ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠରୁ ଆଜି ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିବା ଜଣାଯାଇଛି। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଚଢାଉ କରାଯାଇ ଏହି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହି ମାମଲରେ ଦୁଇଜଣଙ୍କୁ ଅଟକ ରଖାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶରୁ ବାଲେଶ୍ବର ଯାଉଥିବା ଏକ ନଡ଼ିଆ କତା ବୋଝେଇ ଟ୍ରକରେ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ସୂଚନା ପାଇ ଭୁବନେଶ୍ବର ଉପକଣ୍ଠସ୍ଥ ଗୋଡ଼ିପଡ଼ା ଚେକଗେଟ୍ ନିକଟରେ ଏନସିବି ପକ୍ଷରୁ ଉକ୍ତ ଟ୍ରକକୁ ଅଟକାଯାଇଥିଲା। ଏହାପରେ ଉକ୍ତ ଟ୍ରକରୁ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିଲା। ଆଜି ଭୋର ସମୟରେ ଏହି ଘଟଣା ଘଟିଛି।
ଏହି ମାମଲାରେ ଟ୍ରକ୍ ଚାଳକ ଓ ହେଲପରକୁ ଅଟକ ରଖି ଏନସିବି ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୭୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହା ଏନସିବିର ଏକ ବଡ଼ ସଫଳତା ବୋଲି କୁହାଯାଉଥିବା ବେଳେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।