ସେବାୟତ କୁଳରେ କନ୍ୟା ଅଭାବ : ଚେତୁନି ପ୍ରଶାସନ, ଚିନ୍ତାରେ ସେବକ

ଦତ୍ତ ମହାପାତ୍ର ସମ୍ପ୍ରଦାୟରେ ୧ ହଜାର ପୁରୁଷରେ ୪୬୨ ମହିଳା, ଆର୍ଥିକ ପ୍ରୋତ୍ସାହନ ପାଇଁ ଗରାବଡ଼ୁ ନିଯୋଗର ଯୋଜନା

ପୁରୀ : ଶ୍ରୀମନ୍ଦିର ସେବାୟତ କୁଳରେ କନ୍ୟା ଅଭାବ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ଏହି ସଂକଟ ଦୂର କରିବାକୁ କେତେକ ସୁପାରିଶ କରାଯାଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ପ୍ରଶାସନ ଏହି ସୁପାରିଶଗୁଡିକୁ କାର୍ଯ୍ୟକାରୀ କରିନାହିଁ। ପ୍ରଶାସନିକ ନିରବତା ପରେ ଏବେ ଶ୍ରୀମନ୍ଦିର ଗରାବଡ଼ୁ ନିଯୋଗ କନ୍ୟା ସନ୍ତାନଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଛି।

ସର୍ଭେ ରିପୋର୍ଟ ଅନୁଯାୟୀ, ସବୁଠୁ ଉଦ୍‌ବେଗଜନକ ସ୍ଥିତିରେ ରହିଛି ଦତ୍ତ ମହାପାତ୍ରଙ୍କ ସମ୍ପ୍ରଦାୟ। ଏହି ସମ୍ପ୍ରଦାୟରେ ପ୍ରତି ୧ ହଜାର ପୁରୁଷରେ ମହିଳାଙ୍କ ସଂଖ୍ୟା ରହିଛି ମାତ୍ର ୪୬୨। ଖାଲି ସେତିକି ନୁହେଁ, ରାଜଗୁରୁଙ୍କ ପରିବାରରେ କନ୍ୟା ସନ୍ତାନଙ୍କ ସଂକଟ ବି ଚିନ୍ତାଜନକ। ଏହି ପରିବାରରେ ପ୍ରତି ୧ ହଜାରରେ କନ୍ୟା ସନ୍ତାନଙ୍କ ସଂଖ୍ୟା ରହିଛି ୫୦୦। ଅନ୍ୟ ସେବକଙ୍କ ମଧ୍ୟରେ ପୂଜାପଣ୍ଡା ସମ୍ପ୍ରଦାୟରେ ପ୍ରତି ୧ ହଜାରେ ପୁରୁଷରେ ୮୭୧, ପୁଷ୍ପାଳକ ସମ୍ପ୍ରଦାୟର ୮୨୩, ଖୁଣ୍ଟିଆ ସମ୍ପ୍ରଦାୟରେ ୮୩୬, ମେକାପ ସମ୍ପ୍ରଦାୟରେ ୮୭୧, ସୁଆରବଡ଼ୁ ସମ୍ପ୍ରଦାୟରେ ୮୬୪, ପତ୍ରିବଡ଼ୁ ସମ୍ପ୍ରଦାୟରେ ୯୩୩, ପ୍ରତିହାରୀ ସମ୍ପ୍ରଦାୟରେ ୮୨୯, ପତିମହାପାତ୍ର ସମ୍ପ୍ରଦାୟରେ ୮୧୮, ସୁଆର ମହାସୁଆର ସମ୍ପ୍ରଦାୟରେ ୮୮୦ ଏବଂ ପ୍ରଧାନୀ ସମ୍ପ୍ରଦାୟରେ ୮୨୭ ମହିଳା ରହିଛନ୍ତି। କେବଳ ଗରାବଡ଼ୁ ସମ୍ପ୍ରଦାୟରେ ପ୍ରତି ୧ ହଜାରରେ ମହିଳାଙ୍କ ସଂଖ୍ୟା ରହିଛି ୧୦୪୩।

ସେବାୟତ କୁଳରେ ମହିଳାଙ୍କ ସଂଖ୍ୟା ହ୍ରାସଜନିତ ସାମାଜିକ ବିପର୍ଯ୍ୟୟକୁ ରୋକିବା ପାଇଁ ଗରିବ ସେବକ ପରିବାରରେ ଝିଅ ଜନ୍ମ ହେଲେ ଆର୍ଥିକ ସହାୟତା ଯୋଗାଇ ଦିଆଯିବାକୁ ପ୍ରସ୍ତାବ ରହିଥିଲା। ମାତ୍ର ତାହା ଆଜିଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ପ୍ରଶାସନିକ ନିଷ୍କ୍ରିୟତା ବେଳେ ଗରାବଡ଼ୁ ନିଯୋଗ ଏକ ବଡ଼ ନିଷ୍ପତ୍ତି ନେଇଛି। ନିଯୋଗ ପକ୍ଷରୁ ସେମାନଙ୍କ ସମ୍ପ୍ରଦାୟରେ ଝିଅ ଜନ୍ମ ହେଲେ ପ୍ରତି ଝିଅକୁ ୧୦ ହଜାର ଟଙ୍କାର ସହାୟତା ଦେବାକୁ ନିଷ୍ପତ୍ତି ହୋଇଛି। ଝିଅର ପ୍ରଥମ ଜନ୍ମଦିନରେ ନିଯୋଗ ଏହି ରାଶି ଦେବ। ଏବେ ସୁଦ୍ଧା ୨ଟି କନ୍ୟା ସନ୍ତାନ ଜନ୍ମ ହୋଇଥିବାରୁ ସେମାନଙ୍କ ଜନ୍ମଦିନରେ ସହାୟତା ଦିଆଯିବାକୁ ନିଯୋଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର