ଫେବ୍ରୁଆରି ୧ରୁ ପୁଣି ଗାଁ ସାଥୀଙ୍କ ଆନ୍ଦୋଳନ

ଭୁବନେଶ୍ୱର : ପଞ୍ଚାୟତିରାଜ ବିଭାଗରେ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ରାଶି ଦାବିରେ ଗାଁ ସାଥୀମାନେ ବାରମ୍ବାର ଆନ୍ଦୋଳନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନ୍ୟାୟ ମିଳିନି। ୨୨ ଦିନ ବିତିଯାଇଥିଲେ ମଧ୍ୟ ପ୍ରୋସିଡିଙ୍ଗ ପ୍ରସ୍ତୁତ ହୋଇ ନ ଥିବାରୁ ଗାଁ ସାଥୀ ସଂଘ ଅସନ୍ତୋଷ ପ୍ରକାଶ କରିଛି। ଗତ ଅକ୍ଟୋବର ୩୦ରେ ବିଭାଗୀୟ ମନ୍ତ୍ରୀ, ସଚିବ, ମନରେଗା ନିର୍ଦ୍ଦେଶକଙ୍କ ସହ ସଂଘର ପ୍ରତିନିଧିଦଳ ଆଲୋଚନା ବେଳେ ଯେଉଁ ସରକାରୀ ଚିଠି ପଠାଯିବା କଥା ହୋଇଥିଲା ତାହା ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚି ନ ଥିବା ଉତ୍କଳ ସାମ୍ବାଦିକ ଭବନ ପରିସରରେ ଆଜି ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳ କହିଛନ୍ତି ଯେ ଯଦି ଜାନୁଆରି ୨୬ ସୁଦ୍ଧା ପଞ୍ଚାୟତିରାଜ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ସରକାରୀ ଚିଠିରେ ପରିଣତ ନ ହୁଏ ତେବେ ଫେବ୍ରୁଆରି ୧ରୁ ବିଧାନସଭା ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ। ଗାଁସାଥୀଙ୍କ ଦାବିକୁ ପୂରଣ କରିବାରେ ରାଜ୍ୟ ସରକାର ବିଳମ୍ବ କଲେ ବିଜେପୁରରେ ହେବାକୁ ଥିବା ଆଗାମୀ ଉପନିର୍ବାଚନରେ ଗାଁ ସାଥୀମାନେ ଘରକୁ ଘର ଯାଇ ୧ ଲକ୍ଷ ଭୋଟରକୁ ଭେଟିବାକୁ ସ୍ଥିର ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠକ ସୌଭାଗ୍ୟ ମିଶ୍ର, ପ୍ରତାପ ମଲ୍ଲିକ, ବନମାଳି ଜେନା, ଗୋବିନ୍ଦ ତାଣ୍ଡି, ରଶ୍ମିତା ଜେନା, ପ୍ରଫୁଲ୍ଲ ସ୍ୱାଇଁ, ଜଗନ୍ନାଥ କୁମ୍ଭାର, ସନ୍ତୋଷ ଚୌଧୁରୀ, ଦିଲ୍ଲୀପ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୨୦ ତାରିଖରେ ଗାଁ ସାଥୀମାନେ ଜିଲ୍ଲା ଓ ବ୍ଲକରେ ଗଣଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବାକୁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର