ବ୍ରହ୍ମପୁର: ସୁରତରେ ଗଞ୍ଜାମ ଜିଲ୍ଲାର ଜଣେ ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ଗୁଡ଼ିଆଳି ଗ୍ରାମର ଶିବା ସାହୁ(୨୫) ବୋଲି ସୂଚନା ମିଳିଛି। ଏ ନେଇ ସୁରତ ପାଣ୍ଡେସରା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଜଣେ ଯୁବକକୁ ଅଟକ ରଖି ତଦନ୍ତ ଚଳାଇଛି। ଏହି ଘଟଣାକୁ ନେଇ ପ୍ରବାସୀ ଓଡ଼ିଆଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

Advertisment

ସୂଚନା ଅନୁସାରେ, ଗୁଡ଼ିଆଳିର ଶିବା ତାଙ୍କ ପରିବାର ସହ କାମ କରିବାପାଇଁ କିଛିବର୍ଷ ପୂର୍ବରୁ ସୁରତ ଯାଇଥିଲେ। ସେ ତାଙ୍କ ପରିବାର ସହିତ ପାଣ୍ଡେସରା ହାଉସିଂ କଲୋନିରେ ରହୁଥିଲେ। ଶିବା ଏକ ସୂତାକଳରେ କାମ କରୁଥିଲେ। ଗତ ୧୪ତାରିଖ ଅପରାହ୍ନରେ ମକର ସଂକ୍ରାନ୍ତି ଦିନ କିଛି ଯୁବକ ତାଙ୍କୁ ଘରୁ ଡାକି ନେଇଥିଲେ। ‌ଘରଠାରୁ କିଛି ଦୂର ଯିବାପରେ ସେହି ଯୁବକଙ୍କ ସହିତ ଶିବାଙ୍କ ବଚସା ହୋଇଥିଲା। ସେହି ଯୁବକମାନେ ଶିବାଙ୍କୁ ପ୍ରଥମେ ଲୁହାରଡ଼ରେ ଆକ୍ରମଣ କରିଥିଲେ। ମୁଣ୍ଡକୁ ଆଘାତ କରିବାପରେ ସେ ତଳେ ପଡ଼ି ଯାଇଥିଲେ। ପରେ, ସେହି ଯୁବକମାନେ ତାଙ୍କର ପେଟକୁ ଛୁରି ଭୁସି ଦେଇଥିଲେ। ଘଟଣାସ୍ଥଳରୁ ସେହି ଯୁବକମାନେ ଚମ୍ପଟ ମାରିଥିଲେ। ଶିବା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କର ବାପା ଭଗବାନ ସାହୁଙ୍କୁ ଖବର କରିଥିଲେ। ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଶିବାଙ୍କୁ ଉଦ୍ଧାର କରି ପାଣ୍ଡେସରାର ନ୍ୟୁ ସିଭିଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ, ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ପାଣ୍ଡେସରା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଆଜି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖିଛି।

ଜଣାପଡ଼ିଛି ଯେ, ନୂଆବର୍ଷ ଦିନ ସେହି ଯୁବକଙ୍କ ସହିତ ଶିବାଙ୍କ ଗଣ୍ଡଗୋଳ ହୋଇଥିଲା। ଏହାର ପ୍ରତିଶୋଧ ନେବାପାଇଁ ସେହି ଯୁବକମାନେ ଶିବାଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ ତଦନ୍ତରେ ଜଣାପଡ଼ିଛି। ପୁଲିସ ଫେରାର୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।