ଛତ୍ରପୁର: ଗୋପାଳପୁର ବିଧାୟଙ୍କ ସହ ମଦ ବ୍ୟବସାୟୀ ସୂର୍ଯ୍ୟ ସାହୁଙ୍କ ନାମ ଏବେ ଉଠୁଛି। କିନ୍ତୁ ୨୦୦୬ ମସିହା ଗୋଳାବନ୍ଧ ମଦମୃତ୍ୟୁ ଘଟଣାରେ ଉଭୟଙ୍କ ସମ୍ପୃ୍କ୍ତି ଥିବା ଅଭିଯୋଗ ଆସିଥିଲା। ଏ ନେଇ ସେତେବେଳେ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା। ଏଥିପାଇଁ ଅବକାରୀ ମନ୍ତ୍ରୀ କାଳିନ୍ଦୀ ବେହେରା ମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଦୀପଙ୍କୁ ବିଧାୟକ, ମନ୍ତ୍ରୀ ଓ ବିଜେଡି ଜିଲ୍ଲା ସଭାପତି କରାଗଲା। ତାଙ୍କର ପୂର୍ବ ଟ୍ରାକ୍ ରେକର୍ଡ଼ ନ ଦେଖି ତାଙ୍କୁ ପଦ ପଦବିରେ ରଖାଗଲା। ସେତେବେଳେ ଶ୍ରୀ ପାଣିଗ୍ରାହୀଙ୍କ କାର୍ଯ୍ୟକଳାପ ଜନବିରୋଧୀ ହେଉ ନ ନଥିଲା କି? ଏହି ରାଜ୍ୟ ସରକାର କ'ଣ କରୁଥିଲେ ବୋଲି ଛତ୍ରପୁର ପୂର୍ବତନ ବିଧାୟକ ତଥା ସିପିଆଇ ନେତା ନାରାୟଣ ରେଡ୍ଡୀ ପ୍ରଶ୍ନ କରିଛନ୍ତି।
ଟାଟା ମୋଟର୍ସ ନାଁରେ ଠକେଇ ଘଟଣାରେ ଛନ୍ଦି ହୋଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲ୍ ଯିବା ପରେ ରାଜନୀତି ଓ ବୟାନ୍ବାଜି ଜୋର୍ ଧରିଛି। ରବିବାର ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ ବିଧାୟକ ଶ୍ରୀ ରେଡ୍ଡୀ ସରକାର ଏବଂ ଗୋପାଳପୁର ବିଧାୟକଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଏ ସମସ୍ତ ଘଟଣାର ମୂଳମନ୍ତ୍ର ହେଉଛି ଗଞ୍ଜାମ ଜିଲ୍ଲା ଏବେ ବାଲି ଓ ମଦ ମାଫିଆଙ୍କ ନିୟନ୍ତ୍ରଣରେ। ସେମାନଙ୍କ କବଳରୁ ସରକାର ଜିଲ୍ଲାକୁ ମୁକ୍ତ କରନ୍ତୁ। ବାଲି ଏବଂ ମଦ ମାଫିଆଙ୍କୁ ସରକାର ତୁରନ୍ତ ଗିରଫ କରିବାକୁ ଶ୍ରୀ ରେଡ୍ଡି ଦାବି କରିଛନ୍ତି। ସେ ଆହୁରି କହିଛନ୍ତି, ସରକାର ଗଞ୍ଜାମ ଜିଲ୍ଲାର ବିକାଶ ଲାଗି ତୁରନ୍ତ ଧ୍ୟାନ ଦିଅନ୍ତୁ। ଜିଲ୍ଳାରେ ଚାଷୀକୁଳ ସଙ୍କଟରେ। ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନାହିଁ। ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଜିଲ୍ଲାର ସମସ୍ତ ହସ୍ପିଟାଲ ଗୁଡ଼ିକରେ ଡାକ୍ତର ପଦବି ଖାଲି ପଡ଼ିଛି। ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ବିଧାୟକ ଓ ସାଂସଦମାନେ ସରକାରଙ୍କୁ ଏ ଦିଗରେ ପଦୁଟିଏ ମଧ୍ୟ ମୁହଁ ଖୋଲୁନାହନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, ଟାଟା ମୋଟର୍ସରେ ଚାକିରି ପାଇବା ନାଁରେ ଯେଉଁ ଯୁବକମାନେ ଠକେଇର ଶିକାର ହୋଇଛନ୍ତି ସେମାନଙ୍କୁ ସେମାନଙ୍କ ଅର୍ଥ ଫେରାଇବା ଦିଗରେ ସରକାର ବ୍ୟବସ୍ଥା କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/ganjam.jpg)