ହିଞ୍ଜିଳିକାଟୁ/ପୁରୁଷୋତ୍ତମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁ ଠାରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟକାର୍ଡ଼ ବଣ୍ଟନ ସହ ଜିଲ୍ଲାର ମୋଟ ୨୨୦୦ କୋଟି ଟଙ୍କାର ପ୍ରକଳ୍ପକୁ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହାସହ ଗଞ୍ଜାମର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ପୀଠରେ ଦର୍ଶନ କରିବା ସହ ସେଠାରେ ଜିଲ୍ଲାର ସମସ୍ତ ପଞ୍ଚାୟତ ଜନପ୍ରତିନିଧିଙ୍କ ସହ ସାମୂହିକ ପ୍ରସାଦସେବନ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହାସହ ବିଭିନ୍ନ ଉନ୍ନୟନମୂଳକ କାମର ତଦାରଖ କରିବେ।

Advertisment

ତେବେ ସାଧାରଣ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯେତିକି ଉତ୍ସୁକତା ଦେଖାଦେଇଛି, ତା’ଠାରୁ ଅଧିକ ବି‌ରୋଧୀ ଦଳଙ୍କ ବି‌ରୋଧକୁ ପ୍ରତିହତ କରିବା ପୁଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ୍ ସଦୃଶ ପାଲଟିଛି। ଫଳରେ ମା’ ତାରାତାରିଣୀ ପୀଠ ଓ ହିଞ୍ଜିଳିକାଟୁ ସହ ସୁରକ୍ଷାର ଛାଉଣୀ ଭିତରେ ରହିଛି।

ତାରାତାରିଣୀ ପୀଠରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଏକସପ୍ତାହ ବ୍ୟାପୀ ପ୍ରସ୍ତୁତି ଚାଲିଥିଲା। ଆଇନଶୃଙ୍ଖଳା ପରିସ୍ଥିତି ଯେଭଳି ନବିଗିଡ଼ିବ ଏବଂ ଅଣ୍ଡମାଡ଼ ଏବଂ କଳାପତାକା ପ୍ରଦର୍ଶନ କିଭଳି ରୋକାଯାଇପାରିବ ଏଥିପାଇଁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଏସ୍‌.ପି.ବ୍ରିଜେଶ କୁମାର ରାଏ ପୀଠରେ ପହଞ୍ଚି ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ। ମନ୍ଦିର ଉପରକୁ ଯିବା ରାସ୍ତା ଓ ମୁଖ୍ୟଫାଟକ ମଧ୍ୟରେ ସମସ୍ତ ପୁଲିସ କର୍ମଚାରୀଙ୍କୁ ନେଇ ଏକ ମକଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ସୁରକ୍ଷାରେ କୌଣସି ଯେମିତି ଢିଲା ନହୁଏ, ଏଥିପ୍ରତି ନଜର ରଖିବାକୁ ଏସ୍‌.ପି.ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ତାରାତାରିଣୀ ନିକଟ ନରସିଂହପୁରରେ ଅସ୍ଥାୟୀ ହେଲିପ୍ୟାଡ଼୍‌ରେ ଅବତରଣ କରି ମନ୍ଦିର ଅଭିମୁଖେ ଯିବେ। ଫଳରେ ହେଲିପ୍ୟାଡ଼୍‌ଠୁ ଆରମ୍ଭ କରି ମନ୍ଦିର ଉପରକୁ ସଂଯୋଗ କରୁଥିବା ରାସ୍ତାକୁ ସଂପୂର୍ଣ୍ଣ ଭାବେ ବ୍ୟାରିକେଡ଼ିଂ କରାଯାଇଛି। ଉଭୟ ପାର୍ଶ୍ବରେ ବ୍ୟାପକ ଫୋର୍ସ ମୁତୟନ ରହିବେ। ପୁଲିସ ପ୍ରଶାସନ ପକ୍ଷରୁ ହିଲଟପ୍‌ରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଏସ୍‌.ପି.ଙ୍କ ତତ୍ତ୍ବାବଧାନରେ ୨ ଜଣ ଅତିରିକ୍ତ ଏସ୍‌.ପି., ୪ ଜଣ ଡିଏସ୍‌ପି, ୧୬ ପ୍ଲାଟୁନ୍ ଫୋର୍ସ, ୧୦୦ ଜଣ ହୋମ୍‌ଗାର୍ଡ଼, ୧୮ ଜଣ ଇନ୍ସପେକ୍ଟର୍, ୩୬ ଜଣ ଏସ୍‌ଆଇ ଓ ୬୪ ଜଣ କନ‌‌ଷ୍ଟେବଳ ନିୟୋଜିତ ଅଛନ୍ତି। ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଥାନାଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ମଧ୍ୟ ସୁରକ୍ଷା ବ୍ୟବସ୍ଥାର ଟିକିନିଖି ତଦାରଖ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ ନେତାଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ବିଭିନ୍ନ ଆଡ଼ା ଓ ହୋଟେଲ୍ ଉପରେ ଅତର୍କିତ ଚଢ଼ଉ ହୋଇଛି।

ଅନ୍ୟପକ୍ଷରେ ହିଞ୍ଜିଳିକାଟୁରେ ବି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।  ୯ଟି ଥାନାର ଇନ୍ସପେକ୍ଟର ଓ ୮ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଆଜି ସକାଳେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ପିଡି ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ଏବଂ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଗଂଜାମ ଏସ୍‌.ପି. ବ୍ରିଜେଶ କୁମାର ରାଏ ପ୍ରମୁଖ ପହଞ୍ଚି ପ୍ରସ୍ତୁତି ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ସକାଳ ୧୧ଟା ୫୫ ମିନିଟ୍‌ରେ ବୃନ୍ଦାବନ ଖେଳପଡ଼ିଆ ଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ଼୍‌ରେ ଅବତରଣ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।