କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକର ବଡ଼ପଡ଼ା ଘାଟିରେ ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ୍ ଅନ୍ତର୍ଗତ ତୁସୁବା ଓ ସଗର ମଝିରେ ଥିବା ବଡ଼ପଡ଼ା ଘାଟିରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ଦ୍ବାରା ଏକ ଗଞ୍ଜେଇ ବୋଝେଇ ୪୦୭ ଭ୍ୟାନ ଜବତ କରାଯାଇଛି। ଏଥିରୁ ୧୦୩୬ କେଜି ଗଞ୍ଜେଇ ଜବତ ହୋଇଛି। ତେବେ ପୁଲିସକୁ ଦେଖି ଭ୍ୟାନର ଡ୍ରାଇଭର୍ ଓ ହେଲପର୍ ଫେରାର ହୋଇଥିବା ଜଣାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ଦେଢ କୋଟି ଟଙ୍କା ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଗତକାଲି କୋରାପୁଟ ଜିଲ୍ଲା ଜଲାପୁଟରୁ ଜୟପୁର ଦେଇ ବିହାର ଚାଲାଣ ହେଉଥିବା ବେଳେ ୨୬୯ କେଜି ଗେିଞ୍ଜ‌ଇ ଜବତ କରିଥିଲା ସଦର ଥାନା ପୁଲିସ। ଘଟଣାରେ ୨ଜଣ ପୁଲିସ କର୍ମଚାରୀଙ୍କ ସହ ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଗଞ୍ଜେଇ ଚାଲାଣରେ ବ୍ୟବହୃତ ଗୋଟିଏ ହୋଣ୍ଡା ସିଟି କାର, ୩ଟି ବାଇକ ଜବତ ହୋଇଥିବାବେଳେ ଏଥିରେ ଜଣେ ବିଟେକ ଛାତ୍ର ମଧ୍ୟ ରହିଥିବା ଜଣାପଡ଼ିଥିଲା।


ଗିରଫ ଯୁବକମାନେ ହେଲେ ବିହାରର ନାୱାଡ଼ା ଜିଲ୍ଲା ରାଜୌଲି ଗାଁର ଅନୀଲ ପ୍ରସାଦ ଯାଦବଙ୍କ ପୁଅ ସୋନୁ କୁମାର(୧୮), ବିଶାଖାପାଟଣା ମୋଚିଂପୁଟ ତଳବେଢ଼ା ଗାଁର ଧନ କିର୍ଷାନୀଙ୍କ ପୁଅ ରାମମୂର୍ତ୍ତି କିର୍ଷାନୀ(୩୩), ବାମୁଣୀ ଗାଁର ଡମୁ ପୂଜାରୀଙ୍କ ପୁଅ ନରହରି ପୂଜାରୀ(୩୩), ପାଞ୍ଜିଆଗୁଡ଼ାର ଲକ୍ଷ୍ମଣ ପରଜାଙ୍କ ପୁଅ ବିଶ୍ବନାଥ ପରଜା(୩୯), ନନ୍ଦପୁର ଘାଗଡ଼ାପାଣ୍ଡି ଗାଁର ରାମଚନ୍ଦ୍ର ବଡ଼ନାୟକଙ୍କ ପୁଅ ନରେନ୍ଦ୍ର ବଡ଼ନାୟକ(୩୨) ଓ ସାନ୍ତ୍ରା ସାହିର ରାଜେନ୍ଦ୍ର କୁମାର ମିଶ୍ରଙ୍କ ପୁଅ ଲକ୍ଷ୍ମୀକାନ୍ତ ମିଶ୍ର(୨୪)। ପୁଲିସ ୨୨୨/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

 

ସମ୍ବନ୍ଧିତ ଖବର