ବ୍ରହ୍ମପୁର ପୀଡ଼ିତାଙ୍କ ବାମ ଆଖି ନଷ୍ଟ ହେବା ଆଶଙ୍କା

କଟକ : ବ୍ରହ୍ମପୁର ଏସିଡ୍‌ ମାଡ଼ ଘଟଣାର ପୀଡ଼ିତାଙ୍କ ବାମ ଆଖିର ଦୃଷ୍ଟିଶକ୍ତି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଫଳରେ ତାଙ୍କର ଏହି ଆଖି ନଷ୍ଟ ହେବା ନେଇ ଆଶଙ୍କା ଦେଖାଦେଇଛି। ଆଜି ତାଙ୍କର ଚକ୍ଷୁ ବିଭାଗରେ ପରୀକ୍ଷା କରାଯାଇଥିଲା ବେଳେ ରିପୋର୍ଟକୁ ନେଇ ଡାକ୍ତର ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି।

ଗତ ୨୩ ତାରିଖରେ ତାଙ୍କର ଚକ୍ଷୁ ପରୀକ୍ଷା ବେଳେ ଦୃଷ୍ଟିଶକ୍ତି ହ୍ରାସ ପାଇଥିବା ଡାକ୍ତର ଜାଣିବାକୁ ପାଇ ଚଷମା ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଦିନକୁ ଦିନ ବାମ ଆଖିରେ ଦେଖିବା ଜଟିଳ ହୋଇପଡ଼ୁଥିବାରୁ ଏନେଇ ପୁଣି ଥରେ ଚକ୍ଷୁ ଡାକ୍ତରଙ୍କୁ ଅବଗତ କରାଯାଇଥିଲା। ପୂର୍ବାପେକ୍ଷା ତାହା ଅଧିକ ହ୍ରାସ ପାଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ତଥାପି ଦୁଇ ତିନି ଦିନ ପର୍ଯ୍ୟନ୍ତ ତାଙ୍କର ପରୀକ୍ଷା କରାଯିବ। ଚୂଡ଼ାନ୍ତ ରିପୋର୍ଟ ବାହାରିବା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଅରୁଣ ଚୌଧୁରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ପୀଡ଼ିତାଙ୍କ ଡାହାଣ ଆଖି ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲା ବେଳେ ଚର୍ମଗୁଡ଼ିକ ମଧ୍ୟ ଧିରେ ଧିରେ ସ୍ୱାଭାବିକ ସ୍ଥିତିକୁ ଆସୁଛି। ତଥାପି କିଛି ସ୍ଥାନରେ ଏସିଡ୍‌ ଅଧିକ ପଡ଼ିଥିବାରୁ ସେଗୁଡ଼ିକର ପ୍ଲାଷ୍ଟିକ୍‌ ସର୍ଜରୀ ଆବଶ୍ୟକତା ପଡ଼ିବ ବୋଲି ଡାକ୍ତର ଚୌଧୁରୀ କହିଛନ୍ତି।

ସମ୍ବନ୍ଧିତ ଖବର