ଗାଁ ସାଥୀ ସଂଘର ଚେତାବନୀ: ଦାବି ପୂରଣ ନ ହେଲେ ୪ରୁ ଆନ୍ଦୋଳନ

ବିଜେପୁର ନିର୍ବାଚନୀ ମଇଦାନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ସଂଘ

ଭୁବନେଶ୍ବର : ଗାଁସାଥୀ(ମେଟ୍‌) ମାନଙ୍କୁ ସର୍ବନିମ୍ନ ପ୍ରୋତ୍ସାହନ ରାଶି ମାସିକ ୬ ହଜାର ଟଙ୍କା ପ୍ରଦାନ କରା ନ ଗଲେ ନଭେମ୍ବର ୪ ତାରିଖରୁ ସଂଘ ଆନ୍ଦୋଳନକୁ ଓହ୍ଲାଇବ। ରାଜ୍ୟର ୫୦ ହଜାରରୁ ଊର୍ଧ୍ବ ଗାଁସାଥୀ ରାମମନ୍ଦିର ଛକରୁ ବିଶାଳ ଶୋଭାଯାତ୍ରାରେ ଯାଇ ବିଧାନସଭା ଘେରି‌ବେ। ଆଜି ୟୁନିଟ୍‌-୩ ସ୍ଥିତ ଉତ୍କଳ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ଏଭଳି ଚେତାବନୀ ଦେଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ ଦାବି ପୂରଣ ପାଇଁ ସଂଘ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇଥିଲା। ଗାଁସାଥୀମାନଙ୍କୁ ମାସକୁ ସର୍ବନିମ୍ନ ୧୦ ଦିନ କିମ୍ବା ଗୋଟିଏ ଆର୍ଥିକ ବର୍ଷରେ ଅତି କମ୍‌ରେ ଶହେ ଦିନର ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏସମ୍ପର୍କରେ ଜାନୁଆରି ୧୧ ତାରିଖରେ ସମସ୍ତ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରାକାର ନିର୍ଦେଶ ଦେଇଥି‌ଲେ। ତେବେ କାର୍ଯ୍ୟ ପାଉନଥିବା ରାଜ୍ୟର ଗାଁସାଥୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର କର୍ପସ ପାଣ୍ଠି ଗଠନ କରାଯାଇ ଭତ୍ତା ପ୍ରଦାନ କରାଯିବ ବୋଲି ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ପକ୍ଷରୁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। ଇତିମଧ୍ୟରେ ୫ ମାସ ବିତିଯାଇଥିଲେ ବି ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ସଂଘ ଅଭିଯୋଗ କରିଛି। ଅନ୍ୟପଟେ ଗାଁସାଥୀମାନଙ୍କୁ କ୍ଷତି ପହଞ୍ଚାଇବା ଭଳି ଯୋଜନା କରାଯାଇ ୪ଟି ଚିଠି କରାଯାଇଛି। ଯାହାକୁ ନେଇ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ତେଣୁ ବିଜେପୁର ନିର୍ବାଚନୀ ମଇଦାନରେ ସଂଘର ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ। ଏହା ସତ୍ତ୍ବେ ଯଦି ସରକାର ନ ଚେତନ୍ତି, ଆଗମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବାଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ସୌଭାଗ୍ୟ ମିଶ୍ର, ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ବାଳ, ସୁଧାଂଶୁ ଶତପଥୀ, ହେମନ୍ତ ନାହାକ, କୁଳମଣି ମେଣ୍ଟା, ପ୍ରସନ୍ନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର