ଛତ୍ରପୁର: ମନରେଗା ଯୋଜନାର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ସମଗ୍ର ଭାରତବର୍ଷରେ ରେକର୍ଡ଼ ସୃଷ୍ଟି କରିଛି। ବିଗତ ବର୍ଷ ଭଳି ୨୦୨୨-୨୩ ଆର୍ଥିକ ବର୍ଷରେ ମଧ୍ୟ ଗଞ୍ଜାମ ଶ୍ରମଦିବସ ସୃଷ୍ଟି କରିବା ସହିତ ପରିବାରକୁ ଶହେ ଦିନିଆ କାମ ଯୋଗାଇବାରେ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି।
ସୂଚନାନୁସାରେ, ୨୦୨୨–୨୩ ଆର୍ଥିକ ବର୍ଷରେ ୨ କୋଟି ୭୪ ଲକ୍ଷ ୧୭ ହଜାର ୯୫୯ ଶ୍ରମଦିବସ ସୃଷ୍ଟି କରି ଭାରତବର୍ଷର ଶ୍ରେଷ୍ଠ ଜିଲ୍ଲା ଭାବେ ଗଞ୍ଜାମ ସ୍ଥାନ ପାଇଛି। ୪ ଲକ୍ଷ ୫ ହଜାର ୩୭୮ ଜଣ ଏହି ଶ୍ରମଦିବସ ପାଇଛନ୍ତି।
ସେହିପରି ୯୫ ହଜାର ୩୬୩ ପରିବାରକୁ ମଧ୍ୟ ଗଞ୍ଜାମ ଜିଲ୍ଲା ୧୦୦ ଦିନିଆ କାମ ଯୋଗାଇବାରେ ଦେଶରେ ଶୀର୍ଷରେ ରହିଛି। ବିଶେଷ କରି ମନରେଗାରେ ଗଞ୍ଜାମ ଜିଲ୍ଲା ୫୮ ପ୍ରତିଶତ ମହିଳା ଶ୍ରମିକଙ୍କୁ କାମ ଯୋଗାଇବାରେ ଓଡ଼ିଶା ରାଜ୍ୟରେ ଏକ ନମ୍ବର ଜିଲ୍ଲାର ମାନ୍ୟତା ପାଇଥିବା ବେଳେ ହିଞ୍ଜିଳିକାଟୁ ବ୍ଲକ୍ ସବୁଠାରୁ ଅଧିକ ମହିଳାଙ୍କୁ କାମ ଯୋଗାଇ ରାଜ୍ୟରେ ଏକ ନମ୍ବର ବ୍ଲକ୍ ହୋଇପାରିଛି। ମନରେଗା ଯୋଜନାରେ ଗଞ୍ଜାମ ଜିଲ୍ଲା ୭୭ ହଜାର ୩୩୮ଟି ପ୍ରକଳ୍ପ କାମ କରିବାକୁ ହାତକୁ ନିଆ ଯାଇଥିଲା। ସେଥିରୁ ୨୫ ହଜାର ୨୩୫ ଟି ପ୍ରକଳ୍ପ କାମ ଶେଷ ହୋଇଥିବା ବେଳେ ବାକି ୫୨ ହଜାର ୧୦୩ ପ୍ରକଳ୍ପ କାମ ଚାଲୁ ରହିଛି।
ଏହି ଯୋଜନାରେ ମଜୁରି ଏବଂ ବିଭିନ୍ନ ପ୍ରକଳ୍ପ ନିର୍ମାଣ ସାମଗ୍ରୀ ବାବଦରେ ମୋଟ ୫୯୫ କୋଟି ୩ ଲକ୍ଷ ୪୭ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପରାମର୍ଶ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନଙ୍କ ତତ୍ତ୍ବାବଧାନରେ ସମସ୍ତ ବ୍ଲକ ବିଡିଓଙ୍କ ସହଯୋଗରେ ୨୦୨୨–୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଗଞ୍ଜାମ ଜିଲ୍ଲା ମନରେଗା ଯୋଜନା କାର୍ଯ୍ୟକାରିତା କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ ଶୀର୍ଷରେ ରହିଥିବା ନେଇ ସବୁଆଡୁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ପ୍ରଶଂସା ମିଳିଛି। ଅନ୍ୟପକ୍ଷରେ ମନରେଗା କାର୍ଯ୍ୟକାରିତାରେ ଗଞ୍ଜାମ ଜିଲ୍ଲା ଦେଶର ଶୀର୍ଷରେ ରହିଥିବା ବେଳେ ୨୨ ବ୍ଲକ ବିଶିଷ୍ଟ ଗଞ୍ଜାମ ଜିଲ୍ଲାର ସଦର ମହକୁମା ବ୍ଲକ୍ ଛତ୍ରପୁର ସବୁଠୁ ତଳେ ରହିଥିବା ଚର୍ଚ୍ଚାର ବିଷୟ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/narega.jpg)