ବ୍ରହ୍ମପୁର: ଗଞ୍ଜାମରେ ରାଜନୈତିକ ଅପରାଧ କିଛି ନୂଆ ନୁହେଁ। ଗତ ପ୍ରାୟ ତିନି ଦଶନ୍ଧି ହେଲା ଲଗାତାର ଭାବେ ଜିଲ୍ଲାରେ ଜଣକ ପରେ ଜଣେ ହାଇପ୍ରୋଫାଇଲ୍ ନେତା ଏବଂ ଜନପ୍ରତିନିଧିଙ୍କ ମୁଣ୍ଡ ଗଡ଼ିଛି। ୨୭ବର୍ଷ ମଧ୍ୟରେ ୧୭ଜଣ ଜନପ୍ରତିନିଧି, ନେତା ଓ ଆଗଧାଡ଼ିର କର୍ମୀ ରାଜନୈତିକ ବିବାଦଠୁ ଆରମ୍ଭ କରି ବିଭିନ୍ନ କାରଣ ପାଇଁ ହତ୍ୟାର ଶିକାର ହୋଇଛନ୍ତି। ଏଭଳି ପରିସ୍ଥିତିରେ ଗତକାଲି ରାତିରେ ବ୍ରହ୍ମପୁର ସହରର ବରିଷ୍ଠ ଆଇନଜୀବୀ, ରାଜ୍ୟ ବାର୍ କାଉନ୍ସିଲ ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ସମ୍ମୁଖରେ ପଏଣ୍ଟ୍ ବ୍ଲାଙ୍କ୍ରୁ ଗୁଳି କରି ହତ୍ୟା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଏହାପଛରେ ସୁପାରିଂ କିଲିଂ ରହିଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତକୁ ତ୍ବରାନ୍ବିତ କରିଛି। ତେବେ ବହୁଦିନ ପରେ ପୁଣିଥରେ ରାଜନୈତିକ ସୁପାରି କିଲିଂ ବ୍ରହ୍ମପୁରକୁ ଫେରିଥିବା ସାଧାରଣରେ ଆଲୋଚନା ହେଲାଣି।
ମୃତକଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ, ପୂର୍ବତନ ସରପଞ୍ଚ, କାଉନସିଲର୍
ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ ଗଞ୍ଜାମ ଜିଲ୍ଲାରେ ଅପରାଧ ରେକର୍ଡ ତାଲିକା ଖୁବ୍ ଲମ୍ବା। କଥା କଥାକେ ହତ୍ୟା ଓ ଅପହରଣ ଭଳି ଘଟଣା ଜିଲ୍ଲାକୁ ବଦ୍ନାମ କରିଛି। ଏଭଳି ଆପରାଧିକ ଷଡ଼୍ଯନ୍ତ୍ରରୁ ବାଦ୍ ପଡ଼ିନାହାନ୍ତି ନେତା। ୧୯୯୮ରେ ଆସିକା ଏନ୍ଏସିର ପୂର୍ବତନ ଅଧ୍ୟକ୍ଷ ସାହେବ ପରିଡ଼ାଙ୍କୁ ବିଚ୍ ରାସ୍ତାରେ ହତ୍ୟା କରାଯାଇଥିଲା। ସେ ଏକ ଶବାଧାରରେ ଯାଉଥିବା ବେଳେ ହତ୍ୟାକାରୀମାନେ ତାଙ୍କୁ ଭିଡ଼ ଭିତରେ ନିର୍ମମ ଭାବେ ହାଣି ହତ୍ୟା କରିଥିଲେ। ୨୦୦୨ରେ ଆସିକା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ଉମାଚରଣ ବିଷୋୟୀଙ୍କୁ ଅପହରଣ ପରେ ଗୁଳି କରିବା ସହିତ ବେକ କାଟି ହତ୍ୟା କରାଯାଇଥିଲା। ୨୦୧୦ରେ ସେପ୍ଟେମ୍ବର ମାସରେ ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ତଥା ବରିଷ୍ଠ ସିପିଆଇ ନେତା ଏନ୍. ସୀମାଞ୍ଚଳ ରେଡ୍ଡୀ ଓ ୨୦୧୫ ନଭେମ୍ବର ମାସରେ ବୁଗୁଡ଼ା ଏନ୍ଏସିର ପୂର୍ବତନ ଅଧ୍ୟକ୍ଷ ବାଳକୃଷ୍ଣ ପାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ୨୦୨୧ ଜାନୁଆରି ୨୦ରେ ବେଗୁନିଆପଡ଼ା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ହତ୍ୟା କରାଯାଇଥିବା ବେଳେ ୨୦୧୭ ସେପ୍ଟେମ୍ବରରେ ଛତ୍ରପୁର ଯୁବ ବିଜେଡି ନେତା ତଥା କାଉନ୍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହା ପୂର୍ବରୁ ୨୦୧୪ ଜୁଲାଇରେ ଛତ୍ରପୁରର ଜଣାଶୁଣା ସିପିଆଇ ନେତା ସାକୁରା ବେହେରା ହତ୍ୟାର ଶିକାର ହୋଇଥିଲେ।
ବ୍ରହ୍ମପୁର ସହରରେ ୨୦୧୯ ମେ ୨୨ରେ ଆସିକା ବିଧାନସଭାର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ ହତ୍ୟା କରାଯାଇଥିଲା। ସାଧାରଣ ନିର୍ବାଚନ ଭୋଟ ଗଣତିର ଦିନକ ପୂର୍ବରୁ ଘଟିଥିଲା ଏହି ହାଇପ୍ରୋଫାଇଲ୍ ସୁପାରି କିଲିଂ। ମନୋଜ ରାତି ୯ଟା ବେଳେ କାର୍ରେ ଭୁବନେଶ୍ବରରୁ ଫେରୁଥିବା ବେଳେ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଗାଡ଼ି ଅଟକାଇ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହା ବ୍ୟତୀତ ବ୍ରହ୍ମପୁରରେ ୨୦୨୧ ନଭେମ୍ବର ୫ରେ କୁକୁଡ଼ାଖଣ୍ଡି ବ୍ଲକ୍ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ସୁକୁଣ୍ଡା ଗ୍ରାମରେ ଓ ୨୦୦୮ରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ସମିତି ସଭ୍ୟ ସୁରେନ୍ଦ୍ର ମହାନ୍ତିଙ୍କୁ ଆସିକାରେ ହତ୍ୟା କରାଯାଇଥିଲା। ୨୦୦୯ରେ ବିଜେଡି ନେତା ସୁଦର୍ଶନ ପରିଡ଼ା ଓରଫ୍ ସୁଦୁରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ାଙ୍କ ପୁଅ। ୨୦୧୯ରେ ଶେରଗଡ଼ ବ୍ଲକ୍ କୁଲାଗଡ଼ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସୁବାସ ଚନ୍ଦ୍ର ସାହୁଙ୍କୁ ହତ୍ୟା କରାଯାଇଥିଲା। ଗତ ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ଦିଗପହଣ୍ଡି ଅଞ୍ଚଳରେ ଦୁଇଜଣ ଯୁବ ବିଜେଡି ନେତା ଓ ୨୦୨୪ ସାଧାରଣ ନିର୍ବାଚନ ସମୟରେ ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ବିଜେପିର ଜଣେ ଆଗଧାଡ଼ିର କର୍ମୀଙ୍କୁ ହତ୍ୟା କରାଯାଇଥିଲା। ଏଭଳି ଆହୁରି କିଛି ହତ୍ୟାକାଣ୍ଡ ଘଟିଛି ଯାହାକି ଗଞ୍ଜାମ ଜିଲ୍ଲାର ରାଜନୈତିକ ଇତିହାସରେ କଳା ଫର୍ଦ୍ଦ ଯୋଡ଼ିଛି।