ବିଧାନସଭା ସମ୍ମୁଖରେ ଗର୍ଜିଲେ ଗାଁ ସାଥୀ

ଭୁବନେଶ୍ୱର : ଗାଁ ସାଥୀଙ୍କୁ ମାସିକ ଛଅ ହଜାର ଟଙ୍କା ପ୍ରୋତ୍ସାହନ, ଗାଁ ସାଥୀ ଚୟନରେ ପଲ୍ଲୀସଭାର ଉଚ୍ଛେଦ, ଗ୍ରାମୀଣ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟାଦେଶ ଗାଁ ସାଥୀଙ୍କ ନାମରେ ପ୍ରଦାନ ଆଦି ଦାବି ନେଇ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସଂଘର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଗାଁ ସାଥୀମାନେ ରେଳ ଷ୍ଟେସନରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଗାଁ ସାଥୀଙ୍କ ଦାବି ପୂରଣ ପାଇଁ ସରକାରଙ୍କ ପଞ୍ଚାୟତରାଜ ବିଭାଗ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ଦାବି କରାଯାଇଥିଲା। ପ୍ରତିବାଦ ସଭା ପରେ ସଂଘର ଏକ ପ୍ରତିନିଧିଦଳ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଦାବି ପୂରଣ ନେଇ ଆଲୋଚନା କରିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସଂଘର ରାଜ୍ୟ ସମ୍ପାଦକ ସୌଭାଗ୍ୟ ମିଶ୍ର, ପ୍ରତାପ ମଲ୍ଲିକ, ଗୋବିନ୍ଦ ତାଣ୍ଡି, ପବିତ୍ର ସୁନ୍ଦରାୟ, ରଶ୍ମିତା ଜେନା, ଉମେଶ ସାହୁ, ଅଶୋକ ପଲେଇ, ସାଗର ସିଂହ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର