞ୍ଜାମ, ରଂଗେଇଲୁଣ୍ଡା ଓ ଚିକିଟି ବ୍ଲକ୍‌ ସମୁଦ୍ର କୂଳିଆ ଅଞ୍ଚଳରେ ରହିଛି। ଏଣୁ ଏହି ବ୍ଲକ୍‌ର ଅଧିକାଂଶ ଗାଁର ମାଟିରେ ଲବଣ ଅଂଶ ରହିଛି। ସେହିପରି ପାଣି ମଧ୍ୟ ଖାରି। ଏଣୁ ଏଭଳି ମାଟିରେ ଭଲ ଅମଳ ହୁଏ ନାହିଁ। ଏଭଳି ମାଟିର ମାନ ପରୀକ୍ଷା କରିବା ପାଇଁ ରହିଛି ମୃତ୍ତିକା ପରୀକ୍ଷଣ ବିଭାଗ। ଏହି ବିଭାଗ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ମାଟି ସଂଗ୍ରହ କରି ତା’ର ପରୀକ୍ଷା କରିଥାନ୍ତି। ସାଧାରଣତଃ ଚାଷ କାମ ପାଇଁ ମାଟି ଅନୁକୂଳ ଅଛି କି ନାହିଁ, ସେ ଦିଗରେ ଅଧିକ ତଥ୍ୟ ସଂଗ୍ରହ କରାଯାଇଥାଏ। ମାଟିରେ ପିଏଚ୍‌ ଷ୍ଟାଟସ୍‌ (pH- ପାୱାର୍‌ ଅଫ୍‌ ହାଇଡ୍ରୋଜେନ୍‌ ଆୟନ୍‌ ଅଫ୍‌ ସଏଲ୍‌) ୬.୫ରୁ ୭.୫ ରହିଲେ ତାହା ଚାଷ ପାଇଁ ବେଶ ଅନୁକୂଳ। କିନ୍ତୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ସଂଗ୍ରହୀତ ହୋଇଥିବା ମାଟି ନମୁନାରେ ପିଏଚ୍ ଅଧିକ ରହୁଛି। ମୃତ୍ତିକା ପରୀକ୍ଷଣ ବିଭାଗ ତରଫରୁ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଜିଲ୍ଲାର ୨୨ଟି ବ୍ଲକ୍‌ରୁ ୧୦ହଜାର ୬୪ଟି ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ତନ୍ମଧ୍ୟରୁ ୨ହଜାର ୫୧ଟି ନମୁନାରେ ଲବଣ ଅଂଶ ରହିଥିବା ବେଳେ ୧ହଜାର ୬୯୫ଟି ନମୁନାରେ ଖାରି ଅଂଶ ରହିଥିବା ଜଣାପଡ଼ିଛି। ଅନ୍ୟ ୬ହଜାର ୩୧୮ଟି ନମୁନା ସାଧାରଣସ୍ତରରେ ରହିଛି। ମୋଟ ନମୁନାରୁ ୬୧.୫୩ ପ୍ରତିଶତ ନମୁନା ଭଲ ରହିଥିବା ବେଳେ ପ୍ରାୟ ୩୯ ପ୍ରତିଶତ ନମୁନା ଲୁଣି ଓ ଖାରି ରହିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ମାଟିରେ ଲବଣ ଓ ଖାରି ଅଂଶ ବଢ଼ିବା ଯୋଗୁଁ ଉର୍ବରତା ହ୍ରାସ ପାଇଥାଏ। ଫଳରେ ଫସଲ ନଷ୍ଟ ହେବା ସହିତ ଅମଳ କମିଥାଏ। ମାଟିର ଉର୍ବରତା ବୃଦ୍ଧି କରିବା ପାଇଁ ଗୋବର, କମ୍ପୋଷ୍ଟ୍‌ ଖତ ବ୍ୟବହାର କରିବା ପାଇଁ ଚାଷୀମାନଙ୍କୁ ସଚେତନ କରାଯାଉଛି। କିନ୍ତୁ ଚାଷୀ ମାତ୍ରାଧିକ ୟୁରିଆ ପ୍ରୟୋଗ କରୁଥିବା ଯୋଗୁଁ ମାଟିରେ ତା’ର କୁପ୍ରଭାବ ପଡ଼ୁଛି।

ସେହିପରି ମାଟିରେ ଜଳୀୟ ଅଂଶ ମଧ୍ୟ କମୁଛି। ନିଅଣ୍ଟିଆ ବର୍ଷା ଯୋଗୁଁ ଜମି ଶୁଖି ଟାଙ୍ଗରା ପାଲଟି ଯାଉଛି। ଲବଣ ଓ ଖାରି ଅଂଶ ବଢ଼ିବା ଯୋଗୁଁ ମାଟି ଚାଷ ପାଇଁ ଅନୁପଯୋଗୀ ପାଲଟି ଯାଉଛି। ମାଟିକୁ ଚାଷ ପାଇଁ ଅନୁକୂଳ କରିବା ପାଇଁ ପ୍ରାକୃତିକ ସାର ପ୍ରୟୋଗ କରିବା ପାଇଁ ଚାଷୀମାନଙ୍କୁ କୁହାଯାଉଛି। ରଂଗେଇଲୁଣ୍ଡା ବ୍ଲକ୍‌ରୁ ସଂଗ୍ରହ ହୋଇଥିବା ମୋଟ ୮୪୫ ନମୁନାରୁ ୧୪୭ଟି ଲୁଣି ଓ ୧୬୦ଟି ଖାରି ହୋଇଥିବା ବେଳେ ପାତ୍ରପୁର ବ୍ଲକ୍‌ର ୬୭୬ ନମୁନାରୁ ୧୩୬ଟି ଲୁଣି ଓ ୧୫୬ଟି ଖାରି, ଦିଗପହଣ୍ଡିର ୧୪୫୩ ନମୁନାରୁ ୨୭୭ଟି ଲୁଣି ଓ ୧୮୮ଟି ଖାରି, ପୁରୁଷୋତ୍ତମପୁରର ୮୧୫ ନମୁନାରୁ ୨୦୯ଟି ଲୁଣି ଓ ୧୦୯ଟି ଖାରି ଓ ବେଗୁନିଆପଡ଼ା ବ୍ଲକ୍‌ର ୬୭୩ଟି ନମୁନାରୁ ୧୮୯ଟି ଲୁଣି ଓ ୧୧୭ଟି ନମୁନା ଖାରି ରହିଛି।