କରୋନାର ପ୍ରଭାବ ଯୋଗୁଁ ଖରିଫ ଚାଷ ପାଇଁ ଏଯାଏ ପ୍ରସ୍ତୁତ ହୋଇନାହିଁ ଗଞ୍ଜାମ ଜିଲ୍ଲାର ଯୋଜନା

ବ୍ରହ୍ମପୁର: ଅକ୍ଷୟ ତୃତୀୟା ଆରମ୍ଭରୁ ଗଞ୍ଜାମ ଚାଷୀ ତା’ର ଚାଷ କାମ ଆରମ୍ଭ କରିଦିଏ। ସେହିଦିନ ଠାରୁ ଅଖି ମୁଠି ଅନୁକୂଳ କରିଥାଏ। ଆଉ ୩ ଦିନ ପରେ ଅକ୍ଷୟ ତୃତୀୟା। କିନ୍ତୁ କରୋନାର ପ୍ରଭାବ ଯୋଗୁଁ ଖରିଫ ଚାଷ ପାଇଁ ଗଞ୍ଜାମ ଜିଲ୍ଲାର ଯୋଜନା ଏଯାଏ ପ୍ରସ୍ତୁତ ହୋଇନାହିଁ। ଲକ୍‌ଡାଉନ୍‌ କଟକଣାରୁ ମୁକ୍ତ ହେବା ପରେ ଜିଲ୍ଲା କୃଷି ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଆଉ ଚାଷୀ ଏବେ ଖରାଟିଆ ଚାଷରେ ଲାଗି ପଡ଼ିଛି। ଜିଲ୍ଲାକୁ ଏ ଯାଏ ବିହନ ଆସିନାହିଁ। ମେ’ ଦ୍ବିତୀୟ ସପ୍ତାହ ପରେ ଜିଲ୍ଲାରେ ବିହନ ବିକ୍ରି ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ଅକ୍ଷୟ ତୃତୀୟା ପୂର୍ବରୁ କିମ୍ବା ପରେ ପରେ ଜିଲ୍ଲାସ୍ତରୀୟ କୃଷି ନିର୍ଦ୍ଧାରଣ କମିଟି ବୈଠକ ବସିଥାଏ। ଏହି ବୈଠକ ଖରିଫରେ କେତେ ଜମିରେ ଧାନ ଚାଷ ହେବ, ବିହନ ଓ ସାରର ଆବଶ୍ୟକତା, କୃଷି ଯନ୍ତ୍ରପାତି ଓ କୃଷି ଋଣ ଏବଂ ଉନ୍ନତ ପ୍ରଣାଳୀରେ ଧାନ ଚାଷ ଆଦି ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥାଏ। ‌କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଜିଲ୍ଲାସ୍ତରରେ ଏହି ବୈଠକ ଏ ପର୍ଯ୍ୟନ୍ତ ବସି ନାହିଁ। ଜିଲ୍ଲା କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ଚାଷୀ ବଡ଼ ଧାନ କରନ୍ତି। ଆଉ ଅଧିକା ଜମିରେ ଧାନ ରୁଆ ହୋଇଥାଏ। ତେଣୁ ମେ’ ମାସ ପରେ ଧାନ ତଳି ପଡ଼ିଥାଏ। ଜୁନ ଶେଷ ଓ ଜୁଲାଇ ମାସରେ ଧାନରୁଆ ହୋଇଥାଏ। ଜିଲ୍ଲା କୃଷି ବିଭାଗ ଆନୁସାଙ୍ଗିକ ପ୍ରସ୍ତୁତି ଜାରି ରଖିଛି।
ତେବେ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜିଲ୍ଲାର ୪ଲକ୍ଷ ୮ହଜାର ହେକ୍ଟର ଜମିରେ ଖରିଫ ଫସଲ ଯୋଜନା ରହିଛି। ସେଥିରୁ ପ୍ରାୟ ୨ଲକ୍ଷ ୯ ହେକ୍ଟର ଜମିରେ ଧାନ ଚାଷ ହେବ ବୋଲି ସୂଚନା ମିଳିଛି।

ଜିଲ୍ଲା ପାଇଁ ପ୍ରାୟ ୧ଲକ୍ଷ କ୍ବିଣ୍ଟାଲ ବିହନ ଆବଶ୍ୟକ। ପ୍ରାୟ ୫୫ ହଜାର କ୍ବିଣ୍ଟାଲ ଧାନ ବିହନ କୃଷି ବିଭାଗ ବିହନ ନିଗମ ଜରିଆରେ ଯୋଗାଇବ ବୋଲି ଲକ୍ଷ୍ୟ ରଖିଛି। ବର୍ତ୍ତମାନ ଜିଲ୍ଲାର ୩ଟି ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ୩୦ହଜାର କ୍ବିଣ୍ଟାଲ ଧାନ ବିହନ ପ୍ରସ୍ତୁତି ସରିଥିବା ବେଳେ ମେ’ ଦ୍ବିତୀୟ ସପ୍ତାହରୁ ଯୋଗାଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଜିଲ୍ଲାର ପ୍ୟାକ୍ସ ଓ ପ୍ରାଇଭେଟ୍ ଡିଲର୍‌ ମିଶି ସମୁଦାୟ ୭୩୦ଟି କେନ୍ଦ୍ରରେ ସାର, ୫୬୪ଟି କେନ୍ଦ୍ର ବିହନ ଓ ୧୦୦ଟି କେନ୍ଦ୍ରରେ କୀଟନାଶକ ବିକ୍ରି ହେବ। ପ୍ୟାକ୍ସଗୁଡ଼ିକ ଅକ୍ଷୟ ତୃତୀୟାର ବହୁ ପୂର୍ବରୁ ଏଆରସିଏସ୍‌ ମାନଙ୍କ ଜରିଆରେ ଆବଶ୍ୟକ ବିହନ ଓ ସାରର ତାଲିକା ଦେଇଥିବା ଜଣାପଡ଼ିଛି। ପ୍ୟାକ୍ସ ପାଇଁ ୨୪୦୯୩.୫୦୦ ଏମ୍‌ଟି ସାର ଏବଂ ୩୭ହଜାର ୧୭୪ କ୍ବିଣ୍ଟାଲ୍ ବିହନ ଆବଶ୍ୟକ ଥିବା ଜଣାପଡ଼ିଛି। ଜିଲ୍ଲା ପାଇଁ ୭୨ ହଜାର କ୍ବିଣ୍ଟାଲ ସାରର ଆବଶ୍ୟକତା ରହିଛି।

ବର୍ତ୍ତମାନ ଜିଲ୍ଲାର ୯ହଜାର କ୍ବିଣ୍ଟାଲ ସାର ମହଜୁଦ୍‌ ଅଛି। ଗତ ୨୧ ତାରିଖରେ ଖରିଫ ଲାଗି ପ୍ରଥମ ଦଫା ସାର ଆସିଥିଲା। ଜଗନ୍ନାଥପୁର ରେଳଷ୍ଟେସନ୍‌ ଠାରେ ଗୋଟିଏ ରେକ୍‌ ସାର ଲାଗିଥିଲା। ସେଥିରୁ ୨୧ହଜାର ୬ଶହ କ୍ବିଣ୍ଟାଲ ୟୁରିଆ ସାର ଜିଲ୍ଲାପାଇଁ ଆସିଛି। ଏହାକୁ ମିଶାଇ ଜିଲ୍ଲାରେ ଏବେ ପ୍ରାୟ ୩୦ହଜାର କ୍ବିଣ୍ଟାଲ ସାର ମହଜୁଦ୍‌ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର