ମାତ୍ର ୮ ଦିନ ଭିତରେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୧୮ରେ

ବ୍ରହ୍ମପୁର: ଏବେ ଗଞ୍ଜାମ ଜିଲ୍ଲାରେ କରୋନାର ବିସ୍ଫୋରକ ସ୍ଥିତି ପରିଲକ୍ଷିତ ହୋଇଛି। ଆଜି ଚିହ୍ନଟ ହୋଇଥିବା  ୨୯ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି । ଜିଲ୍ଲାରେ ୧୧୭ଟି ଆକ୍ଟିଭ କେସ୍ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାଯାଇଛି।

ସବୁଠାରୁ ବଡ଼ କଥା ହେଉଛି ଯେ ମାତ୍ର ୮ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ତେବେ ଆଗକୁ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ସେହିଭଳି ମହାମାରୀ କରୋନାରେ ରାଜ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ପୂର୍ବରୁ ଭୂତାଣୁ ସଂକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଭୁବନେଶ୍ୱରର ୨ ଜଣ କରୋନାରେ ଆଖି ବୁଜିଥିଲେ ।

ତେବେ ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା ହୋଇଥିବା ଗଞ୍ଜାମ ଉପରେ ସ୍ୱତନ୍ତ୍ର ନଜର ଦେଇଛନ୍ତି ସରକାର । ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଗଞ୍ଜାମ ଗସ୍ତ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଏହି ୭ ଜଣିଆ ଦଳରେ ଅଛନ୍ତି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି । ଆଇସିଏମଆର ଓ ଆରଏମଆରସିର ପ୍ରତିନିଧି ମଧ୍ୟ ଏହି ଟିମରେ ଅଛନ୍ତି । ଜିଲ୍ଲାରେ ଅବରୋଧ ଅଞ୍ଚଳକୁ କିଭଳି କଡ଼ା କଡ଼ି କରାଯିବ ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ, ସେନେଇ ଡାକ୍ତରୀ ସହାୟତା ଯୋଗାଇ ଦେବେ ଏହି ବିଶେଷଜ୍ଞ ଦଳ ।

 

ସମ୍ବନ୍ଧିତ ଖବର