ଗଞ୍ଜାମ ପାଇଁ ଅଭିଶପ୍ତ-୨୦୨୦; ଦୁର୍ଘଟଣା ଉଜାଡ଼ିଛି ଅନେକ ପରିବାର

ତୀର୍ଥଯାତ୍ରା ପାଲଟିଥିଲା ଶେଷ ଯାତ୍ରା, ଲିଭିଗଲା ୫ ଜୀବନ ଦୀପ
ଜାନୁଆରି ୪ରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲା ମଞ୍ଜୁସା ମଣ୍ତଳର କୋତପଲ୍ଲୀ ନିକଟସ୍ଥ ୧୬ ନମ୍ବର  ଜାତୀୟ ରାଜପଥରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସକାଳୁଆ ଘନ କୁହୁଡ଼ିରେ ରାସ୍ତା ଦେଖା ନ ଯିବାରୁ କାର୍ ଭାରସାମ୍ୟ ହରାଇ ମହେନ୍ଦ୍ରତନୟା ବ୍ରିଜ୍ ତଳକୁ ଖସିପଡ଼ିଥିଲା। ଘଟଣାସ୍ଥଳରେ ଦୁଇ ପରିବାରର ୫ଜଣଙ୍କ ଜୀବନ ଦୀପ ଲିଭିଯାଇଥିଲା। ମୃତକମାନେ ଥିଲେ ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳର ଦଣ୍ତପାଣି ପ୍ରତାପ, ପତ୍ନୀ ରୀତୁ, ତ୍ରିଲୋଚନା ଜେନାଙ୍କ ପତ୍ନୀ ବନିତା ଜେନା ଓ ପୁଅ ଆଦର୍ଶ।  ଆଉ ମୃତକ ଥିଲେ ପ୍ରତାପଙ୍କ ଶାଳୀ। ସୀମାଞ୍ଚଳମରେ ମହାପ୍ରଭୁ ବରାହ ନୃସି˚ହଙ୍କ ଦର୍ଶନ ସାରି ଦୁଇ ସାଙ୍ଗ ସପରିବାର ଫେରୁଥିବା ସମୟରେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ତପ୍ତପାଣି ଘାଟିରେ ଛକିଥିଲା ମୃତ୍ୟୁର ଫାଶ
ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଘଟିଥିଲା ବାରମ୍ବାର ଦୁର୍ଘଟଣା। ମନୁଷ୍ୟକୃତ ତ୍ରୁଟି ହେଉ କି, ଅସାବଧାନତା, ବିଭିନ୍ନ କାରଣରୁ କାହାର ମୃତ୍ୟୁ ‌ହୋଇଥିଲା ତ ଆଉ କିଏ ଗୁରୁତର ହୋଇ ଅକର୍ମଣ୍ୟ ପାଲଟିଥିଲେ। ଜାନୁଆରି ୩୦ତାରିଖ ଭୋରରେ ତପ୍ତପାଣି ଘାଟିର ମୃତ୍ୟୁଫାଶରେ ପଡ଼ିଥିଲା ଯାତ୍ରୀବାହୀ ବସ୍‌ ‘ମାରୁତି’। ଘାଟି ପାଲୁଖଳା ନିକଟସ୍ଥ ବ୍ରିଜ୍‌ ତଳକୁ ଖସି ପଡ଼ିବାରୁ ସମୁଦାୟ ୮ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପରେ ବି ଘାଟିରେ ଦୁର୍ଘଟଣା ଥମି ନଥିଲା। ବର୍ଷକରେ ୧୦ରୁ ଅଧିକ ଦୁର୍ଘଟଣା ଘଟି ଅନେକ ଆହତ ହୋଇଥିଲେ।

ଲୁହରେ ଭିଜିଲା ଡଙ୍କଲପାଡ଼ୁ ଗାଁ
ଫେବ୍ରୁଆରି ୯ତାରିଖ। ନିର୍ବନ୍ଧ ପାଇଁ ପୁଅ ଘର ଲୋକେ କନ୍ୟା ଘରକୁ ବାହାରିଥିଲେ। ବସ୍‌ ‘ସିଲ୍‌କ୍‌ ସିଟି’ ଖଚାଖଚ୍‌ ଥିଲା। ୪୩ ପୁରୁଷ, ମହିଳା ଓ ପିଲା ବନ୍ଧୁବାନ୍ଧବ ଲଗ୍ନଥାଳି ଧରି ଯିଏ ଯାହା ସିଟ୍‌ରେ ବସିଥିଲେ। ଡ଼ଙ୍କଲପାଡ଼ୁ ଅଣଓସାରିଆ ରାସ୍ତାରେ ହଠାତ୍‌ ବସ୍‌ ଅଟକିଗଲା। ୧୧ କେଭି ତାରରେ ଲାଖି ଯାଇଥିଲା ବସ୍‌ ଛାତ କ୍ୟାରିଅର୍‌ ହୁକ୍‌। ବସ୍‌ର ସମଗ୍ର ବଡ଼ି କରେଣ୍ଟ୍‌ ଚାର୍ଜ ହୋଇଥିବା ଜାଣି ଡ୍ରାଇଭର୍‌ ସିଟ୍‌ରୁ ଡେଇଁ ପଳାଇଲା। ବରଯାତ୍ରୀ କିଛି ବୁଝିପାରି ନ ଥିଲେ। ଆଗ ସିଟ୍‌ରେ ବସିଥିବା ଚାରିଜଣ ମହିଳାଙ୍କ ଭିତରୁ ଦୁଇ ଜଣ ଉଠି ଓହ୍ଲାଇବାକୁ ଉଦ୍ୟତ ହେବା କ୍ଷଣି କରେଣ୍ଟ୍‌ ଲାଗି ଟଳି ପଡ଼ିଥିଲେ। ତା’ପରେ ପଛ ସିଟ୍‌ରୁ ଆଉ ତିନିଜଣ ଉଠି ବସ୍‌ ଲୁହା ରେଲିଂ ଛୁଇଁଲା ମାତ୍ରେ ଝଟ୍‌କା ଖାଇ ପଡ଼ିଗଲେ। ବିଦ୍ୟୁତ୍‌ ପ୍ରବାହରେ ଶରୀରର ବିଭିନ୍ନ ଅଂଶ ସ୍ପାର୍କିଂ ହୋଇ ଜଳି ଯାଉଥିଲା। ଆରମ୍ଭ ହୋଇଥିଲା ବିକଳ ଚିତ୍କାର, ଧାଁଧପଡ଼। କରେଣ୍ଟ୍‌ ଝଟ୍‌କାରେ ଜଣେ ପରେ ଜଣେ ପୋଡ଼ିଗଲେ। ପ୍ରାୟ ୪୦ ଜଣ ବିଦ୍ୟୁତ୍‌ ଝଟ୍‌କାରେ ଜଳି ଛଟପଟ ହେଲେ। ୧୨ଟି ନିରୀହ ଜୀବନ ଚାଲିଗଲା। ୨୦ରୁ ଅଧିକ ଗୁରୁତରଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଗଲା। ସେଦିନ ଲୁହରେ ଭିଜିଥିଲା ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡ଼ୁ ଗାଁ । ଏହି ଘଟଣା ‌ମନେପଡ଼ିଲେ ଆଜି ବି ଛାତିରେ ଶିହରଣ ସୃଷ୍ଟି ହେଉଛି।

ଖେଳ ହେଲା କାଳ, ଜୀବନ୍ତ ଜଳିଗଲେ ୪ ଶିଶୁ
‌ଫେବ୍ରୁଆରି ୨୪। ପୋଲସରା ବ୍ଲକ ଖଇରଛଟା ଗାଁର ଅର୍ଦ୍ଧନିର୍ମିତ ପାଇଖାନା ଘରେ କେତେ ଜଣ ଶିଶୁ ଖେଳୁଥିବା ‌ବେଳେ ଘଟିଥିଲା ଏକ ଛାତିଥରା  ଅଘଟଣ। ଅଚାନକ ନିଆଁ ଲାଗିବା କାରଣରୁ ୪ଜଣ ଶିଶୁ ଜୀବନ୍ତ ଜଳିଯାଇଥିଲେ। ନିଆଁର ଆଁରେ ୪ ନିରୀହ ଓ ନିଷ୍ପାପ ଶିଶୁଙ୍କ ଜୀବନ ଚାଲି ଯାଇଥିଲା।  ଇତିଶ୍ରୀ, ଦୀପକ, ଆଲୋକ ଓ ସାଇରାମର ଘରେ ଅଳି ଓ ଅଝଟର ସ୍ବର ସବୁ ଦିନ ଲାଗି ନିରବି ଯାଇଥିଲା।

ପତ୍ନୀ, ଝିଅକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ବାମୀ
ଛତ୍ରପୁର ସହର ଉପକଣ୍ଠରେ ଫେବ୍ରୁଆରି ୨୬ରେ ଘଟିଥିଲା, ନାରକୀୟ ଓ ଅମାନବୀୟ ଘଟଣା। ପାଲିଆ ଛତ୍ରପୁର ଗ୍ରାମରେ ରାତିରେ ଘରେ ପତ୍ନୀ ଉର୍ମିଳା ବେହେରା ଓ ଝିଅ ସୁନୀତା ବେହେରା ଘରେ ଶୋଇଥିବା ବେଳେ କିଆକଟା କାତିରେ ହାଣି ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଥିଲା ସ୍ବାମୀ ବୃନ୍ଦାବନ ବେହେରା। ପାରିବାରିକ କଳହର ଏହା ଥିଲା କରୁଣ ପରିଣତି। ଏହି ଜଘନ୍ୟ କାଣ୍ତ ଆଲୋଡ଼ନ ସୃଷ୍ଟି କରିଥିଲା।

ଭିଟାମାଟିରୁ ଶେଷଯାତ୍ରା
ଲକ୍‌ଡାଉନ୍‌ କୋହଳ ପରେ କର୍ମସ୍ଥଳୀକୁ ପେଟପାଟଣା ପାଇଁ ପୁଣି ଫେରିଯିବାକୁ ଗଞ୍ଜାମର କିଛି ପ୍ରବାସୀ ଶ୍ରମିକ ଭିଟାମାଟିକୁ ପାଦ କାଢ଼ିଥିଲେ। ସେପ୍ଟେମ୍ବର ୫ ତାରିଖରେ (ଏନ୍‌ଏଲ-୦୩- ବି-୦୯୮୭) ଏକ ବସ୍‌ ଯୋଗେ  ୬୭ଜଣ ଯାତ୍ରୀ ଆସିକାରୁ ସୁରତ ଅଭିମୁଖେ ବାହାରିଥିଲେ। ସେପ୍ଟେମ୍ବର ୬ତାରିଖ ଭୋର୍‌ ପ୍ରାୟ ୩ଟା ବେଳେ ଛତିଶଗଡ଼ ରାଜ୍ୟ ରାୟପୁର ନିକଟସ୍ଥ ଚେରିଖେଡ଼ି ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମର୍ମନ୍ତୁଦ ଦୁର୍ଘଟଣାରେ ୮ ନିରୀହ ଶ୍ରମିକଙ୍କ ଜୀବନ ଦୀପ ଲିଭିଗଲା। ଏ ଘଟଣା ସମଗ୍ର ଗଞ୍ଜାମ ଜିଲ୍ଲାକୁ ସ୍ତବ୍ଧ କରିଦେଇଥିଲା।

ସମ୍ବନ୍ଧିତ ଖବର