ରାଜଧାନୀରେ ଗାଁ ସାଥୀ ସଂଘର ଗଣଧାରଣା

ଭୁବନେଶ୍ୱର : ବାରମ୍ବାର ବିକ୍ଷୋଭ ଓ ଧାରଣା ସତ୍ତ୍ୱେ ରାଜ୍ୟ ସରକାର ଗାଁ ସାଥୀମାନଙ୍କ ଦାବି ପ୍ରତି ଦୃଷ୍ଟି ନଦେବାରୁ ଆଜିଠାରୁ ପୁଣିଥରେ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯାଇଛି। ମାସିକ ୬ ହଜାର ଟଙ୍କାର ପ୍ରୋତ୍ସାହନ ରାଶି, ସ୍ଥାୟୀ ନିଯୁକ୍ତି ସଂଘର ପ୍ରମୁଖ ଦାବି ରହିଛି। ଗଣଧାରଣାରେ ସାମିଲ ହୋଇଥିବା ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳ କହିଛନ୍ତି, ଗତ ଦଶ ବର୍ଷ ହେଲାଣି ଆମର ହକ୍‌ ନେଇ ଆମେ ସରକାରଙ୍କ ନିକଟରେ ଦାବି ଜଣାଇଆସୁଛୁ । କିନ୍ତୁ ସରକାର ଆମକୁ କେବଳ ପ୍ରତିଶ୍ରୁତି ଦେଇ ଭଣ୍ଡାଇ ଚାଲିଛନ୍ତି। କୌଣସି ପଦକ୍ଷେପ ଗ୍ରହଣ ନକରିବା ପରିତାପର ବିଷୟ। ଗତ ଡିସେମ୍ବର ୨୦ ରେ ବିଧାନସଭା ସମ୍ମୁଖରେ ବିଶାଳ ଧାରଣା ପରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ଗାଁସାଥୀଙ୍କ ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଭିନ୍ନ ଗଣମାଧ୍ୟମ ଜରିଆରେ ସୂଚନା ଦେଇଥିଲେ। ମାତ୍ର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଆମେ ଏପରି ଚରମ ନିଷ୍ପତ୍ତି ନେଇଥିବା ସଭାପତି ଶ୍ରୀ ବିଶ୍ୱାଳ କହିଛନ୍ତି। ଗାଁ ସାଥୀ ସଂଗଠକ ସୌଭାଗ୍ୟ ମିଶ୍ର, ଗୋବିନ୍ଦ ତାଣ୍ଡି, ପ୍ରତାପ ମଲ୍ଲିକ, ବନମାଳି ଜେନା, ପ୍ରସନ୍ନ ପ୍ରଧାନ, ସୁଧାଂଶୁ ଶତପଥୀ, ସାଗର ମାନସିଂହ ପ୍ରମୁଖ ଧାରଣାରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର