ବ୍ରହ୍ମପୁର: ପ୍ଲାଜମା ନେଇ ଗଞ୍ଜାମ ଜିଲ୍ଲାର ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟୁଇଟ୍ କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଛନ୍ତି। ଗଞ୍ଜାମ ଜିଲ୍ଲାର ତିନି ଜଣ କରୋନା ଆକ୍ରାନ୍ତଙ୍କୁ ଏଠାରେ ଥିବା ଟାଟା କୋଭିଡ୍ ହସ୍ପିଟାଲରେ ପ୍ଲାଜମା ଥେରାପି ଦିଆଯିବା ପରେ ଏହି ରୋଗରୁ ମୁକ୍ତି ପାଇଛନ୍ତି ଏବଂ ଜିଲ୍ଲାର ଗୁରୁତର କରୋନା ରୋଗୀଙ୍କ ପାଇଁ ଏହି ନୂତନ ଚିକିତ୍ସା ଉପରେ ଆତ୍ମବିଶ୍ୱାସ ବଢିଛି ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।
ସେ ନିଜର ଟୁଇଟ୍ରେ ପ୍ଲାଜମା ପାଇ ଶୀତଳାପଲ୍ଲୀସ୍ଥିତ ଟାଟା ହସ୍ପିଟାଲରେ ଆରୋଗ୍ୟ ଲାଭ କରିଥିବା ଏହି ତିନିଜଣ ରୋଗୀଙ୍କ ଫଟୋ ବି ସେଆର୍ କରିଛନ୍ତି। ସଫଳ ପ୍ଲାଜମା ଥେରାପି ପାଇଁ ଡାକ୍ତରଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି। ଏହାଛଡ଼ା ଜିଲ୍ଲାପାଳ କରୋନାରୁ ସୁସ୍ଥ ଲୋକଙ୍କୁ ପ୍ଲାଜମା ଦାନ ପାଇଁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ କଟକର ଜଣେ କରୋନା ଆକ୍ରାନ୍ତ ପ୍ଲାଜମା ନେଇ ସୁସ୍ଥ ହୋଇଥିଲେ। ଗତ ୨୪ ତାରିଖରେ କଟକର ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୪୮ ବର୍ଷିୟ ମହିଳା ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇଥିଲେ।
Glad to share that these are the first three patients who got Plasma & got cured in Tata Hospital. We appreciate the efforts of our doctors. We request all cured patients to come forward for plasma donation @CMO_Odisha @HFWOdisha @SRC_Odisha pic.twitter.com/waVUD74xjf
— Collector & District Magistrate, Ganjam (@Ganjam_Admin) July 28, 2020
ଗତ ୧୫ ତାରିଖରେ ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି। କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥାର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ, ପ୍ଲାଜମା ଥେରାପି କୋଭିଡ ମହାମାରୀ ବିରୋଧରେ ସଫଳ ଭାବେ ଲଢ଼ି ପାରିବ ବୋଲି ମୋର ଆଶା। ଦେଶର ହାତଗଣତି ରାଜ୍ୟ ଭିତରେ ଓଡ଼ିଶା ସାମିଲ ହୋଇଛି, ଯେଉଁଠାରେ କରୋନା ଚିକିତ୍ସା ଲାଗି ପ୍ଲାଜମା ଥେରାପି ଆରମ୍ଭ ହୋଇଛି। ଓଡ଼ିଶାର ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ। ପ୍ରତି ରାଜ୍ୟବାସୀଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ୍। ଏଥିସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଓଡ଼ିଶାବାସୀଙ୍କୁ ମାଗଣାରେ ପ୍ଲାଜମା ଥେରାପିର ସୁବିଧା ଯୋଗାଇ ଦିଆଯିବ।