ଗଞ୍ଜାମ ଜିଲ୍ଲାରେ ଲକ୍‌ଡାଉନ୍‌ରେ ଲକ୍‌ ହୋଇନି ଅପରାଧ, ବଢ଼ିଛି ଜୁଆ ଓ ନିଶା କାରବାର

ବ୍ରହ୍ମପୁର: କରୋନା ସ˚କ୍ରମଣ ଚେନ୍‌ ରୋକିବା ଲାଗି ଗତ ମାସ ୨୨ ତାରିଖରେ ଜନତା କର୍ଫ୍ୟୁ ଓ ତା’ପରେ ସାରା ଦେଶ ଲକ୍‌ଡାଉନ୍‌ ହୋଇଛି। ଜୀବନଯାତ୍ରା ଠପ୍‌ ହୋଇଯାଇଛି। ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୁଲିସ ଓ ସରକାରୀ କର୍ମଚାରୀ ଦିନରାତି ଏକ କରି କରୋନା ମୁକାବିଲାରେ ଲାଗି ପଡ଼ିଛନ୍ତି। ଏଭଳି ମହାବିପତ୍ତି ସମୟରେ ବି ଗଞ୍ଜାମ ଜିଲ୍ଲାରେ ଅପରାଧ ଥମିନାହିଁ। ଆସନ୍ତା କାଲି ଲକ୍‌ଡାଉନ୍‌କୁ ୧ ମାସ ପୂରିବ।

ଏହି ମାସକ ମଧ୍ୟରେ ଜିଲ୍ଲାରେ ଲୁଟ୍‌, ହତ୍ୟା, ଗୁଳିମାଡ଼, ବୋମାମାଡ଼ ଭଳି ଜଘନ୍ୟ ଅପରାଧ ଘଟିଛି। ଏଥିସହ ଜିଲ୍ଲାରେ ଜୁଆ ଖେଳ ଓ ଚୋରା ମଦର କାରବାର ବୃଦ୍ଧି ପାଇଛି। କରୋନା ମୁକାବିଲାରେ ପୁଲିସ ବାହିନୀ ଲାଗି ପଡ଼ିଥିବା ବେଳେ ଏହାର ଫାଇଦା ଉଠାଇଛନ୍ତି ଅପରାଧୀ। ଗଞ୍ଜାମ ପୁଲିସ ଜିଲ୍ଲାରେ ୫ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଜୁଆ ଓ ନିଶାଦ୍ରବ୍ୟ କାରବାର ବଢ଼ିଛି। ଏହାଛଡ଼ା ଗତକାଲି ରମ୍ଭା ଥାନା ଅଧୀନରେ ଏକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେଭଳି ବଡ଼ ଧରଣର ଦୁର୍ଘଟଣା ଘଟିନାହିଁ।
ଗଞ୍ଜାମ ଜିଲ୍ଲାରେ ଗଞ୍ଜାମ ଓ ବ୍ରହ୍ମପୁର ଦୁଇଟି ପୁଲିସ ଜିଲ୍ଲା। ଗଞ୍ଜାମ ପୁଲିସ ଜିଲ୍ଲା ଅଧୀନରେ ସମୁଦାୟ ୨୪ଟି ପୁଲିସ ଥାନା ରହିଛି। ସେଥି ମଧ୍ୟରେ ଗୋଟିଏ ବିଦ୍ୟୁତ ଥାନା ଓ ଗୋଟିଏ ସାମୁଦ୍ରିକ ଥାନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ପୁଲିସ ଜିଲ୍ଲାରେ ମାର୍ଚ୍ଚ ମାସରେ ସମୁଦାୟ ୬୫୦ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ ୨୦୮ଟି ଲକ୍‌ଡାଉନ୍‌ ଓ କୋଭିଡ଼୍-୧୯ ନିୟମାବଳୀ ଉଲ˚ଘନ ଜନିତ ମାମଲା। ବାକି ୪୫୨ଟି ଅପରାଧିକ ମାମଲା। ଲକ୍‌ଡାଉନ୍‌(ମାର୍ଚ୍ଚ ୨୨ରୁ ୩୧) ମଧ୍ୟରେ ପ୍ରାୟ ୧୫୦ଟି ଅପରାଧିକ ମାମଲା ରୁଜୁ ହୋଇଛି। ସେହିପରି ଏପ୍ରିଲ ୧ ତାରିଖରୁ ଅଦ୍ୟାବଧି ୪୩୦ କେସ୍‌ ରୁଜୁ ହୋଇଛି। ଏଥି ମଧ୍ୟରେ ୧୬୦ ଲକ୍‌ଡାଉନ୍‌ ଓ କୋଭିଡ଼-୧୯ ନିୟମାବଳୀ ଉଲ୍ଲଂଘନ ମାମଲା ରହିଛି। ଗତ ୨୦ଦିନ ମଧ୍ୟରେ ଗଞ୍ଜାମ ପୁଲିସ ଜିଲ୍ଲାର ୨୭୦ଟି ଅପରାଧିକ ମାମଲା ରୁଜୁ ହୋଇଛି। ଗତ ମାର୍ଚ୍ଚ ୧୯ତାରିଖରେ ଗଞ୍ଜାମ ରାମଚନ୍ଦ୍ରପୁର ପଞ୍ଚାୟତର ଅଇଁଠାବଣ ଗ୍ରାମର ଜଣେ ଯୁବକଙ୍କ ଘରୁ ଡାକି ନେଇ ୬ ଯୁବକ ହତ୍ୟା କରିଥିଲେ। ଏ ସଂକ୍ରାନ୍ତରେ ଏକ ହତ୍ୟା ମକଦ୍ଦମା ରୁଜୁ ହୋଇଛି। ସେହିପରି ମାର୍ଚ୍ଚ ୨୪ତାରିଖରେ ପୋଲସରା ଥାନା ଅନ୍ତର୍ଗତ ପାଲସି˚ ଗ୍ରାମରେ ଜଣେ ଯୁବକଙ୍କୁ ତାଙ୍କ ସାଙ୍ଗ କାତିରେ ହାଣି ହତ୍ୟା କରିଥିଲା।

ସେହିପରି ଏପ୍ରିଲ ୪ ତାରିଖରେ ବୁଗୁଡ଼ା ବ୍ଲକ ଅର୍ନ୍ତଗତ କୁବେଶ୍ବର ମନ୍ଦିର ନିକଟରେ ନୟାଗଡ଼ ଜିଲ୍ଲା ମାଣିକପଡ଼ା ଗ୍ରାମର ରଞ୍ଜନ କୁମାର ଦଳେଇ ନାମକ ଯୁବକଙ୍କୁ ଗୁଳି କରି ହତ୍ୟା କରା ଯାଇଥିଲା। ବ୍ରାଉନସୁଗର ବ୍ୟବସାୟକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ତ ଘଟିଥିଲା। ଏପ୍ରିଲ ୧୧ତାରିଖ ହିଞ୍ଜିଳୁକାଟୁ ବ୍ଲକ ଅଞ୍ଚଳରେ କ୍ରିକେଟ ଖେଳ ଚାଲିଥିବା ସମୟରେ ଜଣେ ନାବାଳକ କ୍ରିକେଟ ଖେଳାଳୀଙ୍କ ଖେଳ ଦେଖୁଥିବା ଜଣେ ଶିଶୁଙ୍କୁ ବ୍ୟାଟରେ ମାଡ଼ ମାରିଥିଲେ। ଘଟଣା ସ୍ଥଳରେ ଉକ୍ତ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଗତକାଲି ଅର୍ଥାତ ଏପ୍ରିଲ ୨୦ରେ କୋଦଳା ଥାନା ଅର୍ନ୍ତଗତ କୁମାରୀପାରି ଗାଁରେ କାଜୁଜଙ୍ଗଲକୁ କେନ୍ଦ୍ର କରି ସ˚ଘର୍ଷ ଓ ବୋମାମାଡ ହୋଇଥିଲା। ଏଥିରେ ଜଣେ କାଜୁ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଲକ୍‌ଡାଉନ ସମୟରେ ଜିଲ୍ଲାରେ ଏକାଧିକ ଘରୋଇ ହି˚ସା ଘଟିଛି। ଗତ ୧୫ତାରିଖରେ ଆସିକା ଥାନା ଇଲାକାରେ ପ୍ରଦୀପ ନାୟକ ନାମକ ଯୁବକ ପତ୍ନୀଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ। ଗତ ୧୬ତାରିଖରେ ଏହି ଥାନା ଇଲାକାରେ ଉପେନ୍ଦ୍ର ସି˚ ନାମକ ଯୁବକ ବାପାଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ। ଏପରି କି ଲକ୍‌ଡାଉନ ସମୟରେ ଅର୍ଥାତ ଗତ ୧୯ତାରିଖ ପାଟପୁର ଥାନା ଅର୍ନ୍ତଗତ ପଳାସପୁର କାଳୀମନ୍ଦିର ଗ୍ରିଲ ତାଡ଼ି ଦୁବୁର୍ତ୍ତ ମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ଏହି ସବୁ ଅପରାଧକୁ ଅନୁଧ୍ୟାନ କଲେ ଗଞ୍ଜାମ ପୁଲିସ ଜିଲ୍ଲାରେ ଲକ୍‌ଡାଉନରେ ଅପରାଧ ଲକ୍‌ ହୋଇ ନ ଥିବା ଏଥିରୁ ସ୍ପଷ୍ଟ ହେଉଛି।

ଏହି ସମୟ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଜୁଆ ଓ ମାଦକ ଦ୍ରବ୍ୟର କାରବାର ମଧ୍ୟ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଗଞ୍ଜାମ ଜିଲ୍ଲା ପୁଲିସ ବିଭିନ୍ନ ଥାନା ଇଲାକାରେ ଚାଲିଥିବା ପ୍ରାୟ ୨୫ଟି ଜୁଆ ଆଡା ଉପରେ ଚଢାଉ କରି ୧୩୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ଲକ୍ଷ ୫୦ହଜାରରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି। ଏହି ସମୟରେ ଅବକାରୀ ବିଭାଗ ହୁଗୁଳା ହୋଇଥିବା ବେଳେ ବେଆଇନ ମଦ କାରବାର ଧରିବାରେ ପୁଲିସ ସକ୍ଷମ ହୋଇଛି। ଗତ ଶନିବାର ବେଲଗୁଣ୍ଠା ଫାଣ୍ତି ପୁଲିସ କେବିରୀ ବ୍ରହ୍ମପୁର ଗ୍ରାମ ଠାରେ ଏକ ବିଦେଶୀ ମଦ ବୋଝେଇ ଟ୍ରକକୁ ଜବତ କରିଥିଲା। ଅନ୍ୟପକ୍ଷରେ ପୁଲିସ ପକ୍ଷରୁ ଇତିମଧ୍ୟରେ ଏକାଧିକ ଦେଶୀଭାଟି ଉପରେ ଚଢଉ ବ୍ୟାପକ ମଦ ଜବତ ହୋଇଛି।
ଗଞ୍ଜାମ ଜିଲ୍ଲାର ଅନ୍ୟତମ ପୁଲିସ ଜିଲ୍ଲା ହେଉଛି ବ୍ରହ୍ମପୁର। ଏହି ପୁଲିସ ଜିଲ୍ଲା ଅଧୀନରେ ବ୍ରହ୍ମପୁର ସହର, ସଦର, ଚିକଟି ଉପଖଣ୍ତର ମୋଟ ୧୫ଟି ଥାନା ରହିଛି। ବ୍ରହ୍ମପୁର ସହର ଅପରାଧ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳ। କିନ୍ତୁ ଲକ୍‌ଡାଉନ ସମୟରେ ବ୍ରହ୍ମପୁର ସହରରେ ବଡ଼ଧରଣର ଅପରାଧ ଘଟିନାହିଁ। ତେବେ ଗୁଟଖା ଓ ଚୋରା ମଦ କାରବାର ବୃଦ୍ଧି ପାଇଛି। ଗତ ୩ ତାରିଖରେ ବ୍ରହ୍ମପୁର ସଦର ଥାନା ପୁଲିସ୍‌ ବ୍ରହ୍ମପୁର ସହର ଉପକଣ୍ଠ ଟେକ୍ନୋପାର୍କରେ ଚଢ଼ଉ କରି ୧କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗୁଟଖା ଜବତ କରିଛି। ଲୁଚାଛପାରେ ବ୍ରହ୍ମପୁର ଓ ବ୍ରହ୍ମପୁର ସହର ଉପକଣ୍ଠରେ ଏକାଧିକ ଗୁଟ୍‌ଖା ପ୍ରସ୍ତୁତି ୟୁନିଟ୍‌ ଚାଲିଥିବା ଅଭିଯୋଗ ହୋଇଛି।

ସେହିଭଳି ସଦର ଡିଭିଜନ ଅଧୀନରେ ସଦର ଥାନା, ଗୋପାଳପୁର ଥାନା, ଗୋଳନ୍ଥରା ଥାନା, ଚିକିଟି ଉପଖଣ୍ତରେ ଚିକିଟି, ଦିଗପହଣ୍ତି, କେ ନୂଆଗାଁ. ଜରଡ଼ା ଥାନା ଓ ସୋନପୁର ମେରାଇନ୍‌ ଥାନା ରହିଛି। ତେବେ ସୋନପୁର ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି। ସୋନପୁର ପଞ୍ଚାୟତର ମହିଳା ସରପଞ୍ଚ ଓ ତାଙ୍କ ଝିଆରୀ ଘରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଘର ବାହାରୁ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ। ମହିଳା ସରପଞ୍ଚ ଜାଣିପାରି ଘର ବାଡ଼ି ପଟୁ ବାହାରକୁ ବାହାରି ପଳାଇ ଯାଇଥିଲେ। ଫଳରେ ମହିଳା ସରପଞ୍ଚ ଓ ତାଙ୍କ ଝିଆରୀ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗତ ଦୁଇଦିନ ତଳେ ଏହି ଘଟଣା ଘଟିଥିବା ବେଳେ ସୋନପୁର ସାମୁଦ୍ରିକ ଥାନାରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର